ଓଡ଼ିଶାଲାଇଭ୍ ବ୍ୟୁରୋ

ରଥଖଳାରେ ପଶିଲା କରୋନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣରେ ନିୟୋଜିତ ୩ ମହାରଣାଙ୍କ ସମେତ ୫ଜଣ ଭୋଇ ସେବକ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି। ଏଥିସହ କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ମିଳିଛି।

ରଥ ନିର୍ମାଣ କାର୍ଯ୍ୟ ନେଇ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଥ ନିର୍ମାଣ ଓ ସେବାୟତମାନଙ୍କ କରୋନା ଟେଷ୍ଟ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ନଜରରେ ରଖି ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଯେଉଁ ସେବାୟତମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ରଥ ତିଆରି କାମ ପାଇଁ ଅନୁମତି ମିଳିବ। ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତଙ୍କୁ ଏନ-୯୫ ମାସ୍କ ଦିଆଯିବ। ଜିଲ୍ଲାପାଳ ପ୍ରତେକ ଦିନ ରଥ କାମର ସମୀକ୍ଷା କରିବେ ବୋଲି ବୈଠକରେ ଆଲୋଚନା ହୋଇଛି।ଅନ୍ୟପଟେ ରାଜ୍ୟରେ ବଢ଼ିବାରେ ଲାଗିଛି କୋଭିଡ୍ ସଂକ୍ରମଣ। ଏଥିରୁ ବାଦ୍ ପଡ଼ିନି ପୁରୀ ଜିଲ୍ଲା। ପ୍ରତିଦିନ ସେଠାରୁ ୩୫୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ମେ’ ୨୦ ତାରିଖରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ମେ’୧୯ରେ ୩୫୬, ମେ’୧୮ରେ ୪୭୨ ଓ ମେ’୧୭ ତାରିଖରେ ୩୫୦ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ସରକାରୀ ରିପୋର୍ଟ ଅନୁସାରେ ଜିଲ୍ଲାରେ ଏଯାବତ୍ ୧୪୫ଜଣ କରୋନାରେ ଆଖି ବୁଜିଛନ୍ତି।

Comment