ଓଡ଼ିଶାଲାଇଭ୍‌ ବ୍ୟୁରୋBICYCLE

ଆଜି ଜୁନ୍ ୩, ବିଶ୍ୱ ବାଇସାଇକେଲ ଦିବସ। ୨୦୧୮ରୁ ପ୍ରତିବର୍ଷ ଏହି ଦିନକୁ ବିଶ୍ୱ ବାଇସାଇକେଲ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆସନ୍ତୁ ଜାଣିବା ସାଇକେଲ ଚଳାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ।

ଯାନବାହାନ ବ୍ୟବହାର ଦ୍ୱାରା ସେଥିରୁ ନିର୍ଗତ ଧୂଆଁ ପରିବେଶକୁ ପ୍ରଦୂଷଣ କରିଥାଏ। ଫଳରେ ଏହି ଧୂଆଁ କାରଣରୁ ମଣିଷ ଜାତି ଅନେକ ରୋଗର ଶିକାର ହୋଇଥାନ୍ତି। କିନ୍ତୁ ସାଇକେଲ ବ୍ୟବହାର କରିବା ଦ୍ୱାରା ମଣିଷକୁ ବାୟୁ ପ୍ରଦୂଷଣ ଜନିତ ରୋଗର ସାମ୍ନା କରିବାକୁ ପଡ଼ିବନାହିଁ ଏବଂ ଏକ ସୁସ୍ଥ ସବଳ ପରିବେଶ ଗଠନ ହୋଇପାରିବ।ସେତିକି ଆବଶ୍ୟକ ନଥିଲେ ଗାଡ଼ିରେ କେଉଁ ସ୍ଥାନକୁ ଯିବା ଅପେକ୍ଷା ସାଇକେଲ ମାଧ୍ୟମରେ ଯିବା ଭଲ। କାରଣ ସାଇକେଲରେ ଗଲେ ଏକ ପ୍ରକାରର ଶାରୀରିକ ବ୍ୟାୟାମ ହୋଇପାରିବ। ଏହା ଫଳରେ ଶରୀରରେ ଥିବା ବିଭିନ୍ନ ରୋଗକୁ ଦୂର କରିହେବ।

ଯାନବାହନ ବହୁଳ ବ୍ୟବହାର କରିବା ଫଳରେ ଏହାର ଇନ୍ଧନର ଆମଦାନୀ ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯାହା ଆମ ଅର୍ଥନୀତିକୁ ପ୍ରଭାବିତ କରୁଛି। ହେଲେ ଅଧିକରୁ ଅଧିକ ଲୋକ ସାଇକେଲ ବ୍ୟବହାର କଲେ ଏହା ଦ୍ୱାରା ଆମେ ଉକ୍ତ ଇନ୍ଧନକୁ ବଞ୍ଚାଇ ପାରିବା। ଏହା ଆମ ଦେଶ ଅର୍ଥନୀତିକୁ ମଧ୍ୟ ସୁସ୍ଥ କରିବାରେ ସହାୟକ ହେବ।ଅଶି ଓ ନବେ ଦଶକରେ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ଭାବେ ପ୍ରତି ଘରେ ଘରେ ପରିଚିତ ଥିଲା ସାଇକେଲ। ସେତେବେଳେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ସମସ୍ତଙ୍କୁ ସାଇକେଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏଥିସହ ଲୋକମାନେ ସାଇକେଲକୁ ଯୌତୁକରେ ନେବାକୁ ଦାବି ମଧ୍ୟ କରୁଥିଲେ। ବର୍ତ୍ତମାନ ଯଦିଓ ଲୋକମାନେ ସାଇକେଲ ଉପରେ ଏତେଟା ନିର୍ଭର କରୁନାହାଁନ୍ତି କିନ୍ତୁ ତା’ର ଲୋକପ୍ରିୟତା ଏବେବି ରହିଛି।BICYCLEଗାଁ ଏବଂ ସହରରେ ଲୋକମାନେ ଏବେବି ସାଇକେଲ ଚଳାଉଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ଏବେ ବଜାରରେ ବିଭିନ୍ନ ପ୍ରକାରର ସାଇକେଲ ମିଳୁଛି। ଯୁବବର୍ଗଙ୍କର ପ୍ରିୟ ହୋଇଛି ସାଇକେଲ। କାରଣ ଏହି ଶ୍ରେଣୀର ବ୍ୟକ୍ତିମାନେ ସବୁବେଳେ ନିଜକୁ ଫିଟ୍‌ ରଖିବାକୁ ପସନ୍ଦ କରିଥାନ୍ତି। ତେଣୁ ଏବେବି ଅନେକ ବ୍ୟକ୍ତି ସକାଳୁ ଉଠିଲେ କିମ୍ବା ସନ୍ଧ୍ୟାରେ ସାଇକେଲ ଚଳାଇବାର ଅଭ୍ୟାସ ରଖିଛନ୍ତି। ପ୍ରତିଦିନ ସାଇକେଲ ଚଳାଇଲେ ଓଜନ ହ୍ରାସ ହେବାସହ ଶରୀର ଫିଟ୍‌ ରହିଥାଏ।

Comment