ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢୀ) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ମହାପ୍ରଭୁଙ୍କ ଦୁଇଟି କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଗୋଟିଏ ଚନ୍ଦନଯାତ୍ରା ଓ ଅନ୍ୟଟି ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ୍ ସଂକ୍ରମଣ ପାଇଁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରର ସିମାଞ୍ଚଳମଠାରେ ଥିବା ଶ୍ରୀବରାହ ନୃସିଂହନାଥଙ୍କ ମନ୍ଦିରରେ ବିନା ଭକ୍ତରେ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ କରାଯାଇଛି।
ଅକ୍ଷୟତୃତୀୟା ଦିନ ଏଠାରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା ଆୟୋଜିତ ହୋଇଥାଏ। ଏଠାରେ ପୂଜା ପାଉଥିବା ଶ୍ରୀ ବରାହ ନୃସିଂହନାଥଙ୍କ ମୁଖ୍ୟ ପ୍ରତିମୂର୍ତ୍ତି ବର୍ଷସାରା ଚନ୍ଦନର ଲେପ ଦ୍ୱାରା ଆଛାଦିତ ହୋଇ ରହିଥାନ୍ତି। ଅକ୍ଷୟତୃତୀୟା ଦିନ ଏହି ପୁରୁଣା ଚନ୍ଦନକୁ ବାହାର କରାଯାଇ ନୂତନ ଚନ୍ଦନର ପ୍ରଲେପ ଦିଆଯାଇଥାଏ। ସେହି ସମୟରେ ଶ୍ରଦ୍ଧାଳୁମାନେ ମାତ୍ର ୫ ରୁ ୧୦ ମିନିଟ ପାଇଁ ହିଁ ଠାକୁରଙ୍କ ପ୍ରକୃତ ରୂପ ଦର୍ଶନ କରିଥାନ୍ତି।ଚନ୍ଦନ ଯାତ୍ରାରେ ଠାକୁରଙ୍କ ଦର୍ଶନ ପାଇଁ ସାରା ଭାରତର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ସିମାଞ୍ଚଳ ଆସିଥାନ୍ତି। କିନ୍ତୁ ଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ଚନ୍ଦନ ଯାତ୍ରାରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ ବନ୍ଦ ରହିଛି। ପୂର୍ବବର୍ଷ ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନେଇ ଚନ୍ଦନ ଯାତ୍ରା ଆୟୋଜିତ ହୋଇଥିଲା। କିନ୍ତୁ ଏବର୍ଷ ଆନ୍ଧ୍ରପ୍ରଦେଶ ସହ ବିଶାଖାପାଟଣାରେ କରୋନା ସଂକ୍ରମଣ ବଢ଼ି ଥିବାରୁ ବିନା ଭକ୍ତ ଓ ବନ୍ଦ କୋଠରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଳିତ ହୋଇଯାଇଛି। ସେବାୟତମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କର୍ମଚାରଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଏଥିସହ ମନ୍ଦିରର ମୁଖ୍ୟ ଫାଟକକୁ ବନ୍ଦ କରାଯାଇଛି।ଭାରତର ବିଭିନ୍ନ ସ୍ଥାନରେ ପ୍ରାୟ ୩୨ଟି ନୃସିଂହନାଥ ମନ୍ଦିର ରହିଛି। ସେଗୁଡ଼ିକ ମଧ୍ୟରୁ ବିଶାଖାପାଟଣାର ସିମାଚଳମ ସ୍ଥିତ ନୃସିଂହନାଥ ମନ୍ଦିର ଅନ୍ୟତମ। କରୋନା କଟକଣା ଯୋଗୁଁ ମନ୍ଦିର ସମ୍ପୂର୍ଣ୍ଣ ଭକ୍ତ ଶୂନ୍ୟ ହୋଇପଡିଛି। ୨୦୨୦ବର୍ଷଠାରୁ ସିମାଞ୍ଚଳଠାରେ ଦର୍ଶନ ବନ୍ଦ ରହିଥିବାରୁ ମନ୍ଦିର ପରିଚାଳନାରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା ମନ୍ଦିର କର୍ତ୍ତୁପକ୍ଷ ପୁସପାଟି ସଞ୍ଚିତା ଗଜପତି ରାଜୁ କହିଛନ୍ତି।
କେମିତି ହୁଏ ଚନ୍ଦନ ଯାତ୍ରା?
ଚନ୍ଦନ ଯାତ୍ରା ଦିନ ସକାଳେ ୨୧ଜଣ ବୈଷ୍ଣବ ବ୍ରାହ୍ମଣ ଓ ମନ୍ଦିରର ଅନ୍ୟ ପୂଜାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ଆରମ୍ଭ କରାଯାଇ ଠାକୁରଙ୍କଠାରୁ ପୁରୁଣା ଚନ୍ଦନ କଢ଼ା ଯାଇଥାଏ। ପୁଣି ୩୩,୮୦୦ କିଲୋଗ୍ରାମ ଓଜନର ନୂଆ ଚନ୍ଦନରେ ମହାପ୍ରଭୁଙ୍କୁ ଆଚ୍ଛାଦିତ କରାଯାଇଥାଏ। ଏହି ସମ୍ପୂର୍ଣ୍ଣ ଚନ୍ଦନ ଚଢ଼ାଇବା ପାଇଁ ପାଖାପାଖି ୧୨ ଘଣ୍ଟା ସମୟ ଲାଗିଥାଏ। ଏହି ସମୟରେ ଠାକୁରଙ୍କର ପ୍ରକୃତ ରୂପ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥାଏ।