ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ ଡଟ୍ ଇନ୍‌ର ମୁଖ୍ୟ ଧୃତିକାମ ମହାନ୍ତି ଆଜି ଡାକ୍ତରଖାନା ବେଡ୍‌ରେ ରହି ଜନ୍ମଦିନ ପାଳନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲରେ କୋଭିଡ୍ ପାଇଁ ଗତ କିଛିଦିନ ଧରି ସେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଦିନ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଡାକ୍ତରଖାନା ଟିମ୍ ପକ୍ଷରୁ ଧୃତିକାମଙ୍କ ପାଇଁ ଏହି ଆୟୋଜନ କରାଯାଇଥିଲା।

ସମ୍ପୃକ୍ତ ୱାର୍ଡର ଡାକ୍ତର, ନର୍ସମାନେ ଉପସ୍ଥିତ ରହି ଧୃତିକାମଙ୍କୁ ଜନ୍ମଦିନ ଲାଗି ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ତାଙ୍କର କିଛି ବନ୍ଧୁଙ୍କ ବାର୍ତ୍ତା ପଢ଼ି ତାଙ୍କୁ ଉତ୍ସାହିତ କରିଥିଲେ।

ମେଡିକାଲ ଟିମ୍ ପକ୍ଷରୁ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରି ଅଭିନନ୍ଦନର ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ଏଭଳି ଜଟିଳ ସମୟରେ ତାଙ୍କର ଚିକିତ୍ସା କରିଥିବାରୁ ଧୃତିକାମ ଓ ତାଙ୍କ ପରିବାର ଡାକ୍ତର, ନର୍ସ ଏବଂ ଅନ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସମୟରେ ତାଙ୍କ ପରିବାର ପାଖରେ ଠିଆ ହୋଇଥିବା ବନ୍ଧୁ ଓ ସହଯୋଗୀମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

କିଛିଦିନ ତଳେ ଧୃତିକାମ ମହାନ୍ତି କୋଭିଡ୍‌ରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନ୍‌ରେ ଚିକିତ୍ସା କରୁଥିଲେ। ତେବେ ତାଙ୍କର ଦେହ ବିଗିଡ଼ିବାରୁ ତାଙ୍କୁ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କୋଭିଡ୍ ଜଟିଳତାରୁ ବାହାରି ଏବେ ସେ ସୁସ୍ଥ ହୋଇ ଆସୁଛନ୍ତି।

ବରିଷ୍ଠ ସାମ୍ବାଦିକ ଧୃତିକାମଙ୍କୁ ତାଙ୍କ ଜନ୍ମଦିନ ଅବସରରେ ‘ଓଡ଼ିଶାଲାଇଭ୍‌’ ସମ୍ପାଦକ ନୀଳାମ୍ବର ରଥ ଓ ଟିମ୍ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀଯୁକ୍ତ ରଥ ମଧ୍ୟ ଆପୋଲୋ ହସ୍‌ପିଟାଲର ଡାକ୍ତର, ନର୍ସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତା’ ସହିତ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ‘ସମ୍ବାଦ’ ପରିବାର ଧୃତିକାମଙ୍କ ପରିବାର ପାଖରେ ଦୃଢ଼ ହୋଇ ଠିଆ ହୋଇଥିବାରୁ ଶ୍ରୀଯୁକ୍ତ ରଥ ଧନ୍ୟବାଦ ଦେଇଛନ୍ତି।

ବହୁଭାଷୀ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍‌’ର ନିର୍ଦ୍ଦେଶିକା ପ୍ରଣତୀ ପରିଡ଼ା କୋଭିଡ୍‌କୁ ଜିତିଥିବାରୁ ଜନ୍ମଦିନ ଅବସରରେ ଧୃତିକାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍ ଆଜି ସାଧାରଣ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଏହି ରୋଗକୁ ଜୟ କରିବା ପାଇଁ ଚିକିତ୍ସା ସହିତ ଦୃଢ଼ ମନୋବଳ ଏବଂ ବନ୍ଧୁ ଓ ପରିଜନଙ୍କ ଭଲପାଇବା ଦରକାର। ଧୃତିକାମଙ୍କ କାହାଣୀ ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here