ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ‘ପୁସ୍ତକ ଚର୍ଚ୍ଚା’ର ଡିଜିଟାଲ ସଂସ୍କରଣ। ପ୍ରଥମ ଥର ପାଇଁ ଆୟୋଜନ ହୋଇଥିବା ଏହି ସଂସ୍କରଣରେ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଉପରେ ଆଲୋଚନା କରାଯାଇଛି। ଏହାକୁ ଆଲୋଚନା କରିଛନ୍ତି ବିଶିଷ୍ଟ ସାହିତ୍ୟିକ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ଡିଜିଟାଲ ସଂସ୍କରଣ କରିବାକୁ ସୂଚନା ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। କରୋନା ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିଲେ।

‘‘ପୁସ୍ତକ ଚର୍ଚ୍ଚାର ଡିଜିଟାଲ ସଂସ୍କରଣକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଆମେ ସବୁ ମାସରେ ପୁସ୍ତକ ଚର୍ଚ୍ଚା କରୁ। ସାରା ବିଶ୍ୱ ସମେତ ଓଡ଼ିଶାରେ କୋଭିଡ୍‌-୧୯ ମହାମାରୀର ପ୍ରଭାବ ରହିଛି। ଏହାକୁ ଦୃଷ୍ଟିରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ କର୍ଯ୍ୟକ୍ରମ ଆମେ ପହଞ୍ଚାଇବାକୁ ଉଦ୍ୟମ କରୁଛୁ। ଏହି କ୍ରମରେ ଆମେ ପୁସ୍ତକ ଚର୍ଚ୍ଚାର ଡିଜିଟାଲ ସଂସ୍କରଣ ଆରମ୍ଭ କରିଛୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

‘‘ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରତି ମାସରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଏହାକୁ ଆୟୋଜନ କରିଥାଏ। ପୁସ୍ତକ ଚର୍ଚ୍ଚାର ପ୍ରଥମ ଡିଜିଟାଲ ସଂସ୍କରଣରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଦ୍ୱାରା ରଚିତ କିଶୋରଚନ୍ଦ୍ରାନନ୍ଦ ଚମ୍ପୁ ଆଲୋଚନା କରାଯାଇଛି। କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ଓଡ଼ିଶାର ଜଣେ ବିଶିଷ୍ଟ କବି। ତାଙ୍କ କାବ୍ୟ ରଚନାରେ ଭକ୍ତି ରସ ଜଡ଼ିତ ହୋଇ ରହିଛି। ସେ ଅନେକ କାଳଜୟୀ କାବ୍ୟ ରଚନା କରିଛନ୍ତି। ରତ୍ନାକର ଚମ୍ପୁ ଏବଂ କିଶୋର ଚନ୍ଦ୍ରନନ୍ଦ ଚମ୍ପୁ ହେଉଛି ତାଙ୍କର ଅନବଦ୍ୟ ସାହିତ୍ୟ କୃତି। ସେ ଏହି ଚମ୍ପୁରେ ଓଡ଼ିଶାର ଜନଜୀବନ, ସାହିତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ଲିପିବଦ୍ଧ କରିଛନ୍ତି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

‘‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଓଡ଼ିଆ ସାହିତ୍ୟର ଏକ ଅମ୍ଲାନ କୃତି। ଏହା ପୂର୍ବରୁ ପଢ଼ା ଯାଉଥିଲା, ଏବେ ମଧ୍ୟ ଚାଲିଛି ଏବଂ ଆଗକୁ ମଧ୍ୟ ପିଲାମାନେ ପଢ଼ିବେ। ପୁସ୍ତକ ଚର୍ଚ୍ଚାର ଡିଜିଟାଲ ସଂସ୍କରଣରେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ବିଷୟରେ ଆଲୋଚନା ହେଉଥିବାରୁ ଏହା ନିଶ୍ଚିତରେ ସମସ୍ତଙ୍କୁ ଭଲ ଲାଗିବ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ।

କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଉପରେ ଆଲୋଚନା କରି ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ କହିଥିଲେ ଯେ, କବିସୂର୍ଯ୍ୟ ବଳଦେବ ରଥ ୧୭୭୯ ମସିହା ମାଘମାସ ଶୁକ୍ଲ ପଞ୍ଚମୀରେ ଜନ୍ମ ଗ୍ରହଣ କରିଥିଲେ। ୧୮୪୫ ମସିହା ଅକ୍ଷୟ ତୃତୀୟା ତିଥିରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ତିନି ଜଣ ରାଜାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ। ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟ, ଆଠଗଡ଼ ରାଜା ବାଲୁଙ୍କେଶ୍ୱର ହରିଚନ୍ଦନ ଜଗଦ୍ଦେବ ଏବଂ ଓଡ଼ିଶାର ଗଜପତି ମୁକୁନ୍ଦଦେବଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ।

‘‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୁରେ କୃଷ୍ଣ ଓ ରାଧାଙ୍କ ପ୍ରେମ ସମ୍ପର୍କକୁ ବର୍ଣ୍ଣନା କରାଯାଇଛି। ଏଥିରେ ୩ ଜଣ ମୁଖ୍ୟ ଚରିତ୍ରଙ୍କୁ ଦେଖିବାକୁ ମିଳେ। ଶ୍ରୀକୃଷ୍ଣ, ରାଧା ଏବଂ ତାଙ୍କ ସଖି ଲଳିତାଙ୍କ କଥାକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଏହାସହ ନିଜେ କବିସୂର୍ଯ୍ୟ ବଳଦେବ ରଥ ମଧ୍ୟ ଏହି ଚମ୍ପ ରେ ଜଣେ ଚରିତ୍ର ଭାବେ ନିଜକୁ ଚିତ୍ରଣ କରିଥିଲେ। ଏହାସହ ବ୍ରଜର ଗୋପାଙ୍ଗନା ବୃନ୍ଦ ଏବଂ କୁଞ୍ଜ ଭଙ୍ଗ କରୁଥିବା ଜଣେ ଗୋପୀ ମଧ୍ୟ ଆଉ ଗୋଟିଏ ଚରିତ୍ର। ମୋଟ ୬ଟି ଚରିତ୍ରଙ୍କୁ ନେଇ ଏହି ଚମ୍ପୁ ସମୃଦ୍ଧ ହୋଇଛି’’, ଆଲୋଚନା ବେଳେ ଏହା କହିଛନ୍ତି ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ।

ପୁସ୍ତକ ଚର୍ଚ୍ଚାର ଡିଜିଟାଲ ସଂସ୍କରଣକୁ ସଞ୍ଚାଳନ କରିଥିଲେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ଭାଗ୍ୟଲିପି ମଲ୍ଲ।

Comment