ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ଥିତ ଗୋଠପାଟଣାଠାରେ ଓଡ଼ିଶାର ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ ହୋଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ କରାଯିବ।

‘ଆଦିବାସୀ ଭବନ’ରେ ଆଦିବାସୀ କଳା, ସଂସ୍କୃତି ବିକାଶର ବିଚାରବିମର୍ଶ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନ ପାଇଁ ଏକ ବହୁମୁଖୀ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ। ରାଜ୍ୟର ସବୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାଦ୍ଵାରା ଉପକୃତ ହେବେ।

“ଓଡ଼ିଶାରେ ହେବାକୁ ଯାଉଥିବା ଏହି ପ୍ରଥମ ଆଦିବାସୀ ଭବନ ରାଜ୍ୟର ଆଦିବାସୀ ସମ୍ପ୍ରଦାୟଙ୍କ କଳା, ସଂସ୍କୃତିର ବିକାଶ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ପାଲଟିବ। ଏହା ସଶକ୍ତ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ସହାୟକ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘ଆଦିବାସୀ ଭବନ’ରେ ରହିବାର ସୁବିଧା ସହ ସମ୍ମିଳନୀ କକ୍ଷ, କୋରାପୁଟ କଫି କାଫେ ଏବଂ ଆଦିଶାର ଦ୍ଵିତୀୟ ଆଉଟଲେଟ୍ ମଧ୍ୟ ରହିବ। ଏହାସହ ଏଠାରେ ସ୍ୱାସ୍ଥ୍ୟ ସେବା ସୁବିଧା, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ସୂଚନା ଓ ସହାୟତା ମିଳିପାରିବ।

‘ଆଦିବାସୀ ଭବନ’ର ଶିଳାନ୍ୟାସ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Tags: #AdivasiBhawan #TribalPeople #TribalCulture #CMNaveenPatnaik #SCSTDevM&BWelfareDept #SCSTRTI #Odisha

LEAVE A REPLY

Please enter your comment!
Please enter your name here