ଚିତ୍ତରଞ୍ଜନ ଦାସ

ଓଡ଼ିଶା ଗୋଟିଏ ଭୂମି ଓ ଓଡ଼ିଆ ହେଉଛି ଏକ ଜନଗୋଷ୍ଠୀର ନାମ। ପୃଥିବୀରେ ବାସ କରିଆସିଥିବା ଅନ୍ୟାନ୍ୟ ଜନଗୋଷ୍ଠୀ ପରି ଏହି ଜନଗୋଷ୍ଠୀର ମଧ୍ୟ ଏକ ସଂହତି ରହିଛି, ଏକ ନିୟତି ରହିଛି। ଏହି ସଂହତି ଏବଂ ନିୟତି କେବଳ ଭାବଗତ ନୁହେଁ, ତାହା ଆହ୍ୱାନଗତ।

ଓଡ଼ିଶା ଗୋଟିଏ ଭୂମି ଓ ଓଡ଼ିଆ ହେଉଛି ଏକ ଜନଗୋଷ୍ଠୀର ନାମ। ପୃଥିବୀରେ ବାସ କରିଆସିଥିବା ଯାବତୀୟ ଜନଗୋଷ୍ଠୀ ପରି ଏହି ଜନଗୋଷ୍ଠୀଟିର ମଧ୍ୟ ଏକ ସଂହତି ରହିଛି। ଏକ ନିୟତି ମଧ୍ୟ ରହିଛି। ଏହି ସଂହତି ଏବଂ ନିୟତି କେବଳ ଭାବଗତ ନୁହେଁ, ତାହା ଆହ୍ୱାନଗତ।

ଓଡ଼ିଆ ଏକ ଜନଗୋଷ୍ଠୀର ନାମ, ଏକ ଭାଷାର ମଧ୍ୟ ନାମ। ସେହି ଭାଷାର ଏକ ସାହିତ୍ୟ ରହିଛି, ଏକ ଐକ୍ୟବିଧାୟକ ଆବେଦନ ମଧ୍ୟ ରହିଛି। ଓଡ଼ିଶାରେ ଆମେ ଯେଉଁମାନେ ଓଡ଼ିଆ ଭାଷା କହୁ, କେବଳ ସେହିମାନଙ୍କୁ ହିଁ ଓଡ଼ିଆ ବୋଲି କୁହାଯିବ ନା ଅନ୍ୟ ଭାଷାଭାଷୀମାନଙ୍କ ସମେତ ଏହି ରାଜ୍ୟରେ ବାସ କରୁଥିବା ସମସ୍ତଙ୍କୁ ଓଡ଼ିଆ ବୋଲି କୁହାଯାଇପାରିବ?

ଘରେ ଓଡ଼ିଆ କହୁଥିବା ବହୁ ସଂଖ୍ୟାବିଶିଷ୍ଟ ଓଡ଼ିଆମାନଙ୍କୁ ଆପଣା ଭିତରେ ଏହି ପ୍ରଶ୍ନଟିର ଏକ ସମାଧାନ କରିବାକୁ ହିଁ ପଡ଼ିବ। ପୁରାତନ କାଳରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ କୌଣସି ସମୟରେ ହିଁ ଓଡ଼ିଶାଭୂମିରେ ସମସ୍ତେ କଦାପି ଓଡ଼ିଆ କହୁନଥିଲେ। ଓଡ଼ିଆ ପୂର୍ବରୁ ଏଠାରେ ଏକାଧିକ ଆଦିବାସୀ ଭାଷା ରହିଥିଲା, ଏବେ ମଧ୍ୟ ରହିଛି।

ଏହି ଭୂମିର ‘ଓଡ଼ିଶା’ ନାମଟି ଆଦୌ ସବୁଦିନର ନୁହେଁ। ଆହୁରି ଯଥାର୍ଥ ଭାବରେ କହିଲେ, ଷୋଡଶ-ସପ୍ତଦଶ ଶତାବ୍ଦୀ ବେଳକୁ ଯେତେବେଳେ ମୋଗଲମାନେ ବଙ୍ଗଳାକୁ ଆସି ବର୍ତ୍ତମାନ ଓଡ଼ିଶାର ଉପକୂଳ -ଅଞ୍ଚଳଟିକୁ ଅଧିକାର କଲେ, ସେତେବେଳେ ସେମାନେ ତାହାକୁ ଓଡ଼ିଶା ବୋଲି କହିଲେ।

ସେତେବେଳେ ସେହି ମୋଗଲବନ୍ଦୀ ଅଞ୍ଚଳ ବ୍ୟତୀତ ଓଡ଼ିଆ ଭାଷାଭାଷୀ ଗଡଜାତମାନେ ମଧ୍ୟ ରହିଥିଲେ। ମୋଗଲମାନଙ୍କ ପୂର୍ବରୁ କଳିଙ୍ଗ ଥିଲା, ଉତ୍ କଳିଙ୍ଗ ଥିଲା, କୋଶଳ ଏବଂ ତୋଷାଳି ମଧ୍ୟ ଥିଲା। ମାତ୍ର ଓଡ଼ିଶା ନଥିଲା। ଏମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିଲେ, ପରସ୍ପରର ଦିଅଁମାନଙ୍କୁ ସାନ ବୋଲି ଦେଖାଇ ନିଜ ଦିଅଁଙ୍କୁ ସେମାନଙ୍କଠାରୁ ଅଧିକ ମହିମାର ଓ ଅଧିକ ଗରିମାର ବୋଲି ଦେଖାଉଥିଲେ।

