ବିଜୟମୋହନମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଆ ଓ ଓଡ଼ିଶା (୨୯)

ବର୍ଣ୍ଣ ହେଲା ମଣିଷର ଭାବପ୍ରକାଶର ଅନ୍ତର୍ନିହିତ ଉପାଦନ। ଏ ଉପାଦାନ ଅସଂଖ୍ୟ ହୋଇପାରେ କିନ୍ତୁ ଧ୍ଵନିର ଅନୁଭୂତିରୁ ବୈୟାକରଣିକମାନେ ଏମାନଙ୍କୁ ଚଉଷଠିଟି ମୌଳିକ ଭାଗରେ ବିଭକ୍ତ କରିଛନ୍ତି। ଏ’ ପ୍ରତ୍ୟେକଙ୍କର ଉତ୍ପତ୍ତି ସ୍ଥାନ ଅଲଗା ଏବଂ ଏମାନଙ୍କର ଧ୍ଵନି ମଧ୍ୟ ଅଲଗା। ସାଧାରଣତଃ ଉତ୍ପତ୍ତିସ୍ଥାନର ଅନୁଭୂତି ଆମକୁ ସହଜରେ ହୃଦୟଙ୍ଗମ ହୁଏ ନାହିଁ, କିନ୍ତୁ ପରିଷ୍କାର ଧ୍ଵନି ଉଚ୍ଚାରଣ ଲାଗି ଆମେ ପ୍ରଚେଷ୍ଟା କରିପାରୁ।

ସ୍ଵର ଗୋଟିଏ ବ୍ୟାପକ ଶବ୍ଦ – ଆମର କଥା ଯେଉଁ ପ୍ରକାରେ ଅନ୍ୟକୁ ଶୁଣାଯାଏ, ତାକୁ ଚଳିତ ଭାଷାରେ ଆମର “ସ୍ଵର” ବୋଲି କୁହାଯାଏ। ଏ’ ଦୃଷ୍ଟିରୁ ସ୍ଵର ହେଉଛି ଆମର ସମସ୍ତ ଭାବର ଏକ ଯୌଗିକ ପ୍ରକାଶ। ଆମର ସ୍ଵରର ଶୃତି ପ୍ରକୃତି ଉପରେ ଆମର ଆୟତ୍ତ ନାହିଁ, କିନ୍ତୁ ଆମେ ଅଭ୍ୟାସ ବଳରେ ସ୍ଵରକୁ ସୂକ୍ଷ୍ମ ଓ ଶୁଦ୍ଧ କରିପାରୁ। ଏହାଫଳରେ ଆମର ସ୍ଵରତନ୍ତ୍ରୀ ନିୟନ୍ତ୍ରିତ ହୁଏ। ଏ’ ଅଭ୍ୟାସ କଠିନ। ପ୍ରତ୍ୟେକ ମଣିଷର ସ୍ଵର ତା’ର ପ୍ରକୃତିର ସଂକେତ।

ତେବେ ମଣିଷର ସ୍ଵରକୁ ଅନୁସନ୍ଧାନ କଲେ ଆମେ ସ୍ଵରର ଉତ୍ପତ୍ତି ସ୍ଥାନ ନିର୍ଦ୍ଧାରଣ କରିପାରୁ। ଏ’ଅନୁସନ୍ଧାନରୁ ଏହା ଜଣାପଡେ ଯେ ମନୁଷ୍ୟର ଶରୀର ଭିତରେ ଭାବପ୍ରକାଶ ଯୋଗୁଁ ବର୍ଣ୍ଣର ଉତ୍ପତ୍ତି ହେଉଥିଲେ ହେଁ ବର୍ଣ୍ଣର ଧ୍ଵନିସ୍ଵର ମାଧ୍ୟମରେ ହିଁ ପ୍ରକାଶିତ ହୁଏ। ଶରୀର ଭିତରୁ ନିଃଶ୍ଵାସଗତ ପବନ ଭାବ ବହନକରି କଣ୍ଠରେ ପହଞ୍ଚେ ଏବଂ ତା’ପରେ କଣ୍ଠ, ଜିଭ, ତାଳୁ, ମୂର୍ଦ୍ଧା, ଓଠ ଓ ଦାନ୍ତ ସହ ଆଘାତରେ ବିଭିନ୍ନ ସ୍ଵର ଉତ୍ପନ୍ନ ହୁଏ।

