ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତା’ ସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ୍ ଟାଲେଣ୍ଟର ବିକାଶ ପାଇଁ ସୁଯୋଗ ଆଣିଛି। ସେମାନଙ୍କ ବ୍ୟକ୍ତିତ୍ଵକୁ ମଧ୍ୟ ବିକଶିତ କରିବାରେ ବିଶେଷ ସହାୟକ ହୋଇଛି ବୋଲି ଛାତ୍ରଛାତ୍ରୀମାନେ ମତ ଦେଇଛନ୍ତି।

ଦ୍ଵିତୀୟ ପର୍ଯ୍ୟାୟର ଦ୍ଵିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରି ପିଲାମାନଙ୍କ ସହିତ କଥା ହେବା ସମୟରେ ପିଲାଙ୍କ ଆନନ୍ଦ ଉତ୍ସାହ ଓ ମନୋଭାବରୁ ଏହା ସ୍ପଷ୍ଟ ଜଣାଯାଇଛି। ସମସ୍ତେ ସ୍କୁଲର ରୂପାନ୍ତରରେ ଖୁସି ହେବା ସହିତ ନିଜ ନିଜର ଭବିଷ୍ୟତକୁ ନେଇ ଅଧିକ ଆତ୍ମବିଶ୍ଵାସର ସହ ନିଜର ଭାବନାକୁ ପ୍ରକାଶ କରିଛନ୍ତି।

ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ, ଗଞ୍ଜାମର ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହଁର, ନବରଙ୍ଗପୁରରୁ ବରଂଗପୁରରୁ ଜୁଇସ ସୁନା ଓ ଅନୁଗୁଳରୁ ବିଷ୍ଣୁ ପ୍ରସାଦ ଚଇନି ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇ ସ୍କୁଲ ରୂପାନ୍ତର ସମ୍ପର୍କରେ ନିଜର ଅନୁଭବ ବର୍ଣ୍ଣନା କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୩ ତାରିଖରେ ୫ଟି ଜିଲ୍ଲାର ୫୩୧ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲାର ୧୦୫ଟି ହାଇସ୍କୁଲ, ଗଞ୍ଜାମର ୨୩୦ଟି, କନ୍ଧମାଳର ୭୩ଟି, ନବରଙ୍ଗପୁରର ୭୩ଟି ଓ ଅନୁଗୁଳ ଜିଲ୍ଲାର ୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟରେ ସମୁଦାୟ ୨,୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି।

ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତା’ ସହିତ ପିଲାମାନଙ୍କ ମନ ଓ ମାନସିକତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ସେମାନଙ୍କ ବ୍ୟକ୍ତିତ୍ଵକୁ ମଧ୍ୟ ବିକଶିତ କରୁଛି। ଏହି ଅବସରରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ପ୍ରତ୍ୟେକ ପିଲା ସ୍ଵତନ୍ତ୍ର ଏବଂ ତା’ ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ଵପ୍ନ। ଜୀବନରେ କିଛି ବଡ଼ କରିବାର ଇଚ୍ଛା। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ଵପ୍ନରେ ଡେଣା ଯୋଡ଼ିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ପିଲାମାନଙ୍କ ସ୍ଵପ୍ନ ସାକାର ହେଲେ, ନୂତନ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ।

ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଜୀବନର ଏ ଗୁରୁତ୍ଵପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କରି  ନିଜ ପାଇଁ, ନିଜ ପରିବାର ପାଇଁ ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଥିଲେ। ସ୍କୁଲର ନୂଆ ରୂପ ପିଲାମାନଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି। ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ପିଲାମାନଙ୍କୁ ୫-ଟି ମହତ୍ଵ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ, ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପରେନ୍ସି ବା ସ୍ଵଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର। ଟେକ୍ନୋଲୋଜି ଦ୍ଵାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା। ସେହିପରି ଟିମଓ୍ଵାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି  ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି ।

ସେହିପରି ଟାଇମ ବା ସମୟକୁ ଗୁରୁତ୍ଵ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି। ସେହିପରି ଟ୍ରାନ୍ସପରେନ୍ସି ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି। ଏହି ସ୍ଵଚ୍ଛତା ୫-ଟି କାର୍ଯ୍ୟକ୍ରମର ବଡ଼ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ ମିଶି ରୂପାନ୍ତର ଆସିଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରିନସିପାଲ ସେକ୍ରେଟାରୀ ଏସି/ଏସଟି ଡେଭେଲପମେଣ୍ଟ ରଞ୍ଜନା ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #CMNaveenPatnaik #HighSchoolTransformation #HighSchools

Comment