ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେଇ ସେମାନଙ୍କ କ୍ୟାରିୟର ସ୍ୱପ୍ନ ସାକାର କରିବା ଲାଗି ‘ସୁଦକ୍ଷ’ କାର୍ଯ୍ୟକ୍ରମ ଚାଲିଛି। ପ୍ରଥମ ବ୍ୟାଚ୍‌ରେ ଏହାର ୩ଟି କେନ୍ଦ୍ରରୁ ଛାତ୍ରଛାତ୍ରୀମାନେ ସଫଳତାର ସହ କୋଚିଂ ଶେଷ କରିଛନ୍ତି। ଚଳିତ ମାସ ୧୧ ତାରିଖରୁ ଦ୍ୱିତୀୟ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ କୋଚିଂ ଆରମ୍ଭ ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କୋଚିଂ କ୍ଲାସ୍ ଭର୍ଚୁଆଲ୍ ମାଧ୍ୟମରେ କରାଯାଉଛି।

ଗତ ମେ’ ୧ ତାରିଖରେ ‘ସୁଦକ୍ଷ’ର ତିନୋଟି କେନ୍ଦ୍ରରୁ ପ୍ରଥମ ବ୍ୟାଚ୍‌ର ପ୍ରାର୍ଥୀମାନେ ୩ ମାସିଆ କୋଚିଂ ଶେଷ କରିଥିଲେ। ଦ୍ୱିତୀୟ ବ୍ୟାଚ୍‌ରେ ‘ସୁଦକ୍ଷ’ର ତିନୋଟିଯାକ କେନ୍ଦ୍ରରେ ୫୦ ଜଣ କରି ମୋଟ ୧୫୦ ପ୍ରାର୍ଥୀ ନାମ ଲେଖାଇଛନ୍ତି। ପ୍ରଥମେ ସେମାନଙ୍କର ଓରିଏଣ୍ଟେସନ କରାଯିବା ପରେ ଅନ୍‌ଲାଇନ୍ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଛି । କୋଭିଡ୍ ସମୟରେ ଘରେ ରହି ସେମାନେ ଅନ୍‌ଲାଇନ୍‌ରେ କ୍ଲାସ୍ କରୁଛନ୍ତି। ଏଥିପାଇଁ କେନ୍ଦ୍ର ପକ୍ଷରୁ ସମସ୍ତଙ୍କୁ ଇଣ୍ଟରନେଟ୍ ଡାଟା ପ୍ୟାକ୍ ଦିଆଯାଇଛି। ତେବେ କୌଣସି ସ୍ଥାନରେ ଇଣ୍ଟରନେଟ ସମସ୍ୟା ଯୋଗୁଁ କୌଣସି ପିଲା କ୍ଲାସ୍ କରି ନପାରିଲେ, ସେମାନଙ୍କ ପାଇଁ ଅତିରିକ୍ତ କ୍ଲାସ୍ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

ସଠିକ୍ ମାର୍ଗଦର୍ଶନ ଅଭାବରୁ ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅନେକ ସମୟରେ ସଫଳତା ପାଇପାରୁ ନଥିଲେ। ମାଗଣାରେ କୋଚିଂ ସୁବିଧା ଯୋଗାଇଦେଇ ସେମାନଙ୍କ ନିଯୁକ୍ତି ସମ୍ଭାବନା ବଢ଼ାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’ ଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)। ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟତି ଫାଉଣ୍ଡେସନ ଏହାର ପରିଚାଳନା ଦାୟିତ୍ୱ ନେଇଛି।

ଏହି କାର୍ଯ୍ୟକ୍ରମ ଜରିଆରେ ୧୭ରୁ ୨୮ ବର୍ଷ ବୟସ ମଧ୍ୟରେ +୨ ଓ +୩ ଉତ୍ତୀର୍ଣ୍ଣ ଯୁବକ ଯୁବତୀଙ୍କୁ ଏହି କୋଚିଂ ପାଇଁ ବଛାଯାଉଛି। ବ୍ୟାଙ୍କିଙ୍ଗ ଓ ବୀମାକ୍ଷେତ୍ର, ଷ୍ଟାଫ୍ ସିଲେକ୍ସନ, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ, ଓଡ଼ିଶା ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଇତ୍ୟାଦିରେ ନିଯୁକ୍ତି ଲକ୍ଷ୍ୟ ରଖି ପିଲାଙ୍କୁ କୋଚିଂ ଦିଆଯାଉଛି। ପ୍ରଶାସନ ମାଗଣାରେ କୋଚିଂ ସହ ହଷ୍ଟେଲରେ ରହିବା, ଖାଇବା, ୟୁନିଫର୍ମ ଏବଂ ପାଠ୍ୟ ଉପକରଣ ଯୋଗାଇଦେଉଛି।

ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁରେ ୩ଟି ‘ସୁଦକ୍ଷ’ କୋଚିଂ ସେଣ୍ଟର ରହିଛି, ଯେଉଁଠି ଦକ୍ଷ ଶିକ୍ଷକମାନେ କୋଚିଂ ଦେଉଛନ୍ତି। କେନ୍ଦ୍ରରେ ପିଲାମାନଙ୍କୁ ଗଣିତ, ରିଜନିଙ୍ଗ, କମ୍ପ୍ୟୁଟର ଶିକ୍ଷା, ଯୋଗାଯୋଗ ଦକ୍ଷତା, ବ୍ୟକ୍ତିତ୍ୱ ବିକାଶ, ସ୍ପୋକନ ଇଂଲିଶ ଶିକ୍ଷା ସହ ଶାରୀରିକ ଦକ୍ଷତା କୋଚିଂ ମଧ୍ୟ ଦିଆଯାଉଛି।

ଏହି କୋଚିଂ କାର୍ଯ୍ୟକ୍ରମ ଜିଲ୍ଲାର ରାଜଗାଙ୍ଗପୁର, ହେମଗିର, କୁତ୍ରା, କୁଆରମୁଣ୍ଡା, ଲହୁଣିପଡ଼ା ଓ କୋଇଡ଼ା ଭଳି ଖଣି ପ୍ରଭାବିତ ୬ଟି ବ୍ଲକର ପ୍ରାର୍ଥୀଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି ତଥା ବିପିଏଲ୍ କାର୍ଡଧାରୀ ପରିବାରର ପିଲାଙ୍କ କ୍ୟାରିୟର ଗଠନରେ ବିଶେଷ ସହାୟକ ହେଉଛି।

Comment