ତିନୋଟି ବା ତତୋଧିକ ଖଣ୍ଡ ରାଜ୍ୟକୁ ଏକାଠି କରି ଯେଉଁମାନେ ଏଠାରେ ନିଜକୁ ସକଳ-କଳିଙ୍ଗ-ଅଧିପତି ବୋଲି ଘୋଷଣା କରିଥିଲେ, ସେମାନେ ମୂଳତଃ ଓଡ଼ିଶାରେ ନଥିଲେ, ସେମାନେ ଦକ୍ଷିଣରୁ ଆସିଥିଲେ ଏବଂ ରାଜ୍ୟବିଜୟର କ୍ରମରେ ଏହି ଭୂମିଟିକୁ ଏକ ରାଜନୀତିକ ବିସ୍ତୃତତର ରୂପେ ଦେଇଥିଲେ।

ଆଗ କାଳରେ ରାଜ୍ୟ ରାଜ୍ୟ ମଧ୍ୟରେ ଯେଉଁସବୁ ଯୁଦ୍ଧ ହେଉଥିଲା, ଅଧିକତର ଯଥାର୍ଥତା ସହିତ ତାହାକୁ ଜାତି ଜାତି ମଧ୍ୟରେ ହୋଇଥିବା କୌଣସି ଯୁଦ୍ଧ ବୋଲି ନ କହି ରାଜବଂଶ ସହିତ ରାଜବଂଶର ଯୁଦ୍ଧ ବୋଲି କୁହାଯାଇପାରିବ।

ଓଡ଼ିଶାରେ ଜାତୀୟତାବାଦର ସଂକ୍ରମଣ ହେବା ପରେ ଯାଇ ଆମେ ଏଠି ମଧ୍ୟ ନିଜକୁ ଗୋଟିଏ ଜାତି ବୋଲି କହିବାକୁ ଏବଂ ଅନୁଭବ କରିବାକୁ ଆରମ୍ଭ କଲୁ। ଏହା ଉନବିଂଶ ଶତାବ୍ଦୀର ଶେଷ ଭାଗର କଥା। ସେହି ସଂକ୍ରମଣ ଓ ସେହି ପ୍ରେରଣାରୁ ତତ୍‌କାଳୀନ ଓଡ଼ିଶାରେ ଏକ ସ୍ୱତନ୍ତ୍ର କିସମର ନେତୃତ୍ୱ ମଧ୍ୟ ଆବିର୍ଭୂତ ହୋଇଥିଲା, ଯାହାର କି ପୂର୍ବତନ କୌଣସି ଯୁଗ ଓ ପର୍ଯ୍ୟାୟରେ ଏକ ସମାନ୍ତର ଦେଖିବାକୁ ମିଳିବ ନାହିଁ। ତା’ ପରେ ଏହି ଭୂମିର ସାହିତ୍ୟକୁ ଏକ ବିଶେଷ ବ୍ୟଞ୍ଜନା ଦେଇ ଓଡ଼ିଆ ସାହିତ୍ୟ ବୋଲି କୁହାଗଲା।

ଏକ ସମୂହ ଭାବରେ ଆପଣାର ଉନ୍ନତି ବିଧାନ ଲାଗି ଆମ ଆଗୁଆମାନ ସେତେବେଳେ ଯେଉଁ ଆନ୍ଦୋଳନ କରିଥିଲେ, ତାହାକୁ ଓଡ଼ିଆ ଆନ୍ଦୋଳନ ବୋଲି କୁହାଗଲା। ଏଠାରେ ସର୍ବପ୍ରଧାନ-ସମ୍ମିଳନୀ ବୋଲି ଅଭିହିତ ହେଲା।

ତଥାପି ସ୍ମରଣ ରଖିବାକୁ ହେବ ଯେ-ସେତେବେଳେ ଏହି ଯାବତୀୟ ସମ୍ମିଳନ, ଅଭିଯାନ ଓ ଆନ୍ଦୋଳନ ଯେଉଁମାନଙ୍କ ଦ୍ୱାରା ହୋଇଥିଲା ସେମାନେ ଓଡ଼ିଶାର ପ୍ରଧାନତଃ ଓଡ଼ିଆ ଭାଷାଭାଷୀମାନଙ୍କୁ ହିଁ ଆଗରେ ରଖି ଏହି ସବୁକିଛିରେ ଆଗ୍ରହୀ ହେଉଥିଲେ। ରାଜନୈତିକ ଓଡ଼ିଶା ଡିଭିଜନର ସୀମା ବାହାରେ ତତ୍‌କାଳୀନ ଅନ୍ୟାନ୍ୟ ପ୍ରଦେଶମାନଙ୍କରେ ଯେଉଁସବୁ ଓଡ଼ିଆ ଭାଷାଭାଷୀ ରହିଥିଲେ, ସେହି ସମସ୍ତଙ୍କୁ ଏକାଠି କରି ଓଡ଼ିଶା ବୋଲି ସ୍ୱତନ୍ତ୍ର ପ୍ରଦେଶଟିଏ ଲାଭ କରିବାର ବିଚାର ତଥା କାର୍ଯ୍ୟକ୍ରମ ସେତିକିବେଳେ ଆରମ୍ଭ ହୋଇଥିଲା।

