ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଓ ଓଡ଼ିଶା (୨୦)

ଶୂନ୍ୟର ପରିକଳ୍ପନା ମନୁଷ୍ୟ ସଭ୍ୟତାରେ ଗୋଟିଏ ବଡ ଟାଣୁଆ ପଦକ୍ଷେପ। ବସ୍ତୁର ଅନୁପସ୍ଥିତି ହେଲା ଶୂନ୍ୟ। ଦର୍ଶନଶାସ୍ତ୍ରରେ ଅନୁପସ୍ଥିତିକୁ “ଅଭାବ” ବୋଲି କୁହାଯାଇଅଛି। “ଅଭାବ”ର ଅର୍ଥ ହେଲା ଯାହାର କୌଣସି ଚିହ୍ନ ବା ବର୍ଣ୍ଣ ନାହିଁ। କୌଣସି ପଦାର୍ଥର ସମ୍ପୂର୍ଣ୍ଣ କ୍ଷୟ ହେବା “ଅଭାବ”ର ଲକ୍ଷଣ। କିଛି ଚିହ୍ନ ଥିଲେ ଭାବୋତ୍ପତ୍ତି ସମ୍ଭବ, କିନ୍ତୁ କିଛି ଚିହ୍ନ ନ ଥିଲେ ଭାବର ନିଶ୍ଚିହ୍ନତା “ସମାଧି”ରେ ପରିଣତ ହୁଏ।

ଆପଣା ଜୀବନ ନିର୍ବାହରେ ଆପଣାକୁ ଶୂନ୍ୟରେ ପରିଣତ କରିବା “ସମାଧି”ର ଲକ୍ଷଣ।  ଏହାର ଅନ୍ୟ ଲକ୍ଷଣ ହେଲ ଅନାସକ୍ତି ଓ ବୈରାଗ୍ୟ। ସଂସାରର ସମସ୍ତ କାର୍ଯ୍ୟ ସମ୍ବନ୍ଧରୁ ସୃଷ୍ଟି। ଅପର ପକ୍ଷେ ସମ୍ବନ୍ଧରୁ ମନୁଷ୍ୟର ଆପଣାର ସ୍ଵାଧୀନତାରେ ବନ୍ଧନର ପ୍ରବେଶ। ଏ ବନ୍ଧନ ହିଁ ଦୁଃଖର କାରଣ।  ତେଣୁ ସଂସାରର ଦୁଃଖରୁ ମୁକ୍ତି ନିମନ୍ତେ ବନ୍ଧନରୁ ମୁକ୍ତ ହେବାକୁ ହେବ। ସଂସାରରେ ରହି ଆପଣକୁ ଶୂନ୍ୟ ମନୋଭାବରେ ଗଢିବାକୁ ହେବ। ଏହାର ଅର୍ଥ ହେଲା ମନୁଷ୍ୟର ସ୍ଵରୂପର କୌଣସି ଚିହ୍ନ ନାହିଁ, ଆତ୍ମା ନିରାକର। ଆପଣାର ଆତ୍ମାକୁ ପ୍ରତ୍ୟୟ କରିବା ମନୁଷ୍ୟ ଜୀବନର ଲକ୍ଷ୍ୟ – ଏହା ହିଁ ମୁକ୍ତି ଓ ମୋକ୍ଷ।

ଆଗରୁ ଅମେ ଜୈନ ଧର୍ମ ଓ ଶ୍ରମଣ ପରମ୍ପରା କଥା ଆଲୋଚନା କରିଥାଇଁ। ଜୀବନର ଦୁଃଖ ଓ ୟନ୍ତ୍ରଣା କର୍ମର କାରଣ। କର୍ମର ସୃଷ୍ଟି ଇନ୍ଦ୍ରିୟରୁ। ଇନ୍ଦ୍ରିୟର ପ୍ରଭାବରେ ମନରେ ବାସନା ଜନ୍ମେ ଏବଂ ବାସନା ଫଳରେ ମଣିଷ ଭିତରେ ଲୋଭ, କ୍ରୋଧ ଓ ଈର୍ଷା ଉପୁଜେ।  ଏହା ଫଳରେ ମଣିଷ ଦୁଃଖ ଭୋଗ କରେ। ଏ’ ତତ୍ତ୍ଵ ବହୁ ପରେ ଲିପିବଦ୍ଧ ହୋଇଥିଲେହେଁ ଏହାର ମୂଳଦୁଆ ବହୁ ଆଗରୁ ଆମର ପୁରୁଣା ମାଟିରେ ଅଛି।

