ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏଥିରେ ରେକର୍ଡ ସଂଖ୍ୟକ ୯୮ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅବଶ୍ୟ ସିବିଏସ୍ଇ ଓ ଆଇସିଏସସି ପରୀକ୍ଷା ଫଳ ଏପର୍ଯ୍ୟନ୍ତ ବାହାରି ନାହିଁ। ସେପଟେ ଚଳିତ ବର୍ଷ ଓଡ଼ିଶା ଦଶମ ବୋର୍ଡ ପରୀକ୍ଷାରେ ଫେଲ ହାର ମାତ୍ର ୨ ପ୍ରତିଶତ ହୋଇଛି। ଫଳ ପ୍ରକାଶ ପାଇବାପରେ ଏବେ ଯୁକ୍ତ ଦୁଇରେ ନାମ ଲେଖା ନେଇ କିଛି ପ୍ରଶ୍ନ ସାମ୍ନାକୁ ଆସିଛି।

ସବୁ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରି ସାରିବାପରେ ଯୁକ୍ତ ଦୁଇ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଢ଼େର ବଢ଼ିଯିବ ବୋଲି ଆକଳନ କରାଯାଉଛି। ସେହି ଅନୁଯାୟୀ ଯୁକ୍ତ ଦୁଇ ସ୍ତରରେ ସିଟ୍ ନଥିବାରୁ ଆଡମିସନ ସମସ୍ୟା ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ସେଭଳି କିଛି ସମସ୍ୟା ଉପୁଜିବ ନାହିଁ ବୋଲି କହିସାରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ସିଟ୍ ସମସ୍ୟା ଦେଖାଦେବ ନାହିଁ। ବଡ଼ ଓ ଭଲ କଲେଜରେ ପଢିବାକୁ ଅନେକ ଛାତ୍ରଛାତ୍ରୀଙ୍କ ଇଚ୍ଛା ରହିଛି। ଆବଶ୍ୟକ ସ୍ଥଳେ ସିଟ୍ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା  ଅଭିଭାବକ ମହଲରେ  କିଛିଟା ଆଶ୍ୱସ୍ତି ଆଣିବା ସ୍ୱାଭାବିକ।ଯୁକ୍ତ ଦୁଇ ସ୍ତରରେ ନାମଲେଖା ପାଇଁ ଓଡ଼ିଶାରେ ମୋଟ ୬ଲକ୍ଷ ୩ ହଜାର ୧୧୩ ସିଟ୍ ରହିଥିବାବେଳେ  କଲେଜକୁ ଆଧାର କରି ସିଟ୍ ବୃଦ୍ଧି କରାଯିବ ବୋଲି ଆପାତତଃ ଚିନ୍ତା କରାଯାଇଛି। ସିବିଏସ୍ଇ, ଆଇସିଏସସି ରେଜଲ୍ଟ ବାହାରିବାପରେ ପିଲାମାନେ ନିଜ ମାର୍କ ଓ ଇଚ୍ଛା ମୁତାବକ ବିଭିନ୍ନ କଲେଜରେ ପଢ଼ିବା ପାଇଁ ଆବେଦନ କରିପାରିବେ। କୌଣସି ନିର୍ଦ୍ଦିଷ୍ଟ କଲେଜ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିଲେ, ଆବଶ୍ୟକତା ଅନୁଯାୟୀ ସେହି ସବୁ କଲେଜର ସିଟ୍ ସଂଖ୍ୟା ବୃଦ୍ଧି କରାଯିବାର ନିଷ୍ପତ୍ତି ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ।କରୋନା ଯୋଗୁ ଏଥର ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲାବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ  ପ୍ରକାଶ କରାଯାଇଛି । ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା କି  ଏକ ରେକର୍ଡ। ଚଳିତ ବର୍ଷ  ମୋଟ ୫,୭୪,୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବାବେଳେ ୪୪୧୨ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇନଥିଲେ।

ପୂର୍ବ ବର୍ଷମାନଙ୍କରେ ଯୁକ୍ତ ଦୁଇ କଲେଜମାନଙ୍କରେ ପ୍ରାୟ ଏକ ଲକ୍ଷ ସିଟ ଖାଲି ରହୁଥିବାବେଳେ ଏବର୍ଷ ନିଅଣ୍ଟ ପଡିବା ଏକ ଅସ୍ୱାଭାବିକ ଘଟଣା। ତେବେ ସାଧାରଣ ଶିକ୍ଷା ଯଥା କଳା, ବାଣିଜ୍ୟ ଓ ବିଜ୍ଞାନ ବ୍ୟତୀତ  ବିଭିନ୍ନ ବୈଷୟିକ ଅନୁଷ୍ଠାନରେ ମଧ୍ୟ ପିଲା ନାମ ଲେଖାଇ ପାରିବେ। ଯଦି ବି କୌଣସି କାରଣରୁ ସିଟ୍ ସଂଖ୍ୟା ବଢ଼ି ନପାରିଲା ଏଣ୍ଟ୍ରାନ୍ସ ମାଧ୍ୟମରେ ଏହି ବର୍ଦ୍ଧିତ ସିଟ୍ ସମସ୍ୟାର ସମାଧାନ କରିବାରେ କୌଣସି ଅସୁବିଧା ସୃଷ୍ଟି ହେବନାହିଁ ବୋଲି ଆଶା କରାଯାଉଛି।

Comment