ଉତ୍ସାହ ଓ ଉଦ୍ୟମଗୁଡ଼ିକ ସେତେବେଳେ ଏପରି ଏକାଗ୍ର ଏବଂ ଏକୋଦ୍ଦିଷ୍ଟ ହୋଇରହିଥିଲା ଯେ ଏହି ଭୂମିରେ ବାସ କରୁଥିବା ଅନ୍ୟ ଭାଷାଭାଷୀମାନଙ୍କ ବିଷୟରେ ଆମ ତତ୍କାଳିନ ନେତାମାନେ ହୁଏତ ଆଦୌ କୌଣସି ବିଚାର କରିନଥିଲେ। ତେଣୁ ସେହି ଅନ୍ୟ ଭାଷାଭାଷୀମାନେ ମୁଖ୍ୟ ସ୍ରୋତଟିର ବାହାରେ ବାହାରେ ରହିଥିଲେ।

ଏହି ଶତାବ୍ଦୀ ଆରମ୍ଭରୁ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ବିପୁଳତର ଢେଉଗୁଡ଼ିକ ମଧ୍ୟ ଆସି କ୍ରମେ ଏଠାରେ ସ୍ଥାନୀୟ ଉଦ୍ୟମଟିର ଜଳାଶୟର ବାଡଗୁଡ଼ିକରେ ଆଘାତ କରିବାକୁ ଲାଗିଲା। ସେଥିରୁ ଦ୍ୱନ୍ଦ୍ୱ ଉପୁଜିଥିଲା। ସ୍ଥାନୀୟ ଓ ଜାତୀୟ ମଧ୍ୟରେ ତଥାପି ଏକ ସଞ୍ଚାର ପଥ ନିରୂପଣ କରିବାକୁ ଯାଇ ଓଡ଼ିଶାରେ ନାନା କିସମର ନେତୃତ୍ୱ ଦୃଷ୍ଟିଗୋଚର ହୋଇଥିଲା।

ଉପସ୍ଥିତ ଆହ୍ୱାନଗୁଡ଼ିକର ଯିଏ ଯେଉଁ ସ୍ତରରେ ସମ୍ମୁଖୀନ ହୁଏ, ତାହାର ନେତୃତ୍ୱ ମଧ୍ୟ ସେହି ସ୍ତରର ମୂଲ୍ୟପରିଧି ଭିତରେ ସୀମାବଦ୍ଧ ହୋଇ ରହିଥାଏ। ସେତେବେଳେ ଭାରତୀୟତାକୁ କେତେକ ନେତୃତ୍ୱ ଉତ୍କଳୀୟତା ଉପରେ ଏକ ଆକ୍ରମଣ ବୋଲି ଅନୁଭବ କରିଥିଲେ। ତେଣୁ ସେମାନେ ଭାରତୀୟତାକୁ ଭୟ କଲେ; ଜାତି କହିଲେ ସେମାନେ ଓଡ଼ିଆ ଜାତି ବୋଲି ବୁଝିଲେ। ଓଡ଼ିଶାକୁ ଗୋଟିଏ ଦେଶ ବୋଲି କହିଲେ।

ବୃହତ୍ତର ପରିଧିଟି ଭିତରେ ପ୍ରବେଶ କଲେ ନିଜେ ଘରର ଚିହ୍ନା ପରିଧିଟି କାଳେ ସେହି ପ୍ରକ୍ରିୟାରେ ଗିଳିହୋଇପଡ଼ିବ, ସେଥିପାଇଁ ସେମାନେ ନିଜକୁ ଖାସ୍ ସେଇଟି ଭିତରେ ଜଳି ରଖିବାକୁ ହିଁ ଧ୍ରୁବ ବୋଲି ମଣୁଥିଲେ। ଅନ୍ୟ ନେତୃତ୍ୱଟି ସାନ ଘରଟିକୁ ଡେଇଁ ବୃହତ୍ତରଟି ମଧ୍ୟକୁ ଯିବା ପାଇଁ ଇଚ୍ଛା କରୁଥିଲା।

