ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ସୋମବାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିଥିଲେ। ଏହାସହ ସେ ଉକ୍ତ ଜିଲ୍ଲାଗୁଡ଼ିକରେ କିଛି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ତେବେ ଉଦ୍‌ଘାଟନ ହୋଇଥିବା ପ୍ରକଳ୍ପ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ହରିଶଙ୍କର ପୀଠର ରୂପାନ୍ତରଣ, କେନ୍ଦୁଝର ଜିଲ୍ଲା ଯୋଡାରେ ୨୫୮.୭୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କିଲୋମିଟର ବିଶିଷ୍ଟ ଓଡ଼ିଶାର ଦୀର୍ଘତମ ଫ୍ଲାଏ-ଓଭର ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ୧୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୬୨ ମିଟର ଦୈର୍ଘ୍ୟବିଶିଷ୍ଟ ରେଳ ଓଭର-ବ୍ରିଜ ସାମିଲ ରହିଛି।

ସେହିପରି ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ୧୫୯.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ କି.ମି ପରିବ୍ୟାପ୍ତ ଓଡ଼ିଶାର ଦୀର୍ଘତମ ସେତୁ, ରାକଡୋର-ଫସାଦ ରାସ୍ତାରେ ତେଲ ନଦୀ ଉପରେ ୪୫.୮୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ଓ ୭୧.୫୯ କୋଟି ଟଙ୍କା ବ୍ୟୟରେ ବୌଦ୍ଧ-ମର୍ଯ୍ୟାକୁଦ ରାସ୍ତାରେ ମହାନଦୀ ଉପରେ ସେତୁର ଉଦ୍‌ଘାଟନ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “୫-ଟି ଉପକ୍ରମରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରିବା ସହିତ ଯାତ୍ରା ସମୟକୁ ମଧ୍ୟ ହ୍ରାସ କରିବ। ଏହି ସବୁ ପ୍ରକଳ୍ପ ଦ୍ୱାରା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ।”

ସେ ଆହୁରି ମଧ୍ୟ କହିଥିଲେ, “ଯୋଗାଯୋଗ ହେଉଛି ସମୃଦ୍ଧିର ଆଧାର। ଏବେ ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆସିଛି। ଏହା ଆମର ବିକାଶର ମାର୍ଗକୁ ଅନେକ ପ୍ରଶସ୍ତ କରିଛି।”

ଅନ୍ୟପଟେ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ମଧ୍ୟରେ କଟକ ଜିଲ୍ଲା ନେମାଳଠାରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟ, ୩୨.୧୪ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ମା’ ଉଗ୍ରତାରା ଶକ୍ତିପୀଠର ଉନ୍ନତିକରଣ କାର୍ଯ୍ୟ ସାମିଲ ରହିଛି। ଏହାସହ ୧୫୫.୭୨ କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ୧,୭୩୮ ମିଟର ଦୈର୍ଘ୍ୟବିଶିଷ୍ଟ ସେତୁ ନିର୍ମାଣ ପାଇଁ ଭିତ୍ତି ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ କୁମାର ଜେନା, ଖୋର୍ଦ୍ଧାଠାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #DevelopmentProjects #CMNaveenPatnaik #Infrastructure #Tourism #Odisha

Comment