ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ‘ପୁସ୍ତକ ଚର୍ଚ୍ଚା’ର ଡିଜିଟାଲ ସଂସ୍କରଣ। ଦ୍ୱିତୀୟ ସଂସ୍କରଣରେରେ ଏଥର ଶରତ କୁମାର ମହାନ୍ତିଙ୍କ ‘ସଂସ୍କୃତି ଅପସଂସ୍କୃତି’ ପୁସ୍ତକ ଉପରେ ଆଲୋଚନା କରାଯାଇଛି। ଏହାକୁ ଆଲୋଚନା କରିଛନ୍ତି ବିଶିଷ୍ଟ  ସାହିତ୍ୟିକ ଡକ୍ଟର ଦେବେନ୍ଦ୍ର କୁମାର ଦାସ।‘‘ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରତି ମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଏହାକୁ ଆୟୋଜନ କରିଥାଏ। ପୁସ୍ତକ ଚର୍ଚ୍ଚାର ଦ୍ୱିତୀୟ ଡିଜିଟାଲ ସଂସ୍କରଣରେ ଶରତ କୁମାର ମହାନ୍ତିଙ୍କ ଦ୍ୱାରା ରଚିତ ସଂସ୍କୃତି ଅପସଂସ୍କୃତି ପୁସ୍ତକ ଉପରେ ଆଲୋଚନା କରାଯାଇଛି। ଏହି ପୁସ୍ତକରେ ଶରତ କୁମାର ମହାନ୍ତି ସାଂସ୍କୃତିକ ସମସ୍ୟାକୁ ଆଲୋଚନା କରିଛନ୍ତି। ତା’ସହିତ ସଂସ୍କୃତି ଭିତରେ କିଭଳି ଅପସଂସ୍କୃତିର କଳାଛାଇ ରହିଛି ସେନେଇ ମଧ୍ୟ ଏହି  ପୁସ୍ତକରେ ଆଲୋଚନା କରାଯାଇଛି”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।ସଂସ୍କୃତି ଅପସଂସ୍କୃତି ଉପରେ ଆଲୋଚନା କରି ଡକ୍ଟର ଦେବେନ୍ଦ୍ର ଦାସ କହିଛନ୍ତି, ଶରତ କୁମାର ମହାନ୍ତିଙ୍କ ଅନେକ ଲେଖା ମଧ୍ୟରୁ ଏହି ପୁସ୍ତକଟି ଅନ୍ୟତମ। ଏହି ପୁସ୍ତକରେ ସେ ସଂସ୍କୃତି ଏବଂ ଅପସଂସ୍କୃତିକୁ ନେଇ ଆଲୋଚନା କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ପ୍ରଚଳିତ ସାଂସ୍କୃତିକ ଧାରା, ସାଂସ୍କୃତିକ ରାଜନୀତି ଓ ସାହିତ୍ୟ ରାଜନୀତି ଉପରେ ସେ ନିଜର ମତାମତ ଦେଇଛନ୍ତି।
“ଶରତ କୁମାର ମହାନ୍ତି ୧୯୮୦ରୁ ୮୪ ମସିହା ମଧ୍ୟରେ ସଂସ୍କୃତିକୁ ନେଇ ୧୫ଟି ପ୍ରବନ୍ଧ ରଚନା କରିଥିଲେ। ଏହି ପ୍ରବନ୍ଧକୁ ସେ ନିଜର ସଂସ୍କୃତି ଅପସଂସ୍କୃତି ପୁସ୍ତକରେ ସ୍ଥାନ ଦେଇଛନ୍ତି। ଏହା ମଧ୍ୟରେ ଥିବା ଭିନ୍ନ ପୃଥିବୀ, କଳ ମଣିଷ, ବିଶେଷଜ୍ଞ ବିଜ୍ଞାନ ଓ ବିଶେଷଜ୍ଞ ଲେଖକ, ଆକାଶିଆ ସ୍ୱପ୍ନ ଓ ନୂଆ ମଣିଷ ଭଳି ପ୍ରବନ୍ଧ ବିଜ୍ଞାନ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥାଏ। ସେହିଭଳି ଆଉ କେତେକ ପ୍ରବନ୍ଧ ସାହିତ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଥାଏ”,  କହିଛନ୍ତି ଡକ୍ଟର ଦେବେନ୍ଦ୍ର କୁମାର ଦାସ।

ପୁସ୍ତକ ଚର୍ଚ୍ଚାର ଡିଜିଟାଲ ସଂସ୍କରଣକୁ ସଞ୍ଚାଳନ କରିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ଭାଗ୍ୟଲିପି ମଲ୍ଲ।

Comment