ସ୍ୱାଧୀନ ଭାରତର ଦୀର୍ଘ ଚାଳିଶି ବର୍ଷ ପରେ ମଧ୍ୟ ଓଡ଼ିଶାରେ ହୁଏତ ସେହି ଦ୍ୱନ୍ଦ୍ୱଟି ଅନେକ ବ୍ୟକ୍ତିଙ୍କୁ ଭାରି କାମୁଡ଼ି କରି ରହିଛି। ତଥାପି, ଓଡ଼ିଶାର ଦିଗ୍‌ବଳୟକୁ ନାନା ଭାବରେ ଅଧିକ ପ୍ରସାରିତ କରିବା ନିମନ୍ତେ ଅତୀତର ସେହି ଯୁଗରେ ଯେଉଁ ଦୁଇଜଣ ବ୍ୟକ୍ତି ମୁଖ୍ୟତଃ ଉଦ୍‌ବୋଧନ ଦେଇଥିଲେ ଓ କାର୍ଯ୍ୟ କରିଥିଲେ, ସେମାନେ ହେଉଛନ୍ତି ଶ୍ରୀଯୁକ୍ତ ପ୍ୟାରିମୋହନ ଆଚାର୍ଯ୍ୟ ଓ ଶ୍ରୀଯୁକ୍ତ ଗୋପବନ୍ଧୁ ଦାଶ।

ସେହି ଦୁଇ ବ୍ୟକ୍ତିଙ୍କର ସମକାଳୀନ ସଂଘର୍ଷଗୁଡ଼ିକର ପରିପ୍ରେକ୍ଷୀରେ ଅଧିକ ଆଲୋଚନା କରାଯାଇ ପାରିଲେ ଆମେ ଆମର ଏହି କାଳଟିର ଦ୍ୱନ୍ଦ୍ୱ ତଥା ପ୍ରତିଶ୍ରୁତିଗୁଡ଼ିକୁ ଅଧିକ ସ୍ପଷ୍ଟ ଭାବରେ ବୁଝିବାକୁ ସମର୍ଥ ହୋଇପାରିବା।

ସବାଆଗ ଓଡ଼ିଶାର ମଣିଷଙ୍କୁ ନେଇ ଓଡ଼ିଶା। ଅକାରଣରେ ଭାବବିହ୍ୱଳ ହୋଇ ପଡ଼ିବାକୁ ଆଦୌ ମନ ନ କରୁଥିବା ଯେକୌଣସି ବ୍ୟକ୍ତି ଏକଥା ଅତି ସହଜରେ ସ୍ୱୀକାର କରିବ। ଅନେକ ସମୟରେ ଓଡ଼ିଶାର ନେତାମାନେ ତଥା କର୍ତ୍ତାମାନେ ଯେତେବେଳେ ଓଡ଼ିଶାକୁ ଏକ ଅପେକ୍ଷାକୃତ ଅଧିକ ଅନଗ୍ରସର ରାଜ୍ୟ ବୋଲି କହି ଦିଲ୍ଲୀରେ ଅଧିକ ସମ୍ବଳର ଦାବି କରିଥାନ୍ତି, ଓଡ଼ିଶା ଭିତରେ ମଧ୍ୟ ଯେ ଅଞ୍ଚଳ ଭିତରେ ନାନା କ୍ଷେତ୍ରରେ ଏକ ସର୍ବନିମ୍ନ ଭାରସାମ୍ୟର ଏବେ ସୁଦ୍ଧା ଅଭାବ ରହିଛି, ସେମାନେ ସେ କଥା ସତେ ଅବା ଭୁଲି ଯାଇଥିବା ଭଳି ମନେ ହୁଅନ୍ତି।

ଗୋଟିଏ ସମାଜର ମଣିଷ ଅର୍ଥାତ୍ ସବୁ ମଣିଷ। ଓଡ଼ିଶାରେ ଏପର୍ଯ୍ୟନ୍ତ ସବୁ ମଣିଷକୁ ସାମିଲ୍ କରି କୌଣସି ଯୋଜନା ହୋଇନାହିଁ। ଅର୍ଥର କ୍ଷେତ୍ରରେ ହୋଇ ନାହିଁ, ସଂସ୍କୃତି କ୍ଷେତ୍ରରେ ହୋଇନାହିଁ, ଶିକ୍ଷାର କ୍ଷେତ୍ରରେ ତ ସମଗ୍ର ଭାରତବର୍ଷରେ ହୋଇନାହିଁ। ଏଠାରେ ଯେଉଁମାନେ ଅପେକ୍ଷାକୃତ ଅଧିକ ଉପରେ ଅଛନ୍ତି, ସେମାନେ ତଳ ଥାକଗୁଡ଼ିକରେ ରହିଥିବା ମଣିଷମାନଙ୍କୁ ହୀନତର ବୋଲି ଜାଣନ୍ତି। ତେଣୁ ଏଠି ମଣିଷ ମଣିଷ ଭିତରେ ରହିଥିବା ବ୍ୟବଧାନଗୁଡ଼ିକ ଭାରି ଜଳ ଜଳ ହୋଇ ଦିଶି ଯାଉଥାଏ।

