ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ ଅନ୍ତର୍ଗତ ୫ଟି ଜିଲ୍ଲାର ଆଉ ୩୨୮ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଭିଡିଓ କନଫରେନ୍ସ ଜରିଆରେ ଏହି ହାଇସ୍କୁଲଗୁଡ଼ିକୁ ଲୋକାର୍ପିତ କରିଛନ୍ତି। ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିନରେ ଏହି ବିଦ୍ୟାଳୟଗୁଡ଼ିକ ଲୋକାର୍ପିତ ହୋଇଛି।

ବୁଧବାର ଦିନ ଲୋକାର୍ପିତ ହୋଇଥିବା ହାଇସ୍କୁଲ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ୧୦୦ଟି, ସମ୍ବଲପୁର ଜିଲ୍ଲାର ୬୧ଟି, ପୁରୀ ଜିଲ୍ଲାର ୫୩ଟି, କେନ୍ଦ୍ରାପଡା ଜିଲ୍ଲାର ୫୬ଟି ଏବଂ କୋରାପୁଟ ଜିଲ୍ଲାର ୫୮ଟି ହାଇସ୍କୁଲ ରହିଛି। ଏହାକୁ ମିଶାଇ ଦୁଇଦିନରେ ରାଜ୍ୟରେ ୬୮୫ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି।

“ଆମେ ସମସ୍ତେ ସମୟର ଗୁରୁତ୍ଵ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ଆମକୁ ସମୟର ସଦୁପଯୋଗ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ନିଜ ଜୀବନରେ ୫-ଟିର ସିଦ୍ଧାନ୍ତକୁ ଅପଣେଇଲେ ସେମାନଙ୍କୁ ନିଶ୍ଚୟ ସଫଳତା ମିଳିବ। ଆମେ ଓଡ଼ିଶାର ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବାର ଯେଉଁ ଲକ୍ଷ୍ୟ ରଖିଛୁ, ସେଥିରେ ସଫଳ ହେବୁ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ସେମାନଙ୍କ ସ୍ଵପ୍ନ ପୂରଣ କରିବାରେ ଓଡ଼ିଶାର ଏହି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ ବହୁଳ ଭାବେ ସହାୟତା କରିବ ବୋଲି ସେମାନେ କହିଥିଲେ। ଏହାଛଡ଼ା କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଏହି ଅଭିଯାନ ସମ୍ବନ୍ଧୀୟ ସେମାନଙ୍କ ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଥିଲେ।

ଓଡ଼ିଶା ସରକାର ୫-ଟି ହାଇସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ୨୧୫୧ଟି ହାଇସ୍କୁଲର ରୂପାନ୍ତରିକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଏହି ଅଭିଯାନର ୨ଟି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ରାଜ୍ୟ ସରକାର ୩ଟି ପର୍ଯ୍ୟାୟରେ ସମୁଦାୟ ୬,୧୩୨ଟି ସ୍କୁଲର ରୂପାନ୍ତରିକରଣ କରିବାକୁ ଯୋଜନା ରଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜଳସଂପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ୫-ଟି ସଚିବ ଭି କେ ପଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ ଓ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Tags: #HighSchoolTransformation #5-t #HighSchools #Inauguration #CmNaveenPatnaik

 

Comment