ଏ ପ୍ରକାର ଦର୍ଶନରେ ଜୀବନକୁ କାମନାଶୂନ୍ୟ କରିବା ହେଲା ମଣିଷର ମୁକ୍ତିର ଲକ୍ଷ୍ୟ। ତେବେ ସମ୍ପୁର୍ଣ୍ଣ କାମନାଶୂନ୍ୟ ହେଲେ ବଞ୍ଚି ରହିବା ମଧ୍ୟ ଦୁଷ୍କର। ମଣିଷର ନିଃଶ୍ୱାସ ପ୍ରଶ୍ୱାସ, ଖାଦ୍ୟ ଓ ରହଣି କାମନା ମାଧ୍ୟମରେ ହିଁ ପରିଚାଳିତ ହେଉଛି। ତେଣୁ ଦେଶର ପୁରୁଣା ଭାବୁକମାନେ ଶୂନ୍ୟ ଦର୍ଶନ ସାଂଗରେ ବ୍ରହ୍ମଦର୍ଶନକୁ ଯୋଖିଲେ। କର୍ମ ଉପରେ ମଣିଷର ଗୋଟିଏ ନିୟନ୍ତା ଅଛି, ସେ ନିୟନ୍ତା ହେଲା ବ୍ରହ୍ମ। ବ୍ରହ୍ମ ସର୍ବତ୍ର ବ୍ୟାପୀ କରି ଅଛି ଏବଂ ସବୁ କଥାକୁ ଦେଖୁଛି। ବ୍ରହ୍ମ ମଣିଷର ଜୀବନକୁ ନିୟନ୍ତ୍ରଣ କରୁଛି।

ବ୍ରହ୍ମ ଦର୍ଶନର ମର୍ମ ହେଲା ବ୍ରହ୍ମ ଉପଲବ୍ଧି ହିଁ ଜୀବନର ମୁକ୍ତି। ଜଗତର ଗୋଟିଏ ନିୟନ୍ତା ଅଛି ଏବଂ ସେ’ ଜଗତ କୁ ଚଳାଉଛି –  ଏହା ହେଲା ଗୋଟିଏ ବିଶ୍ୱାସ। “ଆମେ ଏ’ ନିୟନ୍ତା କୁ ଦେଖିପାରିବା ନାହିଁ, ତାର ଅବସ୍ଥିତି କୁ କେବଳ ହୃଦୟଙ୍ଗମ କରିପାରିବା।” ସୃଷ୍ଟିର କାର୍ଯ୍ୟ କରଣି ତୁଳନାରେ ମଣିଷର ଜୀବନ ଅଳୀକ। ତେଣୁ ମଣିଷର ଜୀବନର ପରିଣାମ ସମ୍ପୁର୍ଣ୍ଣ ଭାବରେ ଆପଣା ଆୟତ୍ତ ବୋଲି ଭାବିବା  ଠିକ୍ ନୁହେଁ। ସମଗ୍ର ସୃଷ୍ଟିର ପ୍ରଭାବରେ ମଣିଷର ଜୀବନ ନିୟନ୍ତ୍ରିତ ହେଉଅଛି। ମନୁଷ୍ୟର ଦୁଃଖ ବା ସୁଖ ବ୍ୟକ୍ତିଗତ ନୁହେଁ, ଏଥିରେ ସମଷ୍ଟିର ପ୍ରଭାବ ଜଡ଼ିତ।

ବ୍ରହ୍ମ ଶୂନ୍ୟ ନୁହେଁ, ବ୍ରହ୍ମର ଅସ୍ତିତ୍ତ୍ଵ ଅଛି। ସଂସାରର ସବୁ କାର୍ଯ୍ୟ ବ୍ରହ୍ମ ଦ୍ଵାରା ପରିଚାଳିତ ହେଉଛି। ମଣିଷ ଜୀବନର ସମସ୍ତ ଉପଲବ୍ଧି ବ୍ରହ୍ମର ଅଧୀନ। ବ୍ରହ୍ମ ନିରାକାର ଓ ସର୍ବବ୍ୟାପୀ।ବ୍ରହ୍ମର ଇଚ୍ଛା ଅଛି, ସେ ଇଚ୍ଛାରେ ଜଗତ ଚାଲୁଛି। ବର୍ଷା, ମରୁଡି, ରୋଗ, ସ୍ଵାସ୍ଥ୍ୟ, ଯୁଦ୍ଧ ଓ କ୍ଷୟ -ଏ ସମସ୍ତ ବ୍ରହ୍ମର ବିଭିନ୍ନ କରଣି। ଏ’ ସବୁ କରଣିର କାରଣ ଅମେ ଜାଣି ନାହୁଁ, କିନ୍ତୁ ବ୍ରହ୍ମ ଜାଣେ ଏବଂ କରାଏ।  ବ୍ରହ୍ମ ର ସମସ୍ତ କାର୍ଯ୍ୟ ଜଗତର ହିତ ପାଇଁ। ମଣିଷ ଆଖିରେ ଯାହା ଦୁଃଖ, ତା’ ମଧ୍ୟ ବ୍ରହ୍ମପ୍ରସାଦ !

