ଓଡ଼ିଶାଲାଇଭ୍ ବ୍ୟୁରୋ

କାଳବୈଶାଖୀ ପ୍ରଭାବରେ ପବନର ବେଗ ବଢ଼ିବାରୁ ଭୁବନେଶ୍ଵରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଫଳରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଝାରସୁଗୁଡ଼ା ଅଭିମୁଖେ ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ଥିଲେ। ପାଗ ପରିବର୍ତ୍ତନ ହେବା ପରେ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଭୁବନେଶ୍ଵରରେ ପହଞ୍ଚିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗସ୍ତରେ ଯାଇଥିଲେ। ରିଷିଗାଁ କ୍ରିଷ୍ଣାନଗର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ।

ଏହା ପରେ ସେ ଭବାନୀପାଟଣାରୁ ବାହାରି ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ଉତ୍କେଲା ଏଆରଷ୍ଟ୍ରିପରୁ ଭୁବନେଶ୍ୱର ଅଭିମୁଖେ ହେଲିକପ୍ଟର ଯୋଗେ ଫେରୁଥିଲେ।

ତେବେ କାଳବୈଶାଖୀ ପ୍ରଭାବରେ ପବନର ବେଗ ବଢ଼ିଯିବାରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ଟର ଅବତରଣ କରିପାରି ନଥିଲା। ଫଳରେ ତାଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ଅଭିମୁଖେ ନିଆଯାଇଥିଲା। ଝାରସୁଗୁଡ଼ାଠାରେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ପାଗରେ ପରିବର୍ତ୍ତନ ଆସିବା ପରେ ଭୁବନେଶ୍ଵର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି କାଳବୈଶାଖୀ ପ୍ରଭାବରେ ଭୁବନେଶ୍ଵରର ଏୟାରପୋର୍ଟ ଅଞ୍ଚଳରେ ଦିନ ୩ଟା ୩୧ରୁ ୩ଟା ୩୪ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୮୦ କିଲୋମିଟର ରେକର୍ଡ କରାଯାଇଛି।

Tags: #CMNaveenPatnaik #HelicopterLandingProblem #Bhubaneswar #Odisha #BadWeather

LEAVE A REPLY

Please enter your comment!
Please enter your name here