ଓଡ଼ିଆ ଭାଷାକୁ ହିଁ ଯଦି ଓଡ଼ିଶାର ଗୋଷ୍ଠୀ ଜୀବନରେ ଗୋଟିଏ ପ୍ରଧାନ ଐକ୍ୟସୂତ୍ର ରୂପେ ଗ୍ରହଣ କରାଯାଏ, ତେବେ ସେହି କ୍ଷେତ୍ରରେ ମଧ୍ୟ ଶିଷ୍ଟ ଓ ଅଶିଷ୍ଟମାନଙ୍କ ଭିତରେ ଏକ ଦୂରତା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ। ଓଡ଼ିଶାରେ ତଥାକଥିତ ବଡ଼ମାନେ ଓଡ଼ିଆ କହିବାକୁ ଅମଙ୍ଗ ହୁଅନ୍ତି। ତେଣୁ ସାନମାନେ ପ୍ରାୟ ନିୟମ ଭିତରେ ପଡ଼ି ସେମାନଙ୍କୁ ଅସାଧାରଣ ବହୁଦୂରର ବୋଲି ଅନୁମାନ କରିବାରେ ଲାଗିଥାନ୍ତି।

ବିକାଶର ପଥରେ ବିକାଶ ଚାଲିଥାଏ। ସଭାମାନଙ୍କର ଭାଷଣରେ ସତ୍ୟଯୁଗ ଆସିଗଲା ବୋଲି ବାଣ ମରାଯାଏ, ତଥାପି ଏଠି ବାବୁମାନେ ସତ୍ୟଯୁଗ କହିଲେ କେବଳ ନିଜର ନିୟନ୍ତ୍ରଣାଧୀନ ଏକ ଯୁଗକୁ ହିଁ ବୁଝନ୍ତି। ତଥାକଥିତ ଶିକ୍ଷାପ୍ରାପ୍ତ ଓ ଶିକ୍ଷାରୁ ବଞ୍ଚିତମାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନ ସମ୍ଭବତଃ ଓଡ଼ିଶାରେ ହିଁ ଭାରତବର୍ଷର ଅନ୍ୟ ରାଜ୍ୟଗୁଡ଼ିକର ତୁଳନାରେ ସବୁଠାରୁ ଅଧିକ।

ଉପରୁ ଦୟା ହେଲେ ତଳର ଦୁଃଖ ଯାଏ – ଏହି ବାକ୍ୟଟି ଆମର ସମ୍ବନ୍ଧଗତ ଯାବତୀୟ ଶିଷ୍ଟତାକୁ ଏପରି କାବୁ କରି ମାଡ଼ି ବସିଛି ଯେ, ଗୋଟିଏ ସମାଜରେ କେବେ ପାରସ୍ପରିକତା ଏବଂ ସମ୍ମାନବୋଧକୁ ଭିତ୍ତି କରି କୌଣସି ସହଜୀବନ ସମ୍ଭବ ହୋଇପାରିବ ବୋଲି ଆମେ ଏବେ ମଧ୍ୟ ବିଶ୍ୱାସ କରିପାରୁନାହିଁ।

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୋଇଥିଲା ଏଠାରେ ବାସ କରୁଥିବା ଲୋକେ ଏକ ସ୍ୱାଭାବିକ ସଂହତି ମଧ୍ୟରେ ପରସ୍ପରର ଅତି ନିକଟବର୍ତ୍ତୀ ହୋଇ ଜୀବନ ବଞ୍ଚିପାରିବେ ବୋଲି। ଯେତେବେଳେ ଅଳ୍ପ ଲୋକ ବଡମାଛ ହୋଇ ବହୁତ ମଣିଷଙ୍କୁ ସାନମାଛ ମଣି ଗିଳି ପକାଇବାକୁ ହିଁ ପାର୍ଥିବ ପରମଯଶ ବୋଲି ମନେ କରନ୍ତି, ତେବେ ଆଦୌ କୌଣସି ସଂହତି ସମ୍ଭବ ହେବ ବା କିପରି?

ଆମେ ଅନ୍ୟପ୍ରକାର ଚିନ୍ତା କରିଥିଲେ ଓ ମଣିଷକୁ ହିଁ ସବା ଆଗ ମନେ ରଖିପାରିଥିଲେ ଆଜି ଆମ ଓଡ଼ିଶା ମଧ୍ୟ ଅନ୍ୟ ପ୍ରକାର ହୋଇଥାନ୍ତା। ଓଡ଼ିଶାରେ ଅପରିମିତ ପ୍ରାକୃତିକ ସମ୍ପଦ ଭର୍ତ୍ତି ହୋଇରହିଛି, ବୁଦ୍ଧିଆ ମଣିଷମାନେ ରହିଛନ୍ତି, ଆମ ପଛରେ ଏକ ଦୀର୍ଘ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ମଧ୍ୟ ରହିଛି, ଆମର ଏକ ନିଜସ୍ୱ ସାହିତ୍ୟ ରହିଛି, ସଙ୍ଗୀତ ଓ ନୃତ୍ୟ ରହିଛି, ନିଜସ୍ୱ ସ୍ଥପତି ମଧ୍ୟ ରହିଛି। ଏହି ସବୁକିଛି ଥାଉ ଥାଉ ଏଠାରେ ଯଥାର୍ଥ ସହଭାଜନ ସମ୍ଭବ ହୋଇପାରୁନାହିଁ କାହିଁକି?

