ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲଗୁଡ଼ିକର ଲୋକାର୍ପଣ କରିଛନ୍ତି। ମେ’ ୬ ତାରିଖରେ ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାର ୪୯୦ଟି ସ୍କୁଲ ଲୋକାର୍ପିତ କରିଛନ୍ତି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ୯୫ଟି ହାଇସ୍କୁଲ, କଟକର ୧୩୫ଟି, କଳାହାଣ୍ଡିର ୧୦୦ଟି, ଝାରସୁଗୁଡ଼ାର ୭୦ଟି ଓ ବରଗଡ଼ର ୯୦ଟି ହାଇସ୍କୁଲ ରହିଛି।

ରୂପାନ୍ତରିତ ସ୍କୁଲଗୁଡ଼ିକର ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରାଛାତ୍ରୀଙ୍କ ଅନୁଭୂତି ଏବଂ ସେମାନଙ୍କ ସ୍ଵପ୍ନ ସମ୍ପର୍କରେ ପଚାରିଥିଲେ। ସ୍କୁଲ ରୂପାନ୍ତର ଯୋଗୁଁ ପିଲାମାନେ ଖୁସିରେ ସ୍କୁଲ ଆସିବା ସହ ଶ୍ରେଣୀ ଗୃହରେ ବସି ପାଠପଢ଼ିବାକୁ ଆଗ୍ରହ ଆସିଛି ବୋଲି କହିଥିଲେ।  ସ୍କୁଲର ନୂଆ ପରିବେଶରେ ବେସ୍‌ ଖୁସି ହେବା ସହିତ  ଭବିଷ୍ୟତକୁ ନେଇ ଗଭୀର ଆତ୍ମବିଶ୍ଵସ ବଢ଼ିଥିବା ଛାତ୍ରଛାତ୍ରୀ କହିଛନ୍ତି।

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ବିଦ୍ୟାଳୟଗୁଡ଼ିକର କାୟାକଳ୍ପ ପରିବର୍ତ୍ତନ ସହ ପିଲାମାନଙ୍କ ମାନସିକତା ଉପରେ ସକରାତ୍ମକ ପ୍ରଭାବ ପକାଇଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁଁ ପାଠ ପଢ଼ିବାକୁ ଆଗ୍ରହ ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦିଆଯାଇଛି। ସଫଳତା

କେନ୍ଦ୍ରାପଡ଼ାରୁ ଅନନ୍ୟା, କଟକରୁ ସାନିୟା, କଳାହାଣ୍ଡିରୁ ଶିବାନୀ, ଝାରସୁଗୁଡ଼ାରୁ ପ୍ରଭାସିନୀ ଓ ବରଗଡ଼ରୁ ପରିଣିତା ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ ସ୍କୁଲ ରୂପାନ୍ତର ଦ୍ୱାରା ସଫଳତା ଏବେ ସେମାନଙ୍କ ହାତ ମୁଠାରେ  ବୋଲି ମତବ୍ୟକ୍ତ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ମୋଟ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି। ଏହି ଅବସରରେ ପିଲାମାନଙ୍କୁ  ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍କୁଲଗୁଡ଼ିକ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ମଧ୍ୟରେ ନୂଆ ଆଶା ଓ ସଂକଳ୍ପ ସୃଷ୍ଟି କରିଛି। ସ୍କୁଲ ରୂପାନ୍ତର ପିଲାଙ୍କ ସ୍ଵପ୍ନରେ ଡେଣା ଯୋଡ଼ି ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍କୁଲ ସମୟ, ଜୀବନର ଶ୍ରେଷ୍ଠ ସମୟ। ଏହାର ଉପଯୋଗ କରି ଆଗକୁ ବଢ଼ିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କ ସ୍ଵପ୍ନ ସାକାର ହେଲେ ନୂତନ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଏବଂ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ ବୋଲି ସେ କହିଥିଲେ।

ପିଲାମାନଙ୍କୁ ୫-ଟି ମହତ୍ଵ ବୁଝାଇ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ଏବଂ ଟ୍ରାନ୍ସପରେନ୍ସି ପ୍ରୟୋଗରେ ରୂପାନ୍ତର ଆସେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଟେକ୍ନୋଲୋଜି ଦ୍ଵାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା, ପାନୀୟ ଜଳ ସୁବିଧା ସହ ଓ ଉତ୍ତମ ପରିମଳ ବ୍ୟବସ୍ଥା କରାଯାଇଛି। ଟିମଓ୍ଵାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ମିଳିମିଶି ଏହି ରୂପାନ୍ତର କାମରେ ସାମିଲ ହୋଇଛନ୍ତି। ଏହି ରୂପାନ୍ତରର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମନ୍ତ୍ରୀ ନବକିଶେର ଦାଶ, ବିଧାୟକ ଧ୍ରୁବ ଚରଣ ସାହୁ, ବିଧାୟକ ଦେବୀପ୍ରସାଦ ମିଶ୍ର, କଳାହାଣ୍ଡି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରି ଗଢ଼ିତୋଳିବ ବୋଲି ମତବ୍ୟକ୍ତ କରିଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ଵାଗତ ଭାଷଣ ଦେବା ସହ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Education #School #Students #HighSchool #HighSchoolTransfermation #5T #CMNaveenPatnaik

LEAVE A REPLY

Please enter your comment!
Please enter your name here