ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟା ବା ‘ଧାନବେଣୀ’କୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଉଛି। ସୁନ୍ଦର ସୁନ୍ଦର ଚିତାରେ ଭାରି ଯାଇଛି ଗାଁ ଦାଣ୍ଡ। ଏହି ଅବସରରେ ଜମିଛି ପିଠାପଣାର ଆସର।

ମାର୍ଗଶିର ମାସରେ ମା’ ଲକ୍ଷ୍ମୀଙ୍କ ପୂଜା ଓଡ଼ିଆମାନଙ୍କ ଏକ ସ୍ଵତନ୍ତ୍ର ପର୍ବ। ଖାସ କରି ଓଡ଼ିଆ ଗୃହିଣୀମାନେ ଏହି ମାଣବସା ବ୍ରତ ପାଳନ କରିଥାନ୍ତି। ଏହିଦିନ ଝୋଟି, ଚିତା, ଧାନଶିଶା, ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜା ଯାଇଥାଏ। ଓଡ଼ିଆଙ୍କ ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରେ ଝଲସିଥାଏ।

ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀ ଓ ଝିଅମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଚିତା ପକାଇଥାନ୍ତି। ଘରର ପ୍ରତ୍ୟେକ ଦୁଆର ଅଗଣା କାନ୍ଥରେ ମା’ ଲକ୍ଷ୍ମୀଙ୍କ ପଦ ଚିହ୍ନ ଅଙ୍କାଯାଇଥାଏ। ଏହାସହ ଠାକୁର ଘରେ ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧାନ ରଖାଯାଏ। ଏହା ଉପରେ ଧାନର ମେଣ୍ଟାକୁ ରଖାଯାଏ। ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢ଼ଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଇଥାଏ।

ମାଣବସାରେ ମା’ ଲକ୍ଷ୍ମୀଙ୍କ ନିକଟରେ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ। ଭୋଗ ଲାଗି ହେବାପରେ ଘରର ଲୋକମାନେ ପିଠାପଣାର ଆନନ୍ଦ ନେଇଥାନ୍ତି।

ଘରର ସମୃଦ୍ଧି ତଥା ଧନଧାନ୍ୟର ବୃଦ୍ଧି ଉଦ୍ଦେଶ୍ୟରେ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା’ ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ। ଏହି ଦିନରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଲକ୍ଷ୍ମୀ ପୁରାଣ ପାଠ କରିବାର ବିଧି ରହିଛି। ତେବେ ମାଣବସା ଶେଷ ଗୁରୁବାରକୁ ଅତି ଆଡମ୍ବରରେ ପାଳନ କରାଯାଏ। ମାଣଓଷା

Tags: #ManabasaGurubar #MaaLaxmi #OdiaCulture #Rituals #Odisha  

Comment