ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ଖୁବ୍ ଶୀଘ୍ର ସମ୍ପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ୨୦୧୯ ସାଧାରଣ ନିର୍ବାଚନ ପରେ ମୋଦୀଙ୍କର ଏହା ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳକୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ କରୁଥିବା ଜଣା ପଡ଼ିଛି। ସେହିପରି ଏଥର କିଛି ନୂଆ ମୁହଁକୁ କ୍ୟାବିନେଟ୍‌ରେ ସ୍ଥାନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଯୋଜନା ରଖିଛନ୍ତି।

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ୩ଟି କାରଣ

ଜୁନ୍ ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର କ୍ୟାବିନେଟ୍ ବୈଠକ ଡକାଇ ଥିଲେ। ସେଥିରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ବିରୋଧୀମାନେ ଉଠାଉଥିବା ବିଭିନ୍ନ ପ୍ରଶ୍ନର ତଥ୍ୟ ଭିତ୍ତିକ ଜବାବ ରଖି ସେମାନଙ୍କର ମୁକାବିଲା କରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ଏଥିରୁ ସ୍ପଷ୍ଟ କୁହାଯାଇ ପାରିବ ଯେ, ବିରୋଧୀମାନେ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଯେଉଁ ଟାର୍ଗେଟ କରୁଛନ୍ତି ତାହାର ମୁକାବିଲା ପାଇଁ କ୍ୟାବିନେଟ୍‌କୁ ସମ୍ପ୍ରସାରଣ କରାଯାଇ ପାରେ।ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ନିର୍ବାଚନ। ଆଗକୁ ଉତ୍ତର ପ୍ରଦେଶ, ପଞ୍ଜାବ ଭଳି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସେହି ସମସ୍ତ ରାଜ୍ୟରେ ଯେପରି ଡବଲ ଇଞ୍ଜିନ୍ ସରକାର ହେବ ତାକୁ ଗୁରୁତ୍ଵ ଦେଉଛନ୍ତି ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଫୋକସ୍ ରହିଛି ୨୦୨୪ ସାଧାରଣ ନିର୍ବାଚନ ଉପରେ। ତେଣୁ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳକୁ ପ୍ରସ୍ତୁତ ରଖିବାକୁ ଏହି ସମ୍ପ୍ରସାରଣ ହୋଇପାରେ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର କ୍ୟାବିନେଟ୍‌ରେ ମୋଟ୍ ୮୧ ଜଣ ମନ୍ତ୍ରୀ ରହିପାରିବେ। କିନ୍ତୁ ଏବେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୫୩ ଜଣ ମନ୍ତ୍ରୀ ଅଛନ୍ତି। ଏପରିକି ଜଣେ ଜଣେ ମନ୍ତ୍ରୀ ଏକାଧିକ ଦାୟିତ୍ଵ ବହନ କରୁଛନ୍ତି। ଫଳରେ ସେମାନଙ୍କ ଉପରେ ଅଧିକ ଚାପ ରହିବା ସହ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ସଠିକ୍ ଭାବେ ପରିଚାଳିତ ହୋଇ ପାରୁନାହିଁ। ସେହିପରି କିଛି ମନ୍ତ୍ରାଳୟ ସବୁବେଳେ ବିରୋଧୀଙ୍କ ଟାର୍ଗେଟରେ ରହିଆସୁଛି। ତେଣୁ କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରୁ ବାହାର କରି ଦଳର ସାଙ୍ଗଠନିକ ଦାୟିତ୍ଵ ଦେବା ସହ ମନ୍ତ୍ରିମଣ୍ଡଳକୁ ନୂଆ ଓ ଅଭିଜ୍ଞ ଚେହେରା ଆଣିବାକୁ ମୋଦୀ ଯୋଜନା ରଖିଛନ୍ତି।

କାହାକୁ ମିଳିବ ମନ୍ତ୍ରୀପଦ?

