ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପ୍ରଥମ ଓଡ଼ିଆ ଭାବେ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁନାଇଟେଡ ଆରବ ଏମିରଟ(ୟୁଏଇ)ର ଗୋଲ୍ଡେନ୍ ଭିସା ମିଳିଛି। ଏହି ସମ୍ମାନ ପାଇଁ ସେ ଦୁବାଇରେ ୧୦ବର୍ଷ ପର୍ଯ୍ୟନ୍ତ ରହିପାରିବେ। ପ୍ରଥମ ଓଡ଼ିଆ ଭାବେ ସେ ଏହି ସମ୍ମାନ ପାଇଥିବାରୁ ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ତାଙ୍କର ଏହି ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।ମୟୂରଭଞ୍ଜ ମାଟି କଳା ଏବଂ ସଂସ୍କୃତିର ମାଟି। ବିଗତ ଦିନରେ ଏ ମାଟିର ବହୁ କୃତି ସନ୍ତାନ ନିଜ ପ୍ରତିଭାର ପରିଚୟ ଦେଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏବେ ପୁଣିଥରେ ମୟୂରଭଞ୍ଜ ଜିଲ୍ଲା କଳାଜଗତରେ ଯୋଡି ହୋଇଛି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ। ଜିଲ୍ଲାର ଝିଅ ମୋନା ବିଶ୍ୱରୂପା ପ୍ରଥମ ଓଡ଼ିଆ କଳାକାର ଯିଏକି ଗୋଲ୍ଡେନ ଭିସା ପାଇବାକୁ ସକ୍ଷମ ହୋଇପାରିଛନ୍ତି।ବାରିପଦା ସହରର ଭଞ୍ଜପୁର ନିବାସୀ ସଂଗ୍ରାମ ମହାନ୍ତିଙ୍କ ଝିଅ ହେଉଛନ୍ତି ମୋନା। ବାପା ସଂଗ୍ରାମ ମହାନ୍ତି ହେଉଛନ୍ତି ଜଣେ ଉଚ୍ଚକୋଟୀର ଗୀତିକାର। ମୋନାଙ୍କ ବଡ ଭଉଣୀ ଅର୍ଘ୍ୟରୂପା ମଧ୍ୟ ଅଲ ଇଣ୍ଡିଆ ରେଡିଓ ଷ୍ଟେସନରେ ଗୀତିକାର ଭାବେ କାର୍ଯ୍ୟରତ ଏବଂ ସାନ ଭଉଣୀ ବର୍ଣ୍ଣରୂପା ହେଉଛନ୍ତି ଜଣେ ଉଚ୍ଚକୋଟୀର ଛଉ ନୃତ୍ୟଶିଳ୍ପୀ। ପିଲାଟିବେଳୁ ମୋନାଙ୍କର କଳା ପ୍ରତି ବିଶେଷ ଆଗ୍ରହ ରହିଥିଲା।ବର୍ତ୍ତମାନ ବିଶ୍ୱରୂପା ଦୁବାଇର ଆର୍ଥିକ ବିଭାଗର କର୍ମଚାରୀ ଅଟନ୍ତି । ସେ ଓଡ଼ିଶାର ବାରିପଦାର ସ୍କୁଲ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟସରୁ ଲଳିତ କଳାରେ ଡିପ୍ଲୋମା କରିଛନ୍ତି। ଏଥିସହ ଦିଲ୍ଲୀସ୍ଥିତ ନିଫ୍ଟରୁ ଫାଇନ ଅ।ର୍ଟରେ ଉଚ୍ଚ ଶିକ୍ଷା ଲାଭ କରିବା ପରେ ଦୁବାଇରେ ଏକ ଡିଜାଇନ ଇଣ୍ଡଷ୍ଟ୍ରିରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୦୭ ମସିହାରୁ ଦୁବାଇରେ ରହୁଛନ୍ତି।କେଉଁମାନେ ଗୋଲ୍ଡେନ ଭିସା ପାଇପାରିବେ?

କଳା, ସଂସ୍କୃତି, ସାହିତ୍ୟ ଓ ଐତିହାସିକ ଅଧ୍ୟୟନ କ୍ଷେତ୍ରରେ ଉନ୍ନତମାନର ପ୍ରଦର୍ଶନ ପାଇଁ ଏହି ଭିସା ପ୍ରଦାନ କରାଯାଇଥାଏ। ଏହି ଭିସା ନାଗରିକଙ୍କୁ ୟୁଏଇରେ ରହିବା ସହିତ କାମ କରିବା ପାଇଁ ମଧ୍ୟ ଅଧିକାର ଦେଇଥାଏ। ଏଥିସହ ଏହି ଭିସା ପାଇଥିବା ବ୍ୟକ୍ତି ୟୁଏଇରେ ଏକ ଶତ ପ୍ରତିଶତ ମାଲିକାନାରେ ବ୍ୟକ୍ତିଗତ ବ୍ୟବସାୟ କରି ପାରିବେ। ଏହା ହେଉଛି ଏକ ଲମ୍ବା ଅବଧିର ଭିସା।୨୦୧୯ମସିହାରେ ୟୁଏଇ ଏହି ନୂଆ ବ୍ୟବସ୍ଥା ଲାଗୁ କରିଥିଲା। ଏହି ଭିସା ୫ କିମ୍ବା ୧୦ ବର୍ଷ ପାଇ ଜାରି କରାଯାଇଥାଏ।

Comment