ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଥମୁନି। ମାତୃଭାଷା ପରୀକ୍ଷା ଦିନ ଧର୍ମଗଡ଼ରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା ନଥମୁଣୁ ଶନିବାର ଇଂରାଜୀ ପରୀକ୍ଷା ଦିନ କପିକୁ ନେଇ ପାଟଣାଗଡ଼ ମନେଇପାଦ ପରୀକ୍ଷା କେନ୍ଦ୍ରରେ ମହାଭାରତ ଦେଖାଦେଇଛି। କପି ଯୋଗାଇ ଦେବା ପାଇଁ ପିଲାଙ୍କଠାରୁ ଜଣେ ଶିକ୍ଷକ ଟଙ୍କା ନେବା ଏବଂ ଏହି ଖବର ସଂଗ୍ରହ କରୁଥିବା ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଶିକ୍ଷକ ମରାଣାନ୍ତ ଆକ୍ରମଣ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

୧୯ରେ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଥିଲା। ଦୁଇ ଦିନ ପରେ ଶନିବାର ଛାତ୍ରଛାତ୍ରୀ ଇଂରାଜୀ ପରୀକ୍ଷା ଦେଇଥିଲେ। ହେଲେ ପାଟଣାଗଡ଼ ମନେଇପଦ ପରୀକ୍ଷା କେନ୍ଦ୍ରରେ  ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଇଂରାଜୀ ପରୀକ୍ଷାରେ କପି ଯୋଗାଇ ଦେବା ପାଇଁ ଜଣେ ଶିକ୍ଷକ ପଇସା ନେଇଥିଲେ। ହେଲେ ସିସିଟିଭି ଲାଗି ଥିବାରୁ କପି ଯୋଗାଇବା ସମ୍ଭବ ହୋଇ ନଥିଲା।

ଏହାକୁ ନେଇ ସଂପୃକ୍ତ ପିଲାଙ୍କ ଅଭିଭାବକମାନେ ଶିକ୍ଷକଙ୍କୁ ଘେରିଥିଲେ। ଫଳରେ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଲାଗି ରହିଥିଲା। ଏହି ସମୟରେ କାର୍ଯ୍ୟରତ ସାମ୍ବାଦିକ ଲଳିତ ମଲ୍ଲିକ ଖବର ସଂଗ୍ରହ କରିବାକୁ ପହଞ୍ଚିଥିଲେ। ସାମ୍ବାଦିକ ଲଳିତ ଫଟୋ ଉଠାଇବାରୁ ଶିକ୍ଷକ ଜଣକ ତାଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ପାଟଣାଗଡ଼ ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି।

Comment