ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇମାନଙ୍କର ଦୀର୍ଘାୟୁ କାମନା କରି ମା’ମଙ୍ଗଳାଙ୍କ ପୂଜା କରିଛନ୍ତି ଭଉଣୀମାନେ

ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଅନ୍ୟତମ ଖୁଦୁରୁକୁଣୀ ଓଷା। ଭାଦ୍ରବ ମାସ ରବିବାରରେ ମା’ମଙ୍ଗଳାଙ୍କ ଉଦେଶ୍ୟରେ ଏହି ପୂଜା କରାଯାଇଥାଏ। ଏଥିପାଇଁ ଚଳଚଞ୍ଚଳ ଗାଁରୁ ସହର। କୁମାରୀମାନେ ଭାଇମାନଙ୍କ ନିରାମୟ ଜୀବନ ଓ ଦୀର୍ଘାୟୁ କାମନା କରି ମଙ୍ଗଳମୟୀ ମା’ମଙ୍ଗଳାଙ୍କ ନିକଟରେ ପୂଜା କରିଥାନ୍ତି।

ମା’ମଙ୍ଗଳାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଏଥିରେ ପୂଜାର୍ଚ୍ଚନା କରାଯାଇଥାଏ। ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ। ତିଆରି ହୁଏ ଫୁଲରେ ତୋରଣ। ଦିନସାରାର ପ୍ରସ୍ତୁତି ପରେ ସଞ୍ଜବେଳେ ଆରମ୍ଭ ହୁଏ ପୂଜା।

ତେବେ ଖୁଦୁରୁକୁଣୀ ଓଷାକୁ ନେଇ କ’ଣ ରହିଛି କିମ୍ବଦନ୍ତୀ ଆସନ୍ତୁ ଜାଣିବା।

https://cutm.ac.in/

କିମ୍ବଦନ୍ତୀ ଅନୁସାରେ, ୭ ଭାଇର ଗୋଟିଏ ଭଉଣୀ ଥିଲେ ତଅପୋଇ। ବାପା ମା’ ମରିଯିବା ପରେ ସାନଭଉଣୀ ତଅପୋଇକୁ ବଢ଼ାଇଥିଲେ ଭାଇମାନେ।

ପୂର୍ବେ ଓଡ଼ିଆ ସାଧବ ପୁଅମାନେ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ। ଦିନେ ତଅପୋଇଙ୍କ ସାତ ଭାଇ ବଣିଜ କରିବାକୁ ବିଦେଶକୁ ବାହାରିଥିଲେ। ସାତ ଭାଉଜଙ୍କ ପାଖରେ ଗେହ୍ଲା ଭଉଣୀ ତଅପୋଇକୁ ଛାଡ଼ିଯାଇଥିଲେ। ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ। ହେଲେ କିଛି ଦିନ ପରେ ସବୁ ବଦଳିଯାଇଥିଲା। ।

ଅନ୍ୟ କଥାରେ ପଡ଼ି ଭାଉଜମାନେ ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ ଜଙ୍ଗଲକୁ ପଠାଉଥିଲେ। ଭାତ ବଦଳରେ ଗୋଡ଼ିମିଶା ଖୁଦ ଦେଉଥିଲେ ଖାଇବାକୁ। ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା। କାନ୍ଦି କାନ୍ଦି ସବୁ କଷ୍ଟକୁ ସହୁଥିଲା ତଅପୋଇ।

ବହୁ ଦିନ ଯାଏ ଭାଇମାନେ ନ ଫେରିବାରୁ, ଶେଷରେ ତଅପୋଇ ନଦୀବାଲିରେ ମଙ୍ଗଳାମା’ଙ୍କ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲେ। ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ରଖୁଥିଲେ। ସେଦିନ ଥିଲା ରବିବାର। ତଅପୋଇର ଡାକ ଶୁଣି ମା’ମଙ୍ଗଳା ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ। ସେହିଦିନଠାରୁ ଭାଦ୍ରବ ମାସ ପ୍ରତ୍ୟେକ ରବିବାର ଦିନ ଖୁଦୁରୁକୁଣୀ ଓଷା ପାଳନ କରାଯାଉଛି।

Tags: #Odisha #OdiaCulture #OdiaFestival #KhudurukuniPuja

LEAVE A REPLY

Please enter your comment!
Please enter your name here