ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ। ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡେରା ନୀତି ସମ୍ପନ୍ନ ହେବ। ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ତିନି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଲେଖା ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଉଛି।

ଅନ୍ୟପଟେ ତିନି ରଥର ମୋଟ ୪୨ଟି ଚକରୁ ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ ଚକ ନିର୍ମାଣ କାମ ସରିଛି। ବାକି ଚକଗୁଡିକର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି।

ଭଉଁରୀ ଉତ୍ସବ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ତା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଛନ୍ତି। ସେଠାରେ ଆଜ୍ଞାମାଳକୁ ମହାରଣା ସେବକମାନେ ରଥରେ ପ୍ରଦାନ କରିଛନ୍ତି। ଏହାପରେ ନିର୍ମାଣାଧିନ ତିନି ରଥର ତିନିଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କାର୍ଯ୍ୟ ଜାରି ରହିଛି।ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରାୟ ତିନି ପ୍ଲାଟୁନରୁ ଊର୍ଦ୍ଧ୍ୱ ପୋଲିସ ଫୋର୍ସ ମୂତୟନ କରାଯାଇଛି। ଏଥିସହ ବଡଦାଣ୍ତ, ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଏହାବ୍ୟତୀତ ସମସ୍ତ କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ଭଉଁରୀ ଉତ୍ସବ ପାଳନ କରାଯାଉଛି।

Comment