ଏହି ନିରାକାର ବ୍ରହ୍ମ ଦର୍ଶନକୁ ବେଦାନ୍ତ ଦର୍ଶନ ବୋଲି ନାମକରଣ କରାଗଲା। ଏହାର ଉତ୍ପତ୍ତି ଓ ପ୍ରସାରର ଉତ୍ତମ ଗବେଷଣା ହୋଇନାହିଁ। ବେଦର ସବୁ ଦେବ ଦେବୀ ଗୋଟିଏ ଉତ୍ସର ବିଭିନ୍ନ ରୁପ ବୋଲି ଏ ଦର୍ଶନର ମତ ହେଲା। ଏହା କିନ୍ତୁ ଏଠାର କୃଷିପ୍ରଧାନ ଦେଶରେ ଗ୍ରହଣୀୟ ହେଲା ନହିଁ। ବହୁ ଦିନର ତର୍କ ଓ ଆଲୋଚନା ପରେ ଆମର ଏଠାର ପୁରୁଣା ଅଧିବାସୀମାନେ “ଶୂନ୍ୟବ୍ରହ୍ମ” ନାମରେ ଏକ ଦର୍ଶନର ଅୟମାରମ୍ଭ କଲେ।

ଶୂନ୍ୟ ବ୍ରହ୍ମର ଅର୍ଥ ହେଲା ଆମେ ଯାହାକୁ ଆଗରୁ ଶୂନ୍ୟ ବୋଲି ବିଚାର କରିଥାଇଁ, ସେ’ ହିଁ ବ୍ରହ୍ମ। କିନ୍ତୁ ନିରାକାର ବ୍ରହ୍ମ ଓ ଶୂନ୍ୟ ବ୍ରହ୍ମ ଭିତରେ ପ୍ରଭେଦ ଅଛି। ନିରାକାର ବ୍ରହ୍ମକୁ କଳ୍ପନା କରାଯାଇ ପାରେ ନାହିଁ। ତା’ ମଣିଷର ଗୋଚରରେ ନାହିଁ, କେବଳ ହୃଦୟଙ୍ଗମ କରାଯାଇପାରେ। କିନ୍ତୁ ଶୁନ୍ୟ ବ୍ରହ୍ମ ହେଲା ଶୂନ୍ୟର ରୂପ। ସମାଧିଗତ ଜ୍ଞାନରୁ ବ୍ରହ୍ମ ଦର୍ଶନ ହୋଇପାରେ ବୋଲି ଶାସ୍ତ୍ର ମତ ହେଲା। ତେଣୁ ଯାହା ରୂପ ବା ଆକୃତି ଉଭା ହେଲା, ତାକୁ ଶୂନ୍ୟ ବ୍ରହ୍ମର ରୂପ ବୋଲି କୁହାଗଲା। ଏ’ ପ୍ରକାର ପ୍ରସଙ୍ଗରେ ପରିମାର୍ଜନା ମଧ୍ୟ ଥାଇପାରେ, କିନ୍ତୁ ଗବେଷଣା ହୋଇନାହିଁ।

ଶୂନ୍ୟ ଓ ବ୍ରହ୍ମକୁ ଗୋଟିଏ କରି ବୋଧ କରିବା ନୂତନ ଓଡ଼ିଆ ଦର୍ଶନର ପ୍ରାଥମିକ ପାହାଚ। ମନୁଷ୍ୟ ଜୀବନର ଅନ୍ତିମ ଲକ୍ଷ୍ୟ ହେଲା ମୋକ୍ଷ ଏବଂ ମୋକ୍ଷର ମାପ ହେଲା ଶୂନ୍ୟ। ମୋକ୍ଷ ମନୁଷ୍ୟର କର୍ମ ଉପରେ ନିର୍ଭର କରେ। ମନୁଷ୍ୟ ସଂସାରରେ କର୍ମ ଫଳ ଭୋଗ କରେ। କର୍ମ ଫଳରେ ଅନେକ ଥର ଜନ୍ମ ହୁଏ ଏବଂ କାମନା ଶୂନ୍ୟ ହେବା ପରେ ମୋକ୍ଷ ପ୍ରାପ୍ତି ହୁଏ।

କାମନା ଶୂନ୍ୟ ହେବା ଲାଗି ଆମକୁ ଆଗ କାମନା ପ୍ରାପ୍ତ ହେବା ଆବଶ୍ୟକ। ବ୍ରହ୍ମ ମନୁଷ୍ୟର କାମନା ପ୍ରାପ୍ତିରେ ସହାୟକ ହୋଇପାରେ, କିନ୍ତୁ ମନୁଷ୍ୟ ଆପଣାର କାମନାକୁ ବ୍ରହ୍ମର କାମନା ସାଙ୍ଗରେ ମିଳାଇବା ଆବଶ୍ୟକ। ଏହା ହେଲା ଜ୍ଞାନ। ବ୍ରହ୍ମ ଅଛି ଏବଂ ସେ ଆମର ସହାୟ ହୋଇ ପାରେ, କିନ୍ତୁ ଆମକୁ ବୋଧ କରିବାକୁ ହେବ। ଆମର କାମନାକୁ ବ୍ରହ୍ମ ଉପରେ ଲଦି ନ ଦେଇ ଆମକୁ ଆମର କାମନାକୁ ଶୃଙ୍ଖଳିତ କରିବାକୁ ହେବ। ଏହି ଶୃଙ୍ଖଳା ଜ୍ଞାନରୁ “ଯୋଗ”ର ଜନ୍ମ।

Comment