ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମଙ୍ଗଳବାର ଦିନ ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହି ସ୍କୁଲଗୁଡ଼ିକୁ ଲୋକାର୍ପିତ କରିଥିଲେ। ୫-ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଏହି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ମଙ୍ଗଳବାର ଦିନ ଲୋକାର୍ପିତ ହାଇସ୍କୁଲଗୁଡ଼ିକ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ୧୦୭ଟି, ଗଞ୍ଜାମ ଜିଲ୍ଲାର ୧୦୬ଟି, ଅନୁଗୁଳ ଜିଲ୍ଲାର ୮୭ଟି, କେନ୍ଦୁଝର ଜିଲ୍ଲାର ୫୭ଟି ହାଇସ୍କୁଲ ରହିଛି। ୫-ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ପ୍ରଥମେ ଏହି ହାଇସ୍କୁଲଗୁଡ଼ିକୁ ଲୋକାର୍ପିତ କରାଯାଇଛି।

“୫-ଟି ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ଦେବା ପାଇଁ ଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ସୃଷ୍ଟି କରିପାରିବେ। ଏହାଦ୍ଵାରା ସେମାନଙ୍କ ନିଜର ଓ ପରିବାରର ଗୌରବ ବଢ଼ିବା ସହ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ। ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ତେଣୁ ଛାତ୍ରଛାତ୍ରୀମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ୫-ଟି ସ୍କୁଲ ରୂପାନ୍ତର ସଂପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ କହିଥିଲେ। ଏଥିରୁ ହେଉଥିବା ଫାଇଦା ବିଷୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ଓଡ଼ିଶା ସରକାର ୫-ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ୨୧୫୧ଟି ହାଇସ୍କୁଲର ରୂପାନ୍ତରିକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଏହି ଅଭିଯାନର ୨ଟି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ରାଜ୍ୟ ସରକାର ୩ଟି ପର୍ଯ୍ୟାୟରେ ସମୁଦାୟ ୬,୧୩୨ଟି ସ୍କୁଲର ରୂପାନ୍ତରିକରଣ କରିବାକୁ ଯୋଜନା ରଖିଛନ୍ତି।

ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗ ଦେଇଥିଲେ।

Tags: #HighSchoolTransformation #5-t #HighSchools #Inauguration #CmNaveenPatnaik

Comment