ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି। ଶ୍ରୀମନ୍ଦିର ସମ୍ମୁଖରେ ବାୟୋ ବବଲ୍‌ ପରିସରରେ ସେବାୟତମାନେ ଯୁଦ୍ଧକାଳୀନ ଭିତ୍ତିରେ ରଥ କାର୍ଯ୍ୟରେ ଲାଗିଛନ୍ତି। ନୀତି ଅନୁସାରେ ଅକ୍ଷୟ ତୃତୀୟା ଦିନ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ। ଏହାପରେ ତୁମ୍ବ ନିର୍ମାଣ, ବିନ୍ଧ ଖୋଳା ଏବଂ ଅର ବାଡେଇବା କାର୍ଯ୍ୟ ଚାଲିଛି।

ଆସନ୍ତା ଜୁନ୍‌ ୩ତାରିଖରେ ପାଳନ କରାଯିବ ମହାପ୍ରଭୁଙ୍କ ଭଉଁରୀ ଉତ୍ସବ। ରଥ ନିର୍ମାଣ ପରମ୍ପରା ଅନୁସାରେ ଚକ ଏବଂ ଅଖ ସଂଯୁକ୍ତ ହେବ। ଏହାପୂର୍ବରୁ ତାଳଧ୍ୱଜ, ନନ୍ଦିଘୋଷ, ଦେବଦଳନ ତିନି ରଥ ପାଇଁ ୬ଚକ ଓ ୩ଅଖ କାମ ସରିବ। ଏଥିପାଇଁ ତିନି ରଥର ବିଶ୍ୱକର୍ମା ବିଜୟ ମହାପାତ୍ର, ନରସିଂହ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ରଥ ନିର୍ମାଣ କାମ ଜୋରସୋର୍‌ରେ ଚାଲିଛି।ଆଜି ହେଉଛି ରଥ ନିର୍ମାଣର ପଞ୍ଚଦଶ ଦିବସ। ଆଜିର ଦିନରେ ରଥଖଳାରେ ରୂପ ସେବକମାନଙ୍କ ଦ୍ୱାରା ଗୁଜ କାର୍ଯ୍ୟ ସହ ସିଙ୍ଗଡ଼ା ବାଡ଼ିଆ ଓ ପଇ କାମ ଆଗେଇଚାଲିଛି।

ଶୁକ୍ରବାର ଭୋଇ ସେବକ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ ନୀତି ଅନୁକୂଳ କରାଯାଇଥିଲା। ଏହାପରେ ସେବକମାନେ ତୁମ୍ବରେ ବିନ୍ଧ କରି ଅରକୁ ପୋତିଥିଲେ। ତୁମ୍ବର ବିନ୍ଧରେ ଅର ସଂଯୁକ୍ତ କରି କାଠ ଗଣ୍ଡି ଉପରେ ଠିଆ ହୋଇ ଭୋଇ ସେବକ କୋରା ମୁଣ୍ଡାରେ ଅରର ଅନ୍ୟ ମୁଣ୍ଡକୁ ପିଟିଥିଲେ । ଏହିପରି ଭାବରେ ଅର ସଂଯୋଗ କରାଯାଇଥିଲା।ଅନ୍ୟପଟେ ଏବେ ରଥଖଳାରୁ କୌଣସି ବି ସେବକ କରୋନା ସଂକ୍ରମଣ ହୋଇନଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସେ ଆଉ ମଧ୍ୟ କହିଛନ୍ତି ରଥ ନିର୍ମାଣ ସମୟରେ କରୋନା କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଥିବାରୁ ଏଭଳି ସମ୍ଭବ ହୋଇପାରିଛି। ପୂର୍ବରୁ ପ୍ରାୟ ୧୮ଜଣ ସେବାୟତ କରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି।

Comment