ଆମ ପୂର୍ବଜମାନେ ଏକଥା ଆଦୌ ନଭାବିବା ଲାଗି ପଣ କରିସାରିଥିଲେ ମଧ୍ୟ ନୂଆମାନେ ତଥାପି ତାହା ଭାବନ୍ତୁ, ଏଭଳି ହେବାର କାରଣଗୁଡ଼ିକ ଖୋଜନ୍ତୁ। ନିଜକୁ ଅନ୍ୟ ସମସ୍ତଙ୍କ ସହିତ ଯଥାସମ୍ଭବ ଅଧିକ ଆତ୍ମୀୟତା ଦ୍ୱାରା ଛନ୍ଦି କରି ରଖିବାକୁ ଚେଷ୍ଟା କରନ୍ତୁ, ତେବେ ସେମାନେ ଏକ ଅନ୍ୟପ୍ରକାର ଓଡ଼ିଶାକୁ ଅବଶ୍ୟ ଆବିଷ୍କାର କରିପାରିବେ। ସେହି ଓଡ଼ିଶାର ନିର୍ମାଣ ଲାଗି କାର୍ଯ୍ୟ କରି ଆପଣାକୁ ଧନୀ ମନେ କରିବେ। ସେମାନେ ସାମନ୍ତମାନଙ୍କୁ ଟପି ଆଗକୁ ବାହାରିଯାଇପାରିବେ।

ଏହି ଜାତୀୟତାର ଯୁଗ ଦିନେ ଇଉରୋପକୁ ମଧ୍ୟ ଆସିଥିଲା। ସେହି ଜାତୀୟ ଜାଗରଣ କ୍ରମଶଃ ଏକ ସର୍ବମାନବିକ ଜାଗରଣ ମଧ୍ୟକୁ ଉତ୍ତୋଳିତ ଏବଂ ସମ୍ପ୍ରସାରିତ ହୋଇଗଲା। ଜାତୀୟତାର ପ୍ରଥମ ଉନ୍ମୋଚନଟି ରାଜନୀତିକ ଏବଂ ସାମାଜିକ ନାନା ଅନ୍ୟ ଉନ୍ମୋଚନ ଲାଗି ବାଟ ଛାଡ଼ି ଦେଇଥିଲା।

ଜାତୀୟତାବାଦ ଇଉରୋପରେ ସାମନ୍ତବାଦର ବିଲୋପ କରାଇଲା। ଯାବତୀୟ ନିର୍ମାଣ ଓ ଯାବତୀୟ ଅଭିକ୍ରମରେ କ୍ରମେ ସବୁ ମଣିଷଙ୍କ ସକାଶେ ସ୍ଥାନ ରହିଲା। ଶିକ୍ଷା ସାର୍ବଜନୀନ ହେଲା, ସାମାଜିକ ବ୍ୟବସ୍ଥାକୁ ଅନୁକୂଳ ଭାବରେ ମାର୍ଜିତ କରାଇ ସେଥିରେ ସବୁ ମଣିଷଙ୍କୁ ସ୍ୱୀକୃତି ଦିଆଗଲା। ଭାଗ୍ୟବାଦ ବିଦାୟ ନେଇ ଚାଲିଗଲା, ଅସହାୟ ମଣିଷମାନେ ସ୍ୱାଭିମାନୀ ମଣିଷରେ ପରିଣତ ହେଲେ। ମୁନଷ୍ୟକୃତ ବ୍ୟବଧାନଗୁଡ଼ିକ ଯଥାସମ୍ଭବ ଅଧିକ ପରିମାଣରେ ଦୂର କରାଯାଇ ସବୁ ମଣିଷଙ୍କୁ ସତେ ଅବା ଗୋଟିଏ ସଂହତି ମଧ୍ୟକୁ ଆଣିବାର ପ୍ରୟାସମାନ କରାଗଲା।

ସାମୂହିକ ଆଲୋକନ ତଥା ଆୟୋଜନର ଯାବତୀୟ ବ୍ୟବସ୍ଥାକୁ ଯଥାସମ୍ଭବ ଅଧିକ ସାର୍ବଜନୀନ କରାଗଲା। ପ୍ରକୃତରେ ଏକ ଯୁଗ-ପରିବର୍ତ୍ତନ ଘଟିଲା, ସୋପାନ ପରିବର୍ତ୍ତନ ଘଟିଲା। ଓଡ଼ିଶାରେ ଏସବୁକୁ ହିଁ ସର୍ବାଗ୍ରେ ସ୍ଥାନ ଦିଆଯିବାକୁ ଏବେ ମଧ୍ୟ ବହୁତ ବାଟ ବାକି ରହିଛି। ସେଥିଲାଗି ନିଜକୁ ଓଡ଼ିଆ ବୋଲି ଅନୁଭବ କରିବାକୁ ମଧ୍ୟ ଏଠାରେ ଅଧିକାଂଶ ମନୁଷ୍ୟ ଏକ ଅନୁକୂଳ ପରିବେଶ ଓ ପରିସର ଲାଭ କରିପାରିନାହାନ୍ତି।

