ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନରେ ଶୁକ୍ରବାର ଆୟୋଜିତ ହୋଇଥିଲା ‘ସଂସ୍କୃତି ଆଳାପ’। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ମତବିନିମୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’କୁ ଗୁରୁତ୍ୱ ଦେଇ କାମ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା।

ମତ ବିନିମୟ ବେ‌ଳେ ରାଜ୍ୟରେ ପ୍ରଚଳିତ ବିଭିନ୍ନ ଶବ୍ଦକୁ ନେଇ ଏକ ସମୁଦାୟ ଅଭିଧାନ ପ୍ରସ୍ତୁତି, ପ୍ରତି ଜିଲ୍ଲାରେ ଭାଷା ପ୍ରଚାରକ ନିଯୁକ୍ତ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଂଗୀତ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା ନିମନ୍ତେ ଫେଲୋସିପ୍‌ ପ୍ରଦାନ, ବିଭିନ୍ନ ଏକାଡେମିର ପୁରସ୍କାର ସଂଖ୍ୟା ସମେତ ଅର୍ଥରାଶି ବୃଦ୍ଧି, ପ୍ରତି ଜିଲ୍ଲାରେ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ସମ୍ପୃକ୍ତ କରି ଆର୍ଟ ଗ୍ୟାଲେରି ପ୍ରତିଷ୍ଠା, ୭୧ଟି ଲୋକକଳା ଉପରେ ଲିଖିତ ବିବରଣୀ ପ୍ରସ୍ତୁତି, ଓଡ଼ିଶା ଲଳିତ କଳା ଏକାଡେମି ସମ୍ବିଧାନର ପୁନଃ ପ୍ରଣୟନ, ଦେଶର ବିଭିନ୍ନ ରାଜ୍ୟର କାର୍ଯ୍ୟକ୍ରମରେ ଓଡ଼ିଶୀ ସଂଗୀତ ପରିବେଷଣ, ବିଶିଷ୍ଟ ଶିଳ୍ପୀ ସିଂହାରୀ ଶ୍ୟାମସୁନ୍ଦର କର ଓ ଚିତ୍ରଶିଳ୍ପୀ ରବି ନାରାୟଣ ନାୟକଙ୍କ ପ୍ରତିମୂର୍ତି ସ୍ଥାପନ, ଊର୍ଦୁ କବି ମୀର୍ଜା ଗାଲିବଙ୍କ ଜୀବନୀ ତଥା ଗଜଲ ସମ୍ବଳିତ ପୁସ୍ତକ ପ୍ରକାଶନ ସମ୍ପର୍କିତ ପ୍ରସ୍ତାବ ଆସିଥିଲା।

ଏହି କାର୍ଯ୍ୟକ୍ରମରେ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଚିତ୍ରଶିଳ୍ପୀ ରାମହରି ଜେନା, ସଙ୍ଗୀତ ଏକାଡେମୀର ବିଜୟ ଜେନା, ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଚିତ୍ତରଞ୍ଜନ ପାଣି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିଥିଲେ।

Comment