ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ବର୍ଷର ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଏବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୪ ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଏଥିର ଛାତ୍ରୀମାନଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିଲାବେଳେ ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯ ପ୍ରତିଶତ। ଚଳିତ ବର୍ଷ ରାଜ୍ୟର ୨୬୪୪ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮ ପ୍ରତିଶତ ପାସ ହାର ରହିଥିବାବେଳେ ନୂଆପଡାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ ହାର ରହିଛି। ଏଥର କୌଣସି ସ୍କୁଲରେ ଶୂନ୍ୟ ରେଜଲ୍ଟ ହୋଇନାହିଁ।

ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.inକୁ ଯାଇ ନିଜର ମାଟ୍ରିକ ରେଜଲ୍ଟ ଜାଣିପାରିବେ। ଏହାଛଡ଼ା ଇଣ୍ଟରନେଟ୍‌ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ଏସଏମଏସ୍‌ ଜରିଆରେ ମାଟ୍ରିକ୍ ରେଜଲ୍ଟ ଜାଣିପାରିବେ। ଛାତ୍ରଛାତ୍ରୀମାନେ ମୋବାଇଲରୁ OR୧୦ ଏବଂ ନିଜ ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦କୁ ପଠାଇଲେ ପରୀକ୍ଷା ଫଳ ଜାଣିପରିବେ।

ସେହିପରି ରବିବାର ଅପରାହ୍ଣ ୪ଟା ସମୟରେ ସେମାନେ ନିଜ ନିଜ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିପାରିବେ। ଏହା ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ। ସେହିପରି BSE/Hi ଟାଇପ୍ କରି ୭୭୧୦୦୫୮୧୯୨ରେ ହ୍ଵାଟ୍ସଆପ କରି ମଧ୍ୟ ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ଅନ୍ୟପଟେ ମେ’ ୨୯ରୁ ଜୁନ୍ ୧୨ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଖାତା ରିଚେକିଂ ଓ ରିଆଡିସନ ପାଇଁ ଆବେଦନ କରିପାରିବେ।

ଏହାବ୍ୟତୀତ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ବୋର୍ଡ ପକ୍ଷରୁ କରାଯାଇଥିବା କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିପାରିବେ। ଏଥିପାଇଁ ‘୮୭୬୩୪୪୬୨୯୨’ ଓ ‘୯୪୩୭୨୨୮୧୮୭’ ନମ୍ବରରେ ଫୋନ କଲେ ସେମାନଙ୍କୁ ସହଯୋଗ କରାଯିବ।

Tags: #MatricResults2024 #Students #MatricExam #BSEOdisha #Education

LEAVE A REPLY

Please enter your comment!
Please enter your name here