ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତଥା ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ସିଇଓ ରସାଇ ଲାଗୁରୀଙ୍କର ଗୁରୁବାର ଦିନ ପରଲୋକ ହୋଇଯାଇଛି। ଗତ କିଛିଦିନ ହେଲା ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହି ଚିକିତ୍ସାଧୀନ ଥିଲେ।

ଗୁରୁବାର ଦିନ ସକାଳୁ ଛାତିରେ ଯନ୍ତ୍ରଣା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ସେ ଆଖିବୁଜି ଦେଇଥିଲେ। ପରିବାରରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଅଛନ୍ତି।ଶ୍ରୀଯୁକ୍ତ ଲାଗୁରୀଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘‘ଆମ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଆକସ୍ମିକ ଓ ଦୁର୍ଭାଗ୍ୟଜନକ। ସେ ବାସ୍ତବରେ ଜଣେ ସଚ୍ଚା କୋଭିଡ୍ ଯୋଦ୍ଧା। କାରଣ ଡିଏମଏଫର ସହାୟତାକ୍ରମେ ଜିଲ୍ଲାରେ କୋଭିଡ୍ ଚିକିତ୍ସା ଓ ମୁକାବିଲା ପାଇଁ ବହୁ କାର୍ଯ୍ୟକ୍ରମ ଜାରି ରହିଛି। ଏସବୁ ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତେଣୁ ସେ ଜିଲ୍ଲାରେ ଅନେକ ଲୋକଙ୍କୁ କୋଭିଡରୁ ନୂଆ ଜୀବନ ଦେବାରେ ସହାୟକ ହୋଇଥିଲେ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ। ତାଙ୍କ ପାଇଁ ଆମେ ଗର୍ବିତ।”

ତାଙ୍କ ପରିବାରକୁ ସାନ୍ତ୍ୱନା ଜଣାଇବା ସହ ଏଭଳି ଏକ ଦୁଃଖଦ ସମୟରେ ସେମାନଙ୍କ ପାଖରେ ଠିଆ ହୋଇଥିବା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି।

ଆଜି ପୂର୍ବାହ୍ନରେ ସୁନ୍ଦରଗଡ଼ର ରାଣୀବଗିଚାସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସେଠାରେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ସହ ଡିଏମଏଫର ବହୁ ଅଧିକାରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶ୍ରୀଯୁକ୍ତ ଲାଗୁରୀ ୨୦୧୮ ମସିହା ଏପ୍ରିଲ ମାସରେ ସୁନ୍ଦରଗଡ଼ରେ ଅବସ୍ଥାପିତ ହୋଇଥିଲେ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟରେ ସେ ଜିଲ୍ଲା ଭୂ-ଅର୍ଜନ ଅଧିକାରୀ ଏବଂ ଓମ୍ବାଡସିର ନୋଡାଲ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ଶ୍ରୀଯୁକ୍ତ ଲାଗୁରୀଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲା ଓଏଏସ୍ ସଂଘ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ସଂଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି ଯେ, ସେ ଜଣେ ଓଏଏସ୍ ବନ୍ଧୁଙ୍କୁ ଅସମୟରେ ହରାଇଲେ। ଏଭଳି ସ୍ଥିତିରେ ଭଗବାନ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ସଂଘ ପକ୍ଷରୁ ସେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here