ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋର୍‌ସୋରରେ ପ୍ରସ୍ତୁତି ଚାଲିଛି। କରୋନା ସଙ୍କଟ କାଳରେ ବାୟୋ ବବଲ୍‌ ପରିସରରେ ସେବାୟତମାନେ ରଥ ନିର୍ମାଣ କରୁଛନ୍ତି। ସମସ୍ତ ସେବାୟତଙ୍କର କରୋନା ଟେଷ୍ଟ କରାଯାଇ, ସେମାନଙ୍କୁ ରଥଖଳାକୁ ଯିବାକୁ ଅନୁମତି ଦିଆଯାଉଛି। ଆସନ୍ତାକାଲି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ ଅନୁଷ୍ଠିତ ହେବ। ଭଉଁରୀ ଉତ୍ସବ ପୂର୍ବରୁ ତିନି ରଥର ୪୨ଚକ ଓ ୨୧ଅଖ କାମ ସମ୍ପୂର୍ଣ୍ଣ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ରଥ କାମରେ ଲାଗିପଡ଼ିଛନ୍ତି।ଆଜି ସମୁଦାୟ ୧୭୪ସେବାୟତ ରଥ କାମରେ ନିୟୋଜିତ ଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦିନ ୩ଟା ସୁଦ୍ଧା ନନ୍ଦିଘୋଷ ରଥର ୮ଟି ଯାକ ଚକ ନିର୍ମାଣ ସରିଥିଲା। ସେହିପରି ତାଳଧ୍ୱଜ ଓ ଦେବଦଳନ ରଥର ୬ଟି ଲେଖାଏଁ ଚକ କାମ ମଧ୍ୟ ସରିଛି। ବାକି ଚକ କାର୍ଯ୍ୟ ରଥ ନିର୍ମାଣ ସେବକଙ୍କ ଦ୍ୱାରା ଆଗେଇଚାଲିଛି।ଅନ୍ୟପକ୍ଷରେ ବୁଧବାର ବଡ଼ଦାଣ୍ଡରେ ରଥ ଦଉଡ଼ି ଆସି ପହଞ୍ଚିଛି। କତା ନିଗମ ପକ୍ଷରୁ ୧୪ଟି ରଥ ଦଉଡ଼ି ଯୋଗାଇ ଦିଆଯାଇଛି। ଆସନ୍ତା କାଲି କୋଭିଡ୍‌ କଟକଣା ଭିତରେ ବିନା ଭକ୍ତରେ ମହାପ୍ରଭୁଙ୍କ ଭଉଁରୀ ଉତ୍ସବ ପାଳିତ ହେବ। ସିଂହଦ୍ୱାରଠାରୁ ରଥଖଳା, ରଥଖଳାରୁ ବଡ଼ଦାଣ୍ଡ ଓ ବଡ଼ଦାଣ୍ଡରୁ ନରେନ୍ଦ୍ର ପୋଖରୀ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯିବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ ପ୍ରାୟ ୨ପ୍ଲାଟୁନରୁ ଅଧିକ ପୋଲିସ୍‌ ଫୋର୍ସ ମୂତୟନ କରାଯାଇଛି।

Comment