ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ମହାମାରୀର ଶିକାର ହୋଇଛନ୍ତି ପଶୁପକ୍ଷୀ। ପ୍ରଥମଥର ପାଇଁ ହାଇଦ୍ରାବାଦ ସ୍ଥିତ ନେହେରୁ ଜୀବ ଉଦ୍ୟାନରେ ପଶୁଙ୍କଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୮ଟି ଏସୀୟ ସିଂହ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଦେଶରେ ଥିବା ସମସ୍ତ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ, ଅଭୟାରଣ୍ୟକୁ ବନ୍ଦ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏପ୍ରିଲ ୨୪ରେ ବନ୍ୟଜନ୍ତୁ ଚିକିତ୍ସକମାନେ ସେମାନଙ୍କର ତଦାରଖ କରୁଥବା ସମୟରେ କିଛି ସିଂହଙ୍କ ନାକରୁ ପାଣି ବାହାରୁଥିବା ଦେଖିଥିଲେ। ଆଉ କିଛି ସିଂହଙ୍କଠାରେ ଥଣ୍ଡାର ଲକ୍ଷଣ ମଧ୍ୟ ଦେଖିବାକୁ ପାଇଥିଲେ। ପରେ ସନ୍ଦେହ କରି ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରେ ପ୍ରାୟ ୪ଟି ସିଂହ ଓ ୪ଟି ସିଂହିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ପଶୁଙ୍କଠାରେ କୋଭିଡ୍ ଭୂତାଣୁ ଚିହ୍ନଟ ହେବା ବୋଧହୁଏ ଭାରତରେ ପ୍ରଥମ କେସ୍ ବୋଲି କହିଛନ୍ତି ହାଇଦ୍ରାବାଦ ସ୍ଥିତ ବଣ୍ୟଜନ୍ତୁ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ।

କିଛି ଦିନ ପୂର୍ବରୁ ଏହି ଉଦ୍ୟାନର ୨୫ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ସେମାନଙ୍କଠାରୁ ସିଂହମାନଙ୍କୁ ବ୍ୟାପିଥାଇପାରେ ବୋଲି ଅନୁମାନ କରାଯାଉଛି। ଏବେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ, ଉପଯୁକ୍ତ ଚିକିତ୍ସା କରାଯାଉଛି। ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣରେ ଦେଶର କୌଣସି ଚିଡ଼ିଆଖାନାରେ ଏଭଳି ପରିସ୍ଥିତି ଉପୁଜିନଥିବାବେଳେ, ଚଳିତ ବର୍ଷ ପ୍ରଥମଥର ପାଇଁ ହାଇଦ୍ରାବାଦରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବରୁ ନ୍ୟୁୟର୍କର ଏକ ଚିଡ଼ିଆଖାନାରେ ସିଂହ ଓ ବାଘଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବାବେଳେ, ହଂକଙ୍ଗରେ ମଧ୍ୟ ବିଲେଇ ଓ କୁକୁରଙ୍କଠାରେ ଏହା ଚିହ୍ନଟ ହୋଇଥିଲା ବୋଲି ନିର୍ଦ୍ଦେଶକ କହିଛନ୍ତି।

Comment