ଓଡ଼ିଶାଲାଇଭ୍ ବ୍ୟୁରୋ

  • କେବଳ ସେବାୟତମାନେ ଟାଣିବେ ରଥ
  • ରଥଟଣା ବେଳେ ଫଟୋ ଉଠାଇ ପାରିବେନି ସେବାୟତ
  • ରଥଯାତ୍ରା ପାଇଁ ପୁରୀରେ ମୁତୟନ ହେବେ ୭୦ ପ୍ଲାଟୁନ୍ ଫୋର୍ସ

ଆସନ୍ତା ୧୨ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା। କୋଭିଡ୍ କଟକଣା ମଧ୍ୟରେ ଏଥର ରଥଯାତ୍ରା ହେବ। ଗଲାବର୍ଷ ଭଳି ଏବର୍ଷ ମଧ୍ୟ କେବଳ ସେବାୟତମାନେ ହିଁ ରଥ ଟାଣିବେ। ରଥଟଣା ବେଳେ ସେବାୟତମାନେ ଫଟୋ ଉଠାଇ ପାରିବେ ନାହିଁ। ଏନେଇ ଶନିବାର ଦିନ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।ଛତିଶା ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, କୋଭିଡ୍ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏଥର କେବଳ ସେବାୟତମାନେ ହିଁ ରଥ ଟାଣିବେ। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର ଟିକାକରଣ ହୋଇ ସାରିଛି। ରଥଯାତ୍ରା ପୂର୍ବରୁ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ସେହିପରି ରଥଯାତ୍ରା ପାଇଁ ସାନିଟାଇଜର ବ୍ୟବସ୍ଥା ହୋଇଛି। ଯିଏ ରଥଯାତ୍ରାରେ ସାମିଲ ହେବେ, ତାଙ୍କୁ ମାସ୍କ ଓ ଗାମୁଛା ଆଦି ଦିଆଯିବ। ସେହିପରି ଗୁଣ୍ଡିଚା ମନ୍ଦିରରେ ବସିବା ପାଇଁ ବ୍ୟବସ୍ଥା ହେବ। ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ବିଶେଷ କରି ଦୃଷ୍ଟି ଦିଆଯିବ।

ରଥଯାତ୍ରାକୁ ଦୃଷ୍ଟିରେ ରଖି କଟକଣା ଆହୁରି କଡ଼ା କରାଯିବ। ରଥଯାତ୍ରା ପାଇଁ ପୁରୀ ସହରକୁ ୧୨ଟି ଜୋନ୍ ଓ ବଡ଼ଦାଣ୍ଡକୁ ୩ଟି ଜୋନ୍‌ରେ ବିଭକ୍ତ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱର ବିଶାଳ ସିଂ ସୂଚନା ଦେଇଛନ୍ତି। ପୁରୀରେ ଏଥର ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ। ରଥଯାତ୍ରା ପୂର୍ବ ରାତିରୁ ସହରର ସବୁ ପ୍ରବେଶ ପଥ ସିଲ୍‌ କରାଯିବା ନେଇ ଏସ୍‌ପି କହିଛନ୍ତି।ଶନିବାରଦିନ ଶ୍ରୀଜିଉଙ୍କ ରଥଯାତ୍ରା ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତା କରିଥିଲେ। ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ଥିଲେ।

Comment