ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି। କରୋନା ସଙ୍କଟ ଭିତରେ ସମସ୍ତ ପ୍ରକାର କଟକଣାକୁ ମାନି ବାୟୋ ବବଲ୍ ପରିସରରେ ମହାପ୍ରଭୁଙ୍କ ତିନି ରଥ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ନୀତି ଅନୁସାରେ ଅକ୍ଷୟ ତୃତୀୟା ଦିନଠାରୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ରଥ ତିଆରି କାର୍ଯ୍ୟକ୍ରମ। ପ୍ରଥମେ ତୁମ୍ବ ନିର୍ମାଣ, ତା’ପରେ ବିନ୍ଧ ଖୋଳା, ଆଉ ଏବେ ଅର ବାଡ଼େଇବା କାର୍ଯ୍ୟ ଚାଲିଛି।ଶୁକ୍ରବାର ରଥ ନିର୍ମାଣର ଚତୁର୍ଦ୍ଦଶ ଦିବସ। ଆଜି ସିଙ୍ଗଡ଼ା ବାଡ଼ିଆ ନୀତି ପାଳିତ ହୋଇଯାଇଛି। ରଥଖଳାଠାରେ ତୁମ୍ବ ଗୁଡ଼ିକରେ ବିନ୍ଧ ଓ ଠେକ ତୁଲିଆ କାର୍ଯ୍ୟ ସହ ରୂପକାର ସେବକମାନଙ୍କ ଦ୍ୱାରା ନିଖୁଣ ଭାବରେ ଗୁଜ କାମ ମଧ୍ୟ ଆଗେଇ ଚାଲିଛି।

ତୁମ୍ବରେ ଅର ଯୋଡ଼ିବାକୁ ସିଙ୍ଗଡ଼ା ବାଡ଼ିଆ କୁହାଯାଏ। ଏଥିପାଇଁ ପୂର୍ବରୁ ଯନ୍ତାଗାଡ଼ ନିର୍ମାଣ ଶେଷ ହୋଇଥିଲା। ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ କରିବା ପାଇଁ ୩ଟି କାଠ ଗଣ୍ଡି ପୋତା ଯାଇଥିଲା। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଉପସ୍ଥିତିରେ ଏହି ନୀତି ପାଳନ କରାଯାଇଛି। ଏଥିସହ ଆଜି ପଇ ଅନୁକୂଳ ମଧ୍ୟ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଗୁରୁବାର ଦିନ ସମୁଦାୟ ୧୫୦ କାରିଗର ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମହାରଣା ସେବକ ୫୭ ଓ ଭୋଇ ସେବକ ୫୭ ଜଣ ରହିଛନ୍ତି। ଏଥିସହ କରତି ୪, କମାର ୧୫, ରୂପକାର ସେବକ ୧୩ ଜଣ ରହିଛନ୍ତି।

ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଓ ଦର୍ପଦଳନ ରଥର ମୁଖ୍ୟ କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ କାର‌୍ୟ୍ୟ ଜୋରସୋରରେ ଚାଲିଛି। ସେହିପରି ଭୋଇ ସେବୟାତମାନଙ୍କ ମୁଖ୍ୟ ରବି ଭୋଇ ଏବଂ ଅନ୍ୟାନ୍ୟ ୬ଭୋଇ ମୁଖିଆଙ୍କ ନେତୃତ୍ୱରେ ରଥର ପାରିପାର୍ଶ୍ୱିକ କାର୍ଯ୍ୟ ଚାଲିଛି।

Comment