ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ପୌରପାଳିକାରେ ୧୮-୪୪ ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୋମବାର ଦିନ ସରକାରୀ ମହିଳା ମହାବିଦ୍ୟାଳୟସ୍ଥିତ ଟିକାକରଣ କେନ୍ଦ୍ରକୁ ଉଦଘାଟନ କରି ଏହାର ଶୁଭାରମ୍ଭ କରିଥିଲେ। ବେଶ୍ ଉତ୍ସାହର ସହ ଯୁବପିଢ଼ି ନିଜ ପାଳିରେ ଆସି ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଦୁଇଟି କେନ୍ଦ୍ରରେ ଚାଲିଥିବା ଟିକାକରଣର ପ୍ରଥମ ଦିନରେ ୨୬୫୯ ଜଣ ହିତାଧିକାରୀ ଟିକା ନେଇଛନ୍ତି।

ସୁନ୍ଦରଗଡ଼ ପୌରପାଳିକା କ୍ଷେତ୍ରରେ ୧୮-୪୪ ବର୍ଷ ବର୍ଗ ପାଇଁ ରବିବାର ଦିନ ସ୍ଲଟ୍ ଖୋଲିଥିଲା। ସୋମବାର ଦିନ ଟିକାକରଣ ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଏନଟିପିସି ହସ୍ପିଟାଲ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ ଦୁଇଟି କେନ୍ଦ୍ର କରାଯାଇଛି। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସପି ସାଗରିକା ନାଥ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ତଦାରଖ କରିଥିଲେ।‘‘ରାଉରକେଲା ମହାନଗର ନିଗମ ପରେ ସୁନ୍ଦରଗଡ଼ ପୌରପାଳିକାରେ ଯୁବପିଢ଼ିଙ୍କୁ ଟିକାଦାନ ଆରମ୍ଭ ହୋଇଛି। ସମସ୍ତ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବର୍ଗରେ ସୁନ୍ଦରଗଡ଼ର ସମସ୍ତ ହିତାଧିକାରୀଙ୍କୁ ଟିକା ଦିଆଯିବ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଲୋକମାନେ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ ସମୟରେ ଆସି ସମ୍ପୂର୍ଣ୍ଣ କୋଭିଡ୍ ନିୟମ ପାଳନ କରି ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି।ପ୍ରଥମ ଦିନରେ ଟିକାଦାନକୁ ନେଇ ଯୁବପିଢ଼ିଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କୋଭିଡ୍ ନିୟମ ପାଳନ କରି ସମସ୍ତେ ଟିକା ନେଇଥିଲେ। ମୁହଁରେ ମାସ୍କ ପିନ୍ଧିବା ସହ କେନ୍ଦ୍ରରେ ପରସ୍ପରଠାରୁ ଶାରୀରିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଟିକାକରଣ କେନ୍ଦ୍ରରେ ହିତାଧିକାରୀଙ୍କ ପାଇଁ ବସିବାର ଯଥେଷ୍ଟ ବ୍ୟବସ୍ଥା ସହ ପିଇବା ପାଣିର ବନ୍ଦୋବସ୍ତ କରାଯାଇଛି। କୋଭିଡରୁ ସୁରକ୍ଷା ପାଇଁ ଟିକା ମିଳିଥିବାରୁ ଯୁବପିଢ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

‘‘ସୁନ୍ଦରଗଡ଼ ସହରରେ ଯୁବପିଢ଼ିଙ୍କ ଟିକାଦାନ ପାଇଁ ପ୍ରଥମ ଦିନରେ ପ୍ରାୟ ୩୦୦୦ ସ୍ଲଟ୍ ବୁକ୍ କରାଯାଇଥିଲା। ସେମାନଙ୍କ ପାଇଁ ଏହି ଟିକାଦାନ ପ୍ରକ୍ରିୟା ଜାରି ରହିବ। ଏହା ସହିତ ଖୁବଶୀଘ୍ର ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକାରେ ୧୮-୪୪ ବର୍ଷ ବର୍ଗଙ୍କ ଲାଗି ପର୍ଯ୍ୟାୟକ୍ରମେ ଟିକାଦାନ ଆରମ୍ଭ ହେବ’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।ସୁନ୍ଦରଗଡ଼ ପୌରପାଳିକାରେ ଯୁବପିଢ଼ିଙ୍କ ଟିକାକରଣ ଲାଗି ବୁଧବାର ପର୍ଯ୍ୟନ୍ତ ସ୍ଲଟ୍ ଦିଆଯାଇଛି। ଏନଟିପିସି ହସ୍ପିଟାଲ ଏବଂ ସରକାରୀ ମହିଳା ମହାବିଦ୍ୟାଳୟ, ଦୁଇଟିଯାକ ଟିକାକରଣ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍‌ଣ ୧ଟା ଏବଂ ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଟିକା ଦିଆଯାଉଛି। ସେହିପରି ୪୫ ପ୍ଲସ୍ ବର୍ଗରେ ମଧ୍ୟ ଟିକାଦାନ ଚାଲିଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଜେରିଆଟିକ୍ ୱାର୍ଡରେ ଟିକାକରଣ କେନ୍ଦ୍ର କରାଯାଇଛି।

Comment