ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ମହାନଗର ନିଗମ ପକ୍ଷରୁ ଉଦିତ୍‌ନଗର ସ୍ଥିତ ମ୍ୟୁନିସିପାଲ୍ କଲେଜଠାରେ ସୋମବାର ଏକ ସ୍ୱତନ୍ତ୍ର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦେଶରେ ଉଚ୍ଚତର ଶିକ୍ଷା ନେଉଥିବା ଛାତ୍ରଛାତ୍ରୀ, ଚାକିରି କରୁଥିବା ବ୍ୟକ୍ତି ତଥା ଅଲିମ୍ପିକ୍ସରେ ଭାଗନେବାକୁ ଥିବା କ୍ରୀଡ଼ାବିତ୍‌ମାନଙ୍କୁ ଏଠାରେ କୋଭିଡ୍ ଟିକା ଦିଆଯାଇଥିଲା। ଏଥିରେ ମୋଟ ୩୩ ଜଣ ହିତାଧିକାରୀ ଟିକା ନେଇଥିଲେ।“ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀ, କର୍ମଜୀବୀ ଓ ଖେଳାଳିମାନଙ୍କ ସୁବିଧା ପାଇଁ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି। ଯେଉଁମାନେ ଆଦୌ ଟିକା ନେଇନଥିଲେ, ସେମାନଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିଲା। ଯେଉଁମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନରୁ ଅଧିକ ସମୟ ହୋଇଯାଇଥିଲା, ସେମାନଙ୍କୁ ମଧ୍ୟ ଟିକାର ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା”, କହିଛନ୍ତି ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା।

ଟିକାଦାନ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ଟିକା ନେବାକୁ ଆସିଥିବା ହିତାଧିକାରୀମାନଙ୍କ ସହ କମିସନର ଦିବ୍ୟଜ୍ୟୋତି ପରିଡ଼ା ଆଲୋଚନା କରିଥିଲେ। ଭିସା, ପାସ୍‌ପୋର୍ଟ ତଥା ପାଠ ପଢୁଥିବା ଶିକ୍ଷାନୁଷ୍ଠାନ କିମ୍ବା ଚାକିରି କରୁଥିବା ଅନୁଷ୍ଠାନର କାଗଜପତ୍ର ଦେଖାଇ ହିତାଧିକାରୀମାନେ ଟିକା ନେଇଥିଲେ।“ରାଉରକେଲା ମହାନଗର ନିଗମ ପକ୍ଷରୁ ଯେଉଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ସେଥିରେ ମୁଁ ଟିକାର ଦ୍ୱିତୀୟ ଡୋଜ୍ ନେଲି। ମୋତେ ଉଚ୍ଚତର ଶିକ୍ଷା ପାଇଁ ଲଣ୍ଡନ ଯିବାର ଅଛି। ରାଜ୍ୟ ସରକାରଙ୍କ ପାଇଁ ମୋତେ ଖୁବ୍ ଶୀଘ୍ର ଟିକା ନେବାର ସୁବିଧା ମିଳିପାରିଲା। ବାହାର ରାଜ୍ୟକୁ ଯିବାବେଳେ ଏବେ ମୋତେ ଆର୍‌ଟିପିସିଆର୍ ରିପୋର୍ଟ ଦେବାକୁ ପଡ଼ିବ ନାହିଁ କି ବିଦେଶ ଯିବାବେଳେ ମଧ୍ୟ ସମସ୍ୟା ହେବନାହିଁ”, କହିଛନ୍ତି ରାଉରକେଲା ସହରର ଅମ୍ରିତ ସାହାଣୀ।

ହିତାଧିକାରୀମାନେ ଟିକା ପାଇଁ କେନ୍ଦ୍ରକୁ ଆସି ସିଧାସଳଖ ପଞ୍ଜୀକରଣ କରିବାର ବ୍ୟବସ୍ଥା ହୋଇଥିଲା। ଟିକାଦାନ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ପୂର୍ବକ ସେମାନେ ଟିକା ନେଇଥିଲେ।“ମୋ’ଭଳି ଯେଉଁମାନେ ବିଦେଶକୁ ଫେରି ନିଜର ଉଚ୍ଚଶିକ୍ଷା କିମ୍ବା ବୃତ୍ତିଗତ କାର୍ଯ୍ୟ ଜାରି ରଖିବା ପାଇଁ ଚାହୁଁଥିଲେ, ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ କରିଥିବାରୁ ମୁଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ରାଉରକେଲା ମହାନଗର ନିଗମ ପ୍ରଶାସନକୁ ଧନ୍ୟବାଦ ଦେବି”, କହିଛନ୍ତି ରାଉରକେଲାର ଜଣେ ଛାତ୍ର ସୁଶାନ୍ତ କୁମାର ପାତ୍ର।

ଆଗାମୀ ଦିନରେ ମଧ୍ୟ ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ। ସେମାନେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରି ନିଜର ସ୍ଲଟ୍ ବୁକ୍ କରିପାରିବେ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି।

Comment