ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ସମୟରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା।

କରୋନାରେ ଆକ୍ରାନ୍ତ ହେବାପରେ କଟକର ଏକ ଘରୋଇ ହସ୍ପିଟାଲରେ ଦେବାଶିଷଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ଇକ୍‌ମୋ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ ସେଠାକାର ଡାକ୍ତର। ତେଣୁ ଜୁନ୍ ୮ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଏକମୋ ଚକିତ୍ସା ପାଇଁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା।

କୋଲକାତାର ‘ମେଡିକା’ ହସ୍ପିଟାଲରେ ଯକୃତ ବିଭାଗରେ ତାଙ୍କର ସ୍ବତନ୍ତ୍ର ଚିକିତ୍ସା ଚାଲିଥିଲା। ଚିକିତ୍ସାପରେ ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ କିଛିଟା ସୁଧାର ଆସିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଗୁରୁତର ହୋଇପଡ଼ିଥିଲେ। ପ୍ରତିଦିନ ତାଙ୍କର ଡାଏଲିସିସ୍ ମଧ୍ୟ କରାଯାଉଥିଲା। ଡାଏଲିସିସ୍ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜଣାପଡ଼ିଥିଲା। ତେଣୁ ଏକମୋ ଚିକିତ୍ସା କରାଯାଇଥିଲା। କିନ୍ତୁ ଏହା ବିଫଳ ହୋଇଥିଲା। ଶେଷରେ ଶୁକ୍ରବାର ରାତି ପ୍ରାୟ ୧୦ଟା ୧୫ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ।୧୯୯୧ ବ୍ୟାଚର ଆଇପିଏସ ଅଫିସର ଥିଲେ ଦେବାଶିଷ ପାଣିଗ୍ରାହୀ। ୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ। ଦେବାଶିଷ ଜଣେ ଦକ୍ଷ ପ୍ରଶାସକ ସହ ସୁସାହିତ୍ୟିକ ଓ ଲେଖକ ମଧ୍ୟ ଥିଲେ। ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ବାଣୀବିହାରରୁ ପିଜି କରିବାପରେ ୧୯୯୧ରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ। କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି ପୋଲିସ, ଏଡିଜି ପୋଲିସ ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ।

ପୋଲିସ ବିଭାଗରେ କାର୍ଯ୍ୟ କରିବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଥିଲା। ଜଣେ ଲେଖକ ବ୍ୟତୀତ ଗୀତିକାର ଭାବେ ତାଙ୍କର ଅନେକ ଗୀତ ଓ ନାଟକର ଅଡିଓ ଓ ଭିଡିଓ ଆଲବମ୍ ରହିଛି। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ୯ଟି କ୍ଷୁଦ୍ରଗଳ୍ପ ସଂକଳନ, ୭ଟି ଉପନ୍ୟାସ ଓ ଗୀତି କବିତା ରଚନା କରିଛନ୍ତି। ତାଙ୍କର କ୍ଷୁଦ୍ର ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ଼ ଭାଷାରେ ଅନୁବାଦ ହୋଇଛି। ୨୦୦୨ରେ କ୍ଷୁଦ୍ରଗଳ୍ପ ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।

ଏଭଳି ଜଣେ ଦକ୍ଷ ସମ୍ପନ୍ନ ବ୍ୟକ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଏଥିସହିତ ଟୁଇଟ ଜରିଆରେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଅନ୍ୟପକ୍ଷରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ମରଶରୀର କଟକ ସ୍ଥିତ ଥିବା ବାସଭବନରେ ପହଞ୍ଚିଛି। ଖାନନଗର ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Comment