ଓଡ଼ିଆ ଜାତି କେବଳ ଖାତାରେ ଓଡ଼ିଆ ହୋଇ ରହିଛି। ଓଡ଼ିଆ ବୋଲି ଯେଉଁଠି ମଣିଷମାନଙ୍କର ଏକ ସ୍ୱାଭାବିକ ଆତ୍ମବୋଧ ରହିଥାନ୍ତା, ସେଠି କେତେ ଜଣ ମଣିଷ ଏପରି ଉଗ୍ର ଭାବରେ ମାନୀ ଓ ଅଭିମାନୀ ହୋଇରହିଛନ୍ତି ଯେ, ସେମାନେ ଅନ୍ୟମାନଙ୍କୁ ହୀନ ଓ ଅତିହୀନ କରି ନଦେଖିଲେ ନିଜ ବିଷୟରେ ସତେ ଅବା ଆଦୌ କୌଣସି ଆତ୍ମପ୍ରତ୍ୟୟ ଲାଭ କରିପାରୁନାହାନ୍ତି।

ଜ୍ଞାନୀ ଓ ବିଜ୍ଞାନୀମାନଙ୍କର ଜ୍ଞାନ ଓ ବିଜ୍ଞାନ ଏଠି ସର୍ବଜନଙ୍କର କାମରେ ଯଥାର୍ଥ ଭାବରେ ଲାଗି ପାରୁନାହିଁ। ଜ୍ଞାନ ଜ୍ଞାନୀର ମାନକୁ ବଢ଼ାଇବାରେ ହିଁ ସତେ ଅବା ସବୁଠାରୁ ଅଧିକ ସାହାଯ୍ୟ କରୁଛି ଏବଂ ସବୁଠାରୁ ଅଧିକ ବିଚିତ୍ର କଥା ହେଉଛି ଯେ, ଓଡ଼ିଶାରେ ବିଦ୍ୟମାନ ଥିବା ଯାବତୀୟ ସମ୍ଭାବନା ଦୃଷ୍ଟିରୁ ଓଡ଼ିଶା ଯେ ତଥାପି ଏପରି ଔଜଲ୍ୟହୀନ ହୋଇ ରହିଛି, ଆମର ଯୋଗ୍ୟତମ ସ୍ଥାନମାନଙ୍କରେ ବସିଥିବା ବ୍ୟକ୍ତିମାନେ ତାହାକୁ ଆଦୌ ଅସହ୍ୟ ବୋଲି ଅନୁଭବ କରୁନାହାନ୍ତି। ସେମାନେ ହୁଏତ ନିଜ ଘରେ ବିଦେଶୀ ହୋଇ ରହିଛନ୍ତି ବୋଲି ସେହି ଅନୁଭବ ନିମନ୍ତେ ସମର୍ଥ ହୋଇ ପାରିନାହାନ୍ତି।

ଉତ୍କଳମଣି ଗୋପବନ୍ଧୁ ଦାଶ ଏକଦା ଏକ ସାଧାରଣ ମଞ୍ଚରେ ଘୋଷଣା କରି କହିଥିଲେ ଯେ, ଓଡ଼ିଶାବାସୀ ଆମେ ସମସ୍ତେ ସର୍ବପ୍ରଥମେ ମଣିଷ, ତା’ପରେ ଭାରତୀୟ ଓ ସର୍ବଶେଷରେ ଯାଇ ଓଡ଼ିଆ। ତତ୍କାଳୀନ ନେତୃତ୍ୱଗତ ଜଳବାୟୁରେ ଏପରି ଏକ ବାକ୍ୟ ଉଚ୍ଚାରଣ କରିବାକୁ ସେତେବେଳେ ଅନେକ ସାହସ ଆବଶ୍ୟକ ହୋଇଥିବ। ମାତ୍ର ସେହି କଥାଟି ଯେ ପ୍ରକୃତରେ ସତ, ଆପଣାର ଚେତନାର ଆଖିଟିକୁ ଯଥାସମ୍ଭବ ଅଧିକ ପ୍ରଶସ୍ତ ଭାବରେ ଖୋଲି ନିଜକୁ ଓଡ଼ିଆ ବୋଲି ଅନୁଭବ କରିବାର ଅର୍ଥଟିକୁ ଅନୁଭବ କରିପାରିବାକୁ ଆରମ୍ଭ କରିବା ମାତ୍ରକେ ତାହା ଏକାନ୍ତ ସ୍ପଷ୍ଟ ହୋଇଯାଉଛି।

ଏକଦା ଶ୍ରୀ ଅରବିନ୍ଦ କହିଥିଲେ, ଯିଏ କେବଳ କୃଷ୍ଣଙ୍କୁ ଜାଣିଛି, ସିଏ ପ୍ରକୃତରେ କୃଷ୍ଣଙ୍କୁ ମଧ୍ୟ ଜାଣିନାହିଁ। ଯିଏ କେବଳ ଓଡ଼ିଶାକୁ ଜାଣିଛି, ଏଇଠି ଏତିକି ଭିତରେ ଗାର ପକାଇ ବାଡ ବସାଇ ମାନୀ ବୋଲାଉଛି, ସିଏ ପ୍ରକୃତରେ ଓଡ଼ିଆ ମଧ୍ୟ ହୋଇ ପାରିନାହିଁ। ଆପଣାକୁ ଏପରି ଏକ ସମ୍ବେଦନଶୀଳ କେନ୍ଦ୍ରରେ ପରିଣତ କରି ପାରିବାକୁ ହେବ, ଯେପରିକି କେନ୍ଦ୍ରସ୍ଥ ହେବା ମାତ୍ରକେ ଆମକୁ ଏହି ପରିଧିଟିର ସେପାଖରେ ଆହୁରି ଅଧିକ ପରିଧିମାନ ଦିଶିଯାଇପାରୁଥିବ। ନାନା ବୃହତ୍ତର ପରିଧିର ପରିପ୍ରେକ୍ଷୀରେ ନିଜର ପରିଧିଟିକୁ ଦେଖି ପାରିଲେ ଯାଇ ଆମେ ତାହାକୁ ପ୍ରକୃତରେ ସମଗ୍ର ଭାବରେ ଦେଖିବାକୁ ସମର୍ଥ ହେବା।

ଓଡ଼ିଶାରେ ଓଡ଼ିଆ ହେବା ଏକ ଆହ୍ୱାନ। ନିଜକୁ ଏକ ନିର୍ଦ୍ଦିଷ୍ଟ ଭୂମିର ବିଶେଷ ଦାୟାଦରୂପେ ଅନୁଭବ କରିବା ମଧ୍ୟ ଏକ ଆହ୍ୱାନ।

ଯେଉଁମାନେ ମୂଳତଃ ଭୋଗ କରିବାକୁ ହିଁ ସାମୂହିକ ଜୀବନ ଉପରେ ନିଜର ଜାଲକୁ ବିସ୍ତାର କରି ରହିଥାନ୍ତି, ସେମାନେ ହୁଏତ ଆଦୌ କୌଣସି ଆହ୍ୱାନକୁ ଶୁଣିପାରନ୍ତି ନାହିଁ। ଏଠାରେ ମୁଁ ଅଛି, କାରଣ ଏଠାରେ ଅନ୍ୟମାନେ ବି ରହିଛନ୍ତି। ଏହି ସର୍ବମୂଳ ଗଣିତଟି ଦ୍ୱାରା ନିଜ ଜୀବନର ଯାବତୀୟ ଔଚିତ୍ୟକୁ ବୁଝି ତାହାର ସମାଧାନ ବାହାର କରିବାକୁ ଚେଷ୍ଟା କରୁଥିବା ମଣିଷ ନିଜର ଦାୟିତ୍ୱ ସମ୍ବନ୍ଧରେ ଅବଶ୍ୟ ସଚେତନ ରହିବ। ଯିଏ ଯେତେ ଉପରେ, ତାର ସେତିକି ବେଶୀ ଦାୟିତ୍ୱ।

ଯିଏ ଯେତେ ଅଧିକ ଅର୍ଜନର ଅଧିକାରୀ ହୋଇପାରିଛି, ନିଜକୁ ସମସ୍ତଙ୍କର କାର୍ଯ୍ୟରେ ଲଗାଇବାର ଦାୟିତ୍ୱ ତା’ର ସେତିକି ଅଧିକ – ଏହିପରି ଗୋଟିଏ ମୂଲ୍ୟସୂତ୍ର ଉପରେ ନିଜର ଜୀବନକୁ ଅବସ୍ଥାପିତ କରି ରଖିପାରିଲେ ଆମେ ଓଡ଼ିଶାରେ ଥିବା ଲୋକମାନେ ଏକାଧାରରେ ଓଡ଼ିଆ ହୋଇପାରିବା, ଭାରତରେ ଜଣେ ସଚ୍ଚା ଭାରତୀୟ ହୋଇପାରିବା ଏବଂ ପୃଥିବୀ ମଧ୍ୟରେ ଜଣେ ସଚ୍ଚା ମଣିଷ ହୋଇପାରିବା। ଅତ୍ୟନ୍ତ ବିରୋଧୀହୀନ ଭାବରେ ଆମେ ଏକାବେଳକେ ଏସବୁ ଅବଶ୍ୟ ହୋଇପାରିବା! ଆମ ପରିଚୟର ନକ୍‌ସାଟି ସେତେବେଳେ ଯାଇ ଯଥାର୍ଥରେ ସମ୍ପୂର୍ଣ୍ଣ ହୋଇପାରିବ।

(ସୌଜନ୍ୟ – ଉତ୍କଳ ପ୍ରସଙ୍ଗ)

Comment