ଓଡ଼ିଶାଲାଇଭ୍ ବ୍ୟୁରୋ

 ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ପରିଚୟ ପାଇବାର ୧୫ ବର୍ଷ ପୂର୍ବରୁ ଓଡ଼ିଶାକୁ ସାରା ଦେଶରେ ଏକ ରାଜନୀତିକ ପରିଚୟ ଦେଇଥିଲେ ଗାନ୍ଧିଜୀ। ଓଡ଼ିଶାକୁ ୮ଥର ଭ୍ରମଣରେ ଆସି ସେ ଏଠାରେ ୬୯ ଦିନ କାଟିଛନ୍ତି। ଓଡ଼ିଶା ଥିଲା ତାଙ୍କ ପାଇଁ ଏକ ତୀର୍ଥଭୂମି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ରାଜ୍ୟ ସଂସ୍କୃତି ଭବନରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଛି। ପ୍ରାରମ୍ଭରେ ଗାନ୍ଧିଜୀଙ୍କ ତୈଳଚିତ୍ରରେ ସୂତ୍ରାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ’ ଏବଂ ‘ବୈଷ୍ଣବ ଜନତୋ’ ପରିବେଷଣ କରାଯାଇଥିଲା।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ‘ଶିଶୁଗୀତିରେ ଗାନ୍ଧୀ’, ‘ଦେଶାତ୍ମବୋଧକ ଓଡ଼ିଆ କବିତା’, ‘ଇଂରାଜୀ କୋଣାର୍କ ସଂଖ୍ୟା-୪’, କଫିଟେବୁଲ ପୁସ୍ତକ ‘ଅକ୍ଷର’, ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି ଦ୍ଵାରା ପ୍ରକାଶିତ ପୁସ୍ତକ ଗାନ୍ଧୀ ରଚନାବଳୀ: ‘ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ’ ଏବଂ ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ’, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ ନାୟକଙ୍କ ଦ୍ଵାରା ରଚିତ ପୁସ୍ତକ ‘ଗାନ୍ଧୀ ମହାତ୍ମ୍ୟ’, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ‘ଏ ଡକ୍ୟୁମେଣ୍ଟାରୀ ହିଷ୍ଚ୍ରି: ଗ୍ରୁପ ଥିଏଟର ଇନ ଓଡ଼ିଶା’, ଏକାଡେମୀ ମୁଖପତ୍ର ‘ରଙ୍ଗଭୂମି’, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଦୃଶ୍ୟଶ୍ରାବ୍ୟ ଅଭିଲେଖାଗାର, ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ଦ୍ଵାରା ପ୍ରକାଶିତ ପୁସ୍ତକ ‘ଖାକ୍-ଇ-ସୁଖାନ’, ‘ଓଡ଼ିଆ ଜବାନ ଓ ଆଦାବ: ଏକ୍ ମୁତାଲିଆ’ର ଉନ୍ମୋଚନ କରାଯଇଥିଲା। ଏଥିସହିତ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ଓଡ଼ିଶାରେ ଗାନ୍ଧୀ” ଶୀର୍ଷକ ଏକ ଘଣ୍ଟିକିଆ ସ୍ଵତନ୍ତ୍ର ପ୍ରାମାଣିକ ଚଳଚ୍ଚିତ୍ରର ମଧ୍ୟ ପ୍ରସାରଣ କରାଯାଇଥିଲା।

“ଗାନ୍ଧୀ ମହାତ୍ମା ଓଡ଼ିଶାକୁ ୮ଥର ଆସିଥିଲେ। ଓଡ଼ିଶାକୁ ସେ ଖୁବ୍ ଭଲ ପାଉଥିଲେ। ସେ ଏଠାକୁ ଆସିବା ଦ୍ଵାରା ଓଡ଼ିଶାରେ ସ୍ଵାଧୀନତା ସଂଗ୍ରାମ ତୀବ୍ର ଏବଂ ବ୍ୟାପକ ହୋଇଥିଲା”, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ।“ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ପରିଚୟ ପାଇବାର ୧୫ ବର୍ଷ ପୂର୍ବରୁ ଗାନ୍ଧିଜୀ ଓଡ଼ିଶାକୁ ସାରା ଦେଶରେ ଏକ ରାଜନୀତିକ ପରିଚୟ ଦେଇଥିଲେ। ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଗାନ୍ଧିଜୀଙ୍କ ଯଥେଷ୍ଟ ଅବଦାନ ରହିଥିଲା। ଓଡ଼ିଶାକୁ ସେ ନିଜ ଅନ୍ତରରୁ ଭଲ ପାଉଥିଲେ ଏବଂ କହୁଥିଲେ ଓଡ଼ିଶା ହେଉଛି ତାଙ୍କ ପାଇଁ ଏକ ତୀର୍ଥଭୂମି। ଓଡ଼ିଶାକୁ ୮ଥର ଭ୍ରମଣରେ ଆସି ସେ ଏଠାରେ ୬୯ ଦିନ କଟାଇଛନ୍ତି”, କହିଛନ୍ତି ବିଶିଷ୍ଟ ଗାନ୍ଧୀ ବିଶେଷଜ୍ଞ ପ୍ରହଲ୍ଲାଦ ସିଂହ।କରୋନା ମହାମାରୀ ଜନିତ କଟକଣା ହେତୁ ଗାଇଡଲାଇନ ଅନୁଯାୟୀ ସାମାଜିକ ଦୂରତ୍ଵ ଓ ସୀମିତ ଉପସ୍ଥିତିରେ ଏହାକୁ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗର ପୂର୍ବତନ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ, ଗାନ୍ଧୀ ବିଶେଷଜ୍ଞ ପ୍ରହଲ୍ଲାଦ ସିଂହ, ଅଭିରାମ ବିଶ୍ଵାଳ, ଡକ୍ଟର ବିଶ୍ଵଜିତ, ଓଡ଼ିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ବିରୁପାକ୍ଷ ତ୍ରିପାଠୀ ଏବଂ ଆଶାଲତା ଦେବୀ ଉପସ୍ଥିତ ଥିଲେ।

 

Comment