ଓଡ଼ିଶାଲାଇଭ୍ ବ୍ୟୁରୋ
‘‘କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ସାରାରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି। ଲକଡାଉନର ଅର୍ଥ ଘରେ ରହିବା। ରାସ୍ତାରେ ଆସି ଗହଳି କରିବା ନୁହେଁ। ତେଣୁ ଆଜିଠୁ କଟକ, ଭୁବନେଶ୍ୱରରେ ମର୍ଣ୍ଣିଂ ଓ୍ୱାକ ଓ ସାଇକ୍ଲିଙ୍ଗ୍କୁ ନିଷିଦ୍ଧ କରାଗଲା। ଯେଉଁମାନେ ଆଇନ ଅମାନ୍ୟ କରିବେ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ’’, ଗୁରୁବାର ଏକ ସାମ୍ବାଦିକ ସମ୍ମଳନୀରେ ଏଭଳି ତାଗିଦ୍ କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।
କଟକ, ଭୁବନେଶ୍ୱରରେ ସକାଳ ସମୟରେ ଭିଡ଼ ଦେଖାଯାଉଛି। ମର୍ଣ୍ଣିଂ ଓ୍ୱାକ୍ କରିବାକୁ ଆସି କିଛି ଲୋକ ରାସ୍ତା ଉପରେ ଗହଳି କରୁଛନ୍ତି। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିବା ପୋଲିସ କମିସନର କହିଛନ୍ତି।
‘‘ଜନସାଧାରଣଙ୍କ ସୁବିଧା ପାଇଁ ଏଥର ରାଜ୍ୟ ସରକାର ଅନେକ କୋହଳ କରିଛନ୍ତି। ୬ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଜିନିଷ କିଣିବା ପାଇଁ ଅନୁମତି ମିଳିଛି। ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଉଛି। କୋଭିଡ ଟେଷ୍ଟିଂ ଜାରି ରହିଛି। ତେଣୁ ଜନ ସାଧାରଣ ବି ପୋଲିସ ସହଯୋଗ କରନ୍ତୁ’’, କହିଛନ୍ତି ପୋଲିସ କମିସନର।କମିସନରେଟ୍ ପୋଲିସ ଜନସାଧାରଙ୍କ ବନ୍ଧୁ ହିସାବରେ କାମ କରିୁଛି। କେବଳ ଆବଶ୍ୟକ ସ୍ଥଳେ ଆମାନିଆଙ୍କୁ ରୋକିବା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି ବୋଲି ସେ କହିଛନ୍ତି।
‘‘ସଂକ୍ରମଣକୁ ରୋକିବାରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ଭିଡ଼କୁ ନଯିବା ଅତ୍ୟନ୍ତ ଜରୁରୀ। ତେଣୁ ଟୁଇନ ସିଟିର ଜନସାଧାରଣ ଏହି କୋଭିଡ୍ ଉପଯୋଗୀ ନିୟମ ପାଳନ କରନ୍ତୁ’’, ଏଭଳି ଅପିଲ୍ କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଲକଡାଉନ୍ ଓ ସଟଡାଉନ୍ ସମୟରେ ଦ୍ୱୈତ ନଗରୀର ବରିଷ୍ଠ ନାଗରିକୁ ସାହାଯ୍ୟ କରିବା ପାଇଁ କମିସନରେଟ ପୋଲିସ ତରଫରୁ ହେଲ୍ପ୍ ଲାଇନ୍ ଜାରି କରାଯାଇଛି। ସେ ହେଲ୍ପ ଲାଇନ ନମ୍ବର ହେଲା ୮୦୯୩୦୨୮୧୦୦। ଅନ୍ୟପଟେ ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ହ୍ୱାଟ୍ସଆପ୍ ଜରିଆରେ ଅନୁମତି ପାଇଁ ପୋଲିସ ବ୍ୟବସ୍ଥା କରିଛି। ତେଣୁ ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।