ପବନକୁ ସିଧାକଣ୍ଠରୁ ଅନ୍ୟ କିଛି ବାଧା ନଦେଇ ନିଷ୍କାସନକଲେ ‘ଅ’ ଉଚ୍ଚାରଣ ହୁଏ। କଣ୍ଠରେ ଥିବା ସ୍ଵର ତାର ଯନ୍ତ୍ର ଏହା ନିମିତ୍ତ ବ୍ୟବହାର ହୁଏ ନାହିଁ, କଣ୍ଠକୁ କେବଳ ପବନ ନିଷ୍କାସନ ଲାଗି ବ୍ୟବହାର କରାଯାଏ। ‘ଅ’ ହେଲା ଆମର ପ୍ରାଣର ପ୍ରଥମ ସଂଜ୍ଞା। ଏଥିରେ କୌଣସି ଭାବ ନାହିଁ। ସବୁ ଜୀବର ପ୍ରଥମସ୍ଵର ‘ଅ’। ଜୀବର ମୁହଁ ନଥିଲେ ‘ଅ’ ପ୍ରକାଶିତ ହୁଏ ନାହିଁ , କିନ୍ତୁ ଉଚ୍ଚାରିତ ହୁଏ। ଏ’ ଦୃଷ୍ଟିରୁ ‘ଅ’ ହେଉଛି ମଣିଷ ଭିତରେ ଜୀବନର ସଂକେତ।

ପବନର ପ୍ରବାହକୁ ଜିଭ ଦ୍ଵାରା ନିୟନ୍ତ୍ରଣ କରି ପବନକୁ ତାଳୁରେ ଆଘାତ କରାଇ ଉଚ୍ଚାରଣ କଲେ‘ ଇ’ ଧ୍ଵନି ପ୍ରକାଶିତ ହୁଏ। ତେଣୁ ‘ଇ’ ଉଚ୍ଚାରଣ ଲାଗି ଜିଭର ବ୍ୟବହାର ଆବଶ୍ୟକ। ଜିଭ ନଥିଲେ ଆମେ ‘ଇ’ ଉଚ୍ଚାରଣ କରିପାରିବା ନାହିଁ। ତାଳୁର ଉଚ୍ଚତା ନେଇ ପୁଣି ପବନର ଧ୍ଵନିରେ ପ୍ରଭେଦ ଆସିପାରେ। ସମସ୍ତଙ୍କର ‘ଇ’ ଧ୍ଵନି ସମାନ ନୁହେଁ। ‘ଇ’ ହେଲା ସ୍ଵର ପ୍ରକାଶର ପ୍ରଥମ ବିକୃତି। ଅନେକ ଜନ୍ତୁଙ୍କର ‘ଇ’ ଉଚ୍ଚାରଣ ନାହିଁ। ମଣିଷର ଆବର୍ତ୍ତନ ଇତିହାସରେ ମାଙ୍କଡରୁ ମଣିଷ ହେବାରେ ‘ଇ’ ଉଚ୍ଚାରଣର ସଂକେତ ଅଛି। ଏ ’ସଂକେତ କଣ୍ଠ ଭିତରେ ଜିଭର ସ୍ଥାନ ନିର୍ଦ୍ଦେଶରୁ ନିର୍ଦ୍ଧାରିତ ହୋଇଛି ବୋଲି ବୈଜ୍ଞାନିକମାନଙ୍କର ମତ।ତାଳୁର ଉପର ଭାଗରେ ମୁହଁର ମସ୍ତିଷ୍କ ସହ ସଂପର୍କର ଅଞ୍ଚଳକୁ ମୂର୍ଦ୍ଧା କୁହାଯାଏ। ତାଳୁ ପରି ଏହା କଠିନ ନୁହେଁ, ଏହା ମାଂସଳ ଓ ମସୃଣ। ମୂର୍ଦ୍ଧାରେ ମନୁଷ୍ୟର ଚେତନା ଶକ୍ତି ନିହିତ ବୋଲି ବୈଜ୍ଞାନିକ ନିର୍ଦ୍ଧାରଣ ଅଛି। ଏଠାରେ ପବନକୁ ଆଘାତ କରାଇ ଉଚ୍ଚାରଣ କଲେ ‘ଋ’ ସ୍ଵର ଉତ୍ପନ୍ନ ହୁଏ। ଏଠାକୁ ପବନ ବାଟ କଢାଇବାକୁ ନିଃଶ୍ଵାସ ପବନପ୍ରବାହକୁ ପ୍ରଥମେ ଜିଭକୁ ଉପରକୁ ଲେଉଟାଇ ଅଟକାଇବାକୁ ହୁଏ। ମୂର୍ଦ୍ଧାର କୋମଳ ମାଂସରେ ବାୟୁର ଆଘାତ ହୋଇ ‘ଋ’ ଉଚ୍ଚାରିତ ହୁଏ। ସଠିକ ଭାବରେ ‘ଋ’ ର ଉଚ୍ଚାରଣ ନିମିତ୍ତ ମନୁଷ୍ୟର ଜିଭ ଉପରେ ପୂର୍ଣ୍ଣ ଆୟତ୍ତ ଆବଶ୍ୟକ। ଶୁଦ୍ଧ ‘ଋ’ ଉଚ୍ଚାରଣ ଲାଗି ସାଧନା ଆବଶ୍ୟକ ହୋଇଥାଏ। ଶୁଦ୍ଧ ‘ଋ’ ଉଚ୍ଚାରଣରେ ଦୀର୍ଘାୟୁ ଲାଭ କରିବା ଯୋଗ ଶାସ୍ତ୍ରର ମତ। ଉତ୍ତମ ‘ଋ’ ଉଚ୍ଚାରଣ ମଣିଷର ଉତ୍ତମ ସ୍ଵାସ୍ଥ୍ୟର ଦ୍ୟୋତକ।

