ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ପ୍ରସ୍ତୁତି। ଆଗକୁ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି। ଭୋଇ, କମାର, ସେବକ ଓ ରୂପକାରମାନେ ରଥ ତିଆରିରେ ଲାଗିପଡ଼ିଛନ୍ତି। ରାଜ୍ୟରେ କରୋନା ସଂକଟ ଟଳି ନଥିବାରୁ ସମସ୍ତ ସେବାୟତଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଇ ରଥଖଳାକୁ ଯିବାକୁ ଅନୁମତି ଦିଆଯାଉଛି।

ଆଜି ରଥ ଖଳାରେ ଅଖ ଅନୁକୂଳ କରାଯାଇଥିଲା। ପରେ ଅର କାମ ସହ ବିଲେଇ ବାଡ଼ିଆ କାର୍ଯ୍ୟ ଚାଲିଥିଲା। ବିଲେଇ ବାଡେଇବା କାର୍ଯ୍ୟ କହିଲେ, ଅରରେ ପଇ ସଂଯୋଗ କରି ବିନ୍ଧରେ କିଳା ବାଡେଇ ପଇକୁ ଖାପ ଦେବା।ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ରବିବାର ଦିନ ନାହାକା ଚକରେ ପଇତା ପିନ୍ଧାଯାଇଥିଲା। ପଇର ମଝି ଅଂଶରେ ଥିବା ଅଢେ଼ଇ ଇଞ୍ଚର ଏକ ବିଟ ଭଳି ଚକ୍ରାକାର ବଳୟକୁ ପଇତା କୁହାଯାଇଥାଏ। ଚକର ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଇଥାଏ ଏହି ପଇତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭଉଁରୀ ଉତ୍ସବକୁ ଦୃଷ୍ଟିରେ ରଖି କାମ ଆଗେଇ ଚାଲିଛି।ଅନ୍ୟପଟେ ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ା ତିଆରି କରି ରଥଖଳାକୁ ଯୋଗାଉଛନ୍ତି। ବିଶ୍ୱକର୍ମାମାନେ ପଇରେ ବିନ୍ଧ କରି ଚକ ପ୍ରସ୍ତୁତି କରୁଛନ୍ତି। ବିଲେଇ ବାଡ଼ିଆ ପଦ୍ଧତିରେ ତିନି ରଥର ଚକ ତିଆରି ଚାଲିଛି । ରୂପକାର ସେବକମାନେ ନିଖୁଣ ଗୁଜ ତିଆରି କରିବାରେ ବ୍ୟସ୍ତ ରହିଛନ୍ତି। ସମୁଦାୟ ୧୭୧ଜଣ ସେବାୟତ ରଥ କାର୍ଯ୍ୟରେ ଲାଗିଛନ୍ତି।

Comment