ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ଯୋଗଦେଲେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ଗୁରୁବାର ଦିନ ଅରବିନ୍ଦ ମହାପାତ୍ର ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ।

ବିଜେଡିରେ ସାମିଲ ହେବା ପରେ ଅରବିନ୍ଦ ମହାପାତ୍ର କହିଛନ୍ତି, “ଦୀର୍ଘ ଦିନର ଆଶା ଆଜି ପୂରଣ ହେଲା। ୨୦୧୯ ମସିହା ପରଠାରୁ ମୁଁ ପାଟକୁରା ଅଞ୍ଚଳରେ ବୁଲି ଆସୁଛି। ପାଟକୁରାର ବିକାଶ ଲାଗି ଗୋଟିଏ ଉପଯୁକ୍ତ ମଞ୍ଚ ମୋତେ ଦରକାର ଥିଲା। ବିଜେଡିରେ ଯୋଗଦେବା ନିଷ୍ପତ୍ତି ପୂର୍ବରୁ ମୁଁ ପାଟକୁରାବାସୀଙ୍କ ସହ ଆଲୋଚନା କରିଛି ଓ ପରାମର୍ଶ ମଧ୍ୟ ନେଇଛି।”

ସେ ଆହୁରି ମଧ୍ୟ କହିଥିଲେ, ଦଳର ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ଵ ଦେବେ ସେ ତାକୁ ସେ ନିଷ୍ଠାର ସହ ପାଳନ କରିବେ। ତାଙ୍କୁ ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ବିଜେଡିରେ ଯୋଗ ଦେବା ପରେ ବାପା ବିଜୟ ମହାପାତ୍ରଙ୍କ ଆଶୀର୍ବାଦ ନେଇଥିଲେ ଅରବିନ୍ଦ। ବିଜୟ ମହାପାତ୍ର କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା। ବିଜେଡି ଗଠନ ସମୟରେ ତାଙ୍କର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ ରହିଥିଲା। ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପରେ ବିଜେପିଠାରୁ ମଧ୍ୟ ସେ ଅଲଗା ହୋଇଛନ୍ତି।

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #ArvindMohapatra #BijayMohapatra #CMNaveenPatnaik

LEAVE A REPLY

Please enter your comment!
Please enter your name here