ଜ୍ୟୋତିରାଦିତ୍ୟ ସିନ୍ଧିୟା

୨୦୨୦ରେ ମଧ୍ୟପ୍ରଦେଶ କଂଗ୍ରେସର ବିଶିଷ୍ଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସ ଛାଡ଼ି ପଦ୍ମ ହାତ ଧରିଥିଲେ। ଏହାପରେ ସିନ୍ଧିୟାଙ୍କୁ ବିଜେପି ମଧ୍ୟପ୍ରଦେଶର ଶାସନ ଭାର ଦେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶିବରାଜ ସିଂ ଡୌହାନଙ୍କୁ ମୁଖ୍ୟମନ୍ତ୍ରୀ କରାଇ ସିନ୍ଧିୟାଙ୍କୁ ରାଜ୍ୟସଭା ସାଂସଦ ଗାଦିରେ ବସାଇଥିଲା ଦଳ। ତେବେ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ସିନ୍ଧିୟାଙ୍କ ଭଳି ଜଣେ ଯୁବ ନେତାଙ୍କର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ସିନ୍ଧିୟା ଯେହେତୁ ବିରୋଧୀ ଦଳରୁ ଶାସକ ଦଳକୁ ଡେଇଁଛନ୍ତି ତେଣୁ ତାଙ୍କୁ ଖୁସି କରିବାକୁ ମୋଦୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ନିଶ୍ଚିତ ସାମିଲ କରିବେ।ସର୍ବାନନ୍ଦ ସୋନଓ୍ଵାଲ୍

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ୍‌ଙ୍କୁ ଏଥର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ। ଗତ ଆସାମ ବିଧାନସଭା ନିର୍ବାଚନରେ ହିମନ୍ତ ବିଶ୍ଵ ଶର୍ମାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗାଦି ତ୍ୟାଗ କରିଥିଲେ ସର୍ବାନନ୍ଦ। ତେଣୁ ସର୍ବାନନ୍ଦଙ୍କ ଏହି ତ୍ୟାଗର ଫଳ ସ୍ଵରୂପ ତାଙ୍କୁ କ୍ୟାବିନେଟ୍‌ରେ ମନ୍ତ୍ରୀ ପଦ ଦେଇପାରନ୍ତି ମୋଦୀ।ପଶୁପତି କୁମାର ପାରସ୍

କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶଓ୍ଵାନ୍‌ଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ୍ ପାଶଓ୍ଵାନ୍‌ଙ୍କ ନେତୃତ୍ଵାଧୀନ ଏଲ୍‌ଜେପି ଏନ୍‌ଡିଏ ମେଣ୍ଟରୁ ଧୀରେ ଧୀରେ ବିରତ ହେବାରେ ଲାଗିଥିଲେ। କିନ୍ତୁ ହଠାତ୍ ତାଙ୍କ ଦାଦା ପଶୁପତି କୁମାର ପାରସ୍, ଚିରାଗଙ୍କୁ ଦଳର ମୁଖ୍ୟ ପଦରୁ ହଟାଇ ନିଦେ ଦଳର ଦାୟିତ୍ଵ ନେଇଛନ୍ତି। ତେବେ ସବୁଠୁ ବଡ଼ କଥା ହେଲା ଚିରାଗ୍ ବିଜେପିଠାରୁ ଦୂରତା ବଜାୟ ରଖୁଥିବା ବେଳେ ପଶୁପତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛତ୍ରଛାୟାକୁ ରହିବାକୁ ଚାହୁଛନ୍ତି। ଇତି ମଧ୍ୟରେ ସେ ମୋଦୀଙ୍କ ପାଖାପାଖି ମଧ୍ୟ ହୋଇସାରିଛନ୍ତି। ତେଣୁ ପଶୁପତି କୁମାର ପାରସ୍‌ଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।ସେହିପରି ମହାରାଷ୍ଟ୍ରର ବିଜେପି ନେତା ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ, ଉତ୍ତର ପ୍ରଦେଶର ବରୁଣ ଗାନ୍ଧୀ, ରାମଶଙ୍କର କାଠେରିଆ, ଅନିତ ଜୈନ୍, ରୀତା ବହୁଗୁଣା ଯୋଶୀ, ଜାଫର ଇସଲାମ୍, ଓଡ଼ିଶାର ଅଶ୍ଵିନୀ ବୈଷ୍ଣବ ଆଦିଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

Comment