ଓଡ଼ିଶାଲାଇଭ୍ ବ୍ୟୁରୋ

ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗାନ୍ଧୀ ଜୟନ୍ତୀ ବିଶେଷ ଉତ୍ସବରେ ମୁଁ ମହାତ୍ମାଙ୍କୁ ପ୍ରଣାମ କରୁଛି। ତାଙ୍କର କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିବାରେ ଲାଗିଛି। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣା ମନୋଭାବ ସହ ଆଗକୁ ବଢାଇବା ପାଇଁ ସମଗ୍ର ମାନବଜାତିଙ୍କୁ ଉତ୍ସାହିତ କରୁଛି”। ଏଥିସହ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଚିରକାଳ ଏବଂ ସର୍ବଦା ବିଶ୍ୱ ପାଇଁ ପ୍ରାସଙ୍ଗିକ ରହିବ। ଦେଶର କଲ୍ୟାଣ ପାଇଁ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଅନୁସରଣ କରିବା ପାଇଁ ଲୋକଙ୍କୁ ସବୁବେଳେ ଅନୁରୋଧ କରୁଥିଲେ ବାପୁ। ଏକ ଆଦର୍ଶ ସମାଜ ପାଇଁ ସତ୍ୟ ଏବଂ ଅହିଂସା ଏକ ନୂଆ ପଥ ପରିଷ୍କାର କରିଥିଲା”। 

ଗାନ୍ଧିଜୀ କେବଳ ଜୀବନସାରା ଅହିଂସା ପାଇଁ ଲଢିନଥିଲେ ବରଂ ସେ ସ୍ୱଚ୍ଛତା, ମହିଳା ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ଅଧିକାରର ପାଇଁ ମଧ୍ୟ ସ୍ୱର ଉଠାଉଥିଲେ ବୋଲି କହିଛନ୍ତି ରାଷ୍ଟ୍ରପତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି,“ସତ୍ୟ, ଅହିଂସା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରାରେ ଭାରତକୁ ଏକ କରିବାର ପଥ ମହାତ୍ମା ଗାନ୍ଧୀ ଦର୍ଶାଇଥିଲେ”।

ଲୋକସଭା ବାଚସ୍ପତି ଓମ ବିର୍ଲା, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Tags: #GandhiJayanti #Rajghat #PMO #PresidentofIndia #BirthAnniversary

Comment