ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ବରିଷ୍ଠ ନାଗରିକଙ୍କ କୋଭିଡ୍ ପରୀକ୍ଷା ପାଇଁ ସୁବିଧା ଆଣିଛି ବିଏମ୍‌ସି। ଏଣିକି ୬୦ରୁ ଅଧିକ ବୟସ୍କ ଯେଉଁମାନେ କୋଭିଡ୍ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ମୋବାଇଲ୍ ଟିମ୍ ପଠାଇ ସାମ୍ପଲ ସଂଗ୍ରହ କରିବ ବିଏମ୍‌ସି। ସୋମବାରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ଏନେଇ ଶନିବାର ବିଏମ୍‌ସି କମିସନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି।କୋଭିଡ୍ ପରୀକ୍ଷା ପାଇଁ ବରିଷ୍ଠ ନାଗରିକମାନେ ବିଏମ୍‌ସି ଟ୍ରୋଲ ଫ୍ରି ନମ୍ଵର ୧୯୨୯କୁ କଲ୍ କରି ଯୋଗାଯୋଗ କରିପାରିବେ। ଏଥିପାଇଁ ବିଏମ୍‌ସିର ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ଼ୀକରଣ କରାଯାଇଛି। ମହାମାରୀ ସମୟରେ ରାଜଧାନୀବାସୀ ଯେପରି ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କମିସନର ସଞ୍ଜୟ ସିଂ କହିଛନ୍ତି।  “ଭୁବନେଶ୍ଵରରେ ୬୦ରୁ ଅଧିକ ବୟସ୍କ ଯେଉଁମାନେ ଏକା ରହୁଛନ୍ତି କିମ୍ଵା କୋଭିଡ୍ ପରୀକ୍ଷା କେନ୍ଦ୍ରକୁ ଆସିବାରେ ସେମାନଙ୍କୁ ଅସୁବିଧା ହେଉଛି ସେମାନଙ୍କ ପାଖରେ ବିଏମ୍‌ସି ପକ୍ଷରୁ ମୋବାଇଲ୍ ଟିମ୍ ପଠାଯାଇ ସାମ୍ପଲ କଲେକ୍ସନର ବ୍ୟବସ୍ଥା କରାଯିବ। ଏହାଦ୍ଵାରା ରାଜଧାନୀ ଭୁବନେଶ୍ଵରର ଅନେକ ବରିଷ୍ଠ ନାଗରିକମାନେ ଉପକୃତ ହୋଇପାରିବେ। ତେଣୁ ଲକ୍ଷଣ ଥିଲେ ତାହାକୁ ନ ଲୁଚାଇ ହେଲ୍ପଲାଇନ ନମ୍ଵରରେ କଲ୍ କରି ଜଣାନ୍ତୁ”, କହିଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂ।

ସେହିପରି କୋଭିଡ୍ ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବାରେ ହଇରାଣ ହେଉଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ମଧ୍ୟ ବିଏମ୍‌ସି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯଦି କେହି ବରିଷ୍ଠ ନାଗରିକ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି, ତେବେ ବିଏମ୍‌ସି ସେମାନଙ୍କୁ ଟିକା କେନ୍ଦ୍ରକୁ ନେବା ଆଣିବାର ବ୍ୟବସ୍ଥା କରିବ।ଏହାସହ ଭୁବନେଶ୍ଵରରେ ଟିକାକରଣ କେନ୍ଦ୍ର ବଢ଼ାଇବାକୁ ବିଏମ୍‌ସି ଯୋଜନା କରୁଛି। ଅନ୍ୟପଟେ ଭୁବନେଶ୍ଵରରେ ଚାଲୁଥିବା ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍ ଅବଧି ଶନିବାର ଶେଷ ହେଉଥିବାବେଳେ ଏହାକୁ ଜାରି ରଖିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ଏଥିପାଇଁ ଶନିବାର ସନ୍ଧ୍ୟାରୁ ସ୍ଲଟ ବୁକିଂ ଆରମ୍ଭ ହେବ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି।

Comment