ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅସ୍ତ୍ରୋପଚାର ବେଳେ ଚିକିତ୍ସାରେ ଅବହେଳା ପାଇଁ ସ୍ଥାନୀୟ ଗୋଇଲୁଣ୍ଡି ରୋଡ୍‌-ନୂଆ ବସଷ୍ଟାଣ୍ଡସ୍ଥିତ ଗୁରୁଦେବ ଘରୋଇ ହସ୍ପିଟାଲରେ ଐଶ୍ୱର୍ଯ୍ୟ ସିଂ ଦେଓ (୨୫ ବର୍ଷ) ନାମକ ବିବାହିତା ମହିଳାଙ୍କ ମୃତ୍ୟୁ ପରେ ଜନତାଙ୍କ ଅସନ୍ତୋଷ ନିକଟରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଛି। କ୍ଲିନିକାଲ ଏଷ୍ଟବ୍ଲିଶମେଣ୍ଟ ଆଇନ ଅନୁସାରେ ଉପ-ଜିଲ୍ଲାପାଳ ଗୁରୁଦେବ ଘରୋଇ ହସ୍ପିଟାଲ ସିଲ କରିଛନ୍ତି।

ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର ବେଳେ ଅଧିକ ପରିମାଣରେ ନିଶ୍ଚେତକ ଦିଆଯିବା ଯୋଗୁଁ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଡାକ୍ତର ପ୍ରଭାତ ପାଣିଗ୍ରାହୀ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।  ଏସଂକ୍ରାନ୍ତରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୂର୍ବରୁ ଜିଲ୍ଲାପାଳ ଦେଇଥିବା ଏକ କନଫିଡେନ୍ସିଆଲ ରିପୋର୍ଟକୁ ତନଖିବା ପାଇଁ ବ୍ରହ୍ମପୁର ତହସିଲଦାରଙ୍କୁ କୁହାଯାଇଛି। ଅସ୍ତ୍ରୋପଚାର କରିଥିବା ଡାକ୍ତର, ନିଶ୍ଚେତକ ଡାକ୍ତର ଓ ଗୁରୁଦେବ ଘରୋଇ ହସ୍ପିଟାଲ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜନତା ଦାବି କରି ଆସୁଛନ୍ତି।

ଉପ-ଜିଲ୍ଲାପାଳଙ୍କ କହିବାନୁସାରେ ଗୁରୁଦେବ ଘରୋଇ ହସ୍ପିଟାଲ ରୋଗୀମାନଙ୍କୁ ଛାଡି ଦିଆଯାଇଛି। ତେବେ କେତେକ ଗର୍ଭବତୀ ମହିଳାଙ୍କୁ ଆଉ ୪ ଦିନ ରଖାଯାଇଛି। ସିଟି ହସ୍ପିଟାଲର ପ୍ରସୂତି ବିଶେଷଜ୍ଞ ଓ ଏଡିଏମଓଙ୍କ ନେତୃତ୍ୱରେ ଗଠିତ ଏକ ଦଳ ଏମାନଙ୍କୁ ନିୟମିତ ପରୀକ୍ଷା କରୁଛନ୍ତି। ୪ ଦିନ ପରେ ପରବର୍ତ୍ତୀ ଚୂଡାନ୍ତ ପଦକ୍ଷେପ ନିଆଯିବ।

Comment