ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେବ ବୁଣାକାରମାନେ ହାତ ବାନ୍ଧି ବସିଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ଼ ମିର୍ଗାନ ସାହିର ବୁଣାକାରଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଛି। ବିଶ୍ଵ ପ୍ରସିଦ୍ଧ ପ୍ରାକୃତିକ ରଙ୍ଗରେ ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରୁଥିବା ଏହି ଗାଁ ରେ ତାଲା ବନ୍ଦର ପ୍ରଭାବ ପଡ଼ିଛି।

ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଜାରି କରାଯାଇ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ଶହ ଶହ ବ୍ୟକ୍ତି ଯେଉଁମାନେ ବୟନ ଶିଳ୍ପ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି, ସେମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।ବୟନ ଶିଳ୍ପକୁ ନେଇ କୋରାପୁଟ ଜିଲ୍ଲା ବିଶ୍ଵ ଦରବାରରେ ବେଶ ପରିଚିତ। ଦେଶ ବିଦେଶରେ ଏଠାକାର ହସ୍ତତନ୍ତ ସାମଗ୍ରୀର ସ୍ଵତନ୍ତ୍ର ଚାହିଦା ରହିଛି। କିନ୍ତୁ ବଜାର ବନ୍ଦ କାରଣରୁ ହସ୍ତତନ୍ତ ପାଇଁ କଞ୍ଚାମାଲ ଉପଲବ୍ଧ ହୋଇପାରୁ ନାହିଁ। ସୁତାରେ ରଙ୍ଗ ଦେବା ପାଇଁ ଆଲ ଗଛର ଚେର ବ୍ୟବହାର ହୋଇଥାଏ ଏବଂ ସେହି ଚେର କଳାହାଣ୍ଡି ଜିଲ୍ଲାରୁ ସଂଗ୍ରହ କରାଯାଇଥାଏ। ସେତକ ମଧ୍ୟ ହୋଇପାରୁନାହିଁ।ଏଠାକାର ବୁଣାକାରମାନେ ସରକାରୀ ସ୍ତରରେ ଥିବା ବୟନିକା ଓ ଅନ୍ୟାନ୍ୟ ସ୍ଥାନକୁ ନିଜେ ପ୍ରସ୍ତୁତ କରିଥିବା ସାମଗ୍ରୀ ରପ୍ତାନୀ କରିଥାନ୍ତି। ଏଥିସହ ଅନଲାଇନ ମାଧ୍ୟମରେ ବ୍ୟବସାୟ ମଧ୍ୟ କରିଥାନ୍ତି। କିନ୍ତୁ ସବୁ ବନ୍ଦ ରହିବା କାରଣରୁ ଏମାନଙ୍କ କାର୍ଯ୍ୟ ଠପ୍ ହୋଇଯାଇଛି। ପ୍ରତିବର୍ଷ ଆମେରିକା, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ଭଳି ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଆସି ହସ୍ତତନ୍ତ ସାମଗ୍ରୀ ବହୁ ମାତ୍ରାରେ ନେଇଥାନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏମାନଙ୍କ ରୋଜଗାରରେ କିଛିଟା ସହାୟ ହେଉଥିବାବେଳେ ବର୍ତ୍ତମାନ କରୋନା କାରଣରୁ କୋଟପାଡ଼କୁ କୌଣସି ପର୍ଯ୍ୟଟକ ଆସୁନାହାଁନ୍ତି। ଫଳରେ ସବୁ ଦିଗରୁ ଏମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି।କରୋନା କାଳରେ ସରକାରୀ ସ୍ତରରୁ କୌଣସି ସାହାଯ୍ୟ ଓ ସହଯୋଗ ମିଳିନଥିବା କହିଛନ୍ତି ଏଠାକାର ବୁଣାକାରମାନେ। ସେମାନେ ଆଉ ମଧ୍ୟ କହିଛନ୍ତି, ସରକାର ଦୁଇ ଦୁଇଥର ଖଦି ନେବେ ବୋଲି କହି ଏପର୍ଯ୍ୟନ୍ତ ନେଇ ନାହାଁନ୍ତି। ସବୁ ବୁଣାକାରମାନଙ୍କ ଘରେ ଗଦା ହୋଇ ପଡ଼ିରହିଛି ସାମଗ୍ରୀ। ଏଭଳି ପରିସ୍ଥିତିରେ ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି କୋଟପାଡ଼ର ବୁଣାକାରମାନଙ୍କ ପରିବାରକୁ ସରକାରୀ ସ୍ତରରେ କିଛି ସହାୟତା ଦେବାକୁ ଅନୁରୋଧ କରିଛନ୍ତି ସେଠାକର ବାସିନ୍ଦା।

Comment