ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ହରାଇବା ପାଇଁ ମାସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାସ୍କ ହିଁ ହେଉଛି ଏକମାତ୍ର ଅସ୍ତ୍ର, ଯିଏ କରୋନାରୁ ସୁରକ୍ଷା ଦେଇପାରିବ। ମାସ୍କ ସମସ୍ତେ ସଠିକ୍ ଭାବରେ ଓ ନିୟମ ଅନୁସାରେ ପିନ୍ଧିଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି କହିଛନ୍ତି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଆନାସ୍ଥେସିଆ ବିଭାଗର ପ୍ରଫେସର ଡାକ୍ତର ନିବେଦିତା ପାଣି।

ସାଧାରଣତଃ ମାସ୍କ ତିନି ପ୍ରକାରର ଥାଏ। କଟନ୍ ମାସ୍କ, ସର୍ଜିକାଲ ମାସ୍କ, ଏନ୍‌-୯୫ ମାସ୍କ। କଟନ୍ ମାସ୍କ ପିନ୍ଧିଲାବେଳେ ଧ୍ୟାନ ରଖିବେ, ଯେପରି ମାସ୍କଟି ଓଠ, ନାକ ଓ ପାଟିକୁ ଆବଦ୍ଧ କରି ରଖୁଥିବ। ମୁହଁର ଆକୃତି ଅନୁସାରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ପାଣି।ମାସ୍କ ବ୍ୟବହାର ପୂର୍ବରୁ ଓ ପରେ କ’ଣ କରିବେ?

  • ମାସ୍କ ପିନ୍ଧିବା ଆଗରୁ ପ୍ରଥମେ ହାତକୁ ଭଲ ଭାବରେ ସାନିଟାଇଜ୍ କରିବେ ଏବଂ ପିନ୍ଧି ସାରିବା ପରେ ମଧ୍ୟ ସାନିଟାଇଜ୍ କିମ୍ବା ସାବୁନ୍ ରେ ହାତକୁ ଧୋଇବେ।
  • ପାଟି, ନାକ ଓ ଓଠକୁ ଆବଦ୍ଧ ହେଲା ଭଳି ମାସ୍କଟିକୁ ପିନ୍ଧିବେ।
  • ମାସ୍କକୁ ମୁହଁରୁ କାଢ଼ିବା ସମୟରେ ଏଣେତେଣେ ହାତ ନମାରି, ପ୍ରଥମେ କାନରେ ଲାଗିଥିବା ଫିତାକୁ କାଢ଼ିବେ।
  • କଟନ୍ ମାସ୍କ କ୍ଷେତ୍ରରେ, ତାହାକୁ ଧୋଇ ପୁନର୍ବାର ବ୍ୟବହାର କରିପାରିବେ।
  • ତିନି ସ୍ତର ବିଶିଷ୍ଟ ସର୍ଜିକାଲ ମାସ୍କ ବ୍ୟବହାର କରନ୍ତୁ।
  • ଥରେ ବ୍ୟବହାର ପରେ ସର୍ଜିକାଲ ମାସ୍କକୁ ଫୋପାଡ଼ି ଦିଅନ୍ତୁ।
  • ଏନ୍‌-୯୫ ମାସ୍କ ବ୍ୟବହାର ସମୟରେ ଧ୍ୟାନ ଦେବେ, ଯେଭଳି ମାସ୍କରେ କୌଣସି ଛିଦ୍ର ନଥିବ।

ଏନ୍‌-୯୫ ମାସ୍କ ଭୂତାଣୁଠାରୁ ୯୫ ପ୍ରତିଶତ ସୁରକ୍ଷା ଦେଇଥାଏ। ତେଣୁ ଏହାର ନାମ ଏନ୍‌-୯୫ ମାସ୍କ ରଖାଯାଇଛି। କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହୋଇଥିବାରୁ ଏହି ମାସ୍କ ପିନ୍ଧିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଯଦି ଗୋଟିଏ ଛୋଟ ମାସ୍କ ପିନ୍ଧିବା ଦ୍ୱାରା ଭୂତାଣୁ କବଳରୁ ଜୀବନ ରକ୍ଷା ହୋଇପାରୁଛି, ତେବେ ସମସ୍ତେ ମାସ୍କକୁ ଠିକ୍ ଭାବରେ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଡାକ୍ତର ନିବେଦିତା ପାଣି।

Comment