ତା’ପରେ ହେଲା ‘ଉ’।କଣ୍ଠରୁ ପବନ ନିଷ୍କାସନ କରି ଦୁଇ ଓଠର ସଂସ୍ପର୍ଶରେ ପ୍ରସାରଣକଲେ ‘ଉ’ ଉଚ୍ଚାରିତ ହୁଏ। ଏଥିନିମିତ୍ତ ଦୁଇ ଓଠକୁ ସଂପ୍ରସାରିତ ଓ ସଂକୁଚିତ କରିବାର ଶରୀରଗତ ଯୋଗ୍ୟତା ଆବଶ୍ୟକ। ଚଢେଇମାନଙ୍କର ଉଚ୍ଚାରଣରେ ‘ଉ’ ସ୍ଵର ପ୍ରଧାନ। ଭାବ ବର୍ଣ୍ଣନାରେ ‘ଉ’ ସ୍ଵରର ପ୍ରଚଳନ ଅଧିକ। ‘ଉ ’ସ୍ଵର ମଣିଷର ଅନ୍ତରର ସଂକେତ। ଓଠ ବନ୍ଦ କରି ମଧ୍ୟ ‘ଉ’ ସ୍ଵର ଉଚ୍ଚାରିତ ହୋଇପାରେ। ମଣିଷ ହୃଦୟର ସୁଖ, ପ୍ରେମ, ଆନନ୍ଦ, ଗ୍ଳାନି ଓ ବ୍ୟଥା ଏ ସ୍ଵରରେ ପ୍ରକାଶିତ ହୁଏ।

ସ୍ଵର ସଂପର୍କୀୟ ଉପରେ ହୋଇଥିବା ଆଲୋଚନାରୁ ଜଣାପଡିବ ଯେ, ସ୍ଵରର ଉତ୍ପତ୍ତି ମଣିଷର ମୁହଁର ଆକୃତି ଓ ମୁହଁର ଅଙ୍ଗମାନଙ୍କ ସହ ଜଡିତ। ସ୍ଵର ହେଲା ଭାବପ୍ରକାଶରେ ବର୍ଣ୍ଣନା ସୃଷ୍ଟି କରିବା। ଭାବ କ୍ଷଣିକ, ଭାବର ଅନୁଭୂତି ସ୍ଵରରୁ ଜଣାପଡେ। ଏହା ଭିତରେ ଆଉ ଗୋଟି ଏ ସ୍ଵର ଅଛି ‘ଲୃ’ ଯାହା ଏବେ ପ୍ରଚଳନରେ ନାହିଁ। ଜିଭକୁ ଦାନ୍ତ ସହ ସଂଯୋଗ କରି ନିଃଶ୍ଵାସ ବାୟୁକୁ ନିଷ୍କାସ ନକଲେ ଏ’ ସ୍ଵର ଉତ୍ପନ୍ନ ହୁଏ। ଏହା ସଂପୂର୍ଣ୍ଣ ମୁଖ ନିଃସୃତ ପକ୍ଷୀ କାକଳି। ଅନେକ ସମୟରେ ଏହାର ପ୍ରୟୋଗରେ ସଂଗୀତର ମୂର୍ଚ୍ଛନା ପ୍ରସ୍ତୁତ କରାଯାଇଥାଏ।

Comment