ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବଡ଼ଦାଣ୍ଡରେ ରହୁଥିବା ଲୋକ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ। ଶନିବାର ଏଭଳି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି। ଛାତ ଉପରେ ରହି ଶ୍ରଦ୍ଧାଳୁ ରଥଯାତ୍ରା ଦେଖିପାରିବେ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି। ଏଥିସହ ରଥାଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ ଘରେ ଭିତରେ ରହିବାକୁ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।“ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘରଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। ରଥଯାତ୍ରା ସମୟରେ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ। ଗୋଟିଏ ରାତି ପୂର୍ବରୁ ଏବଂ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ ପୁରୀ ସହରରେ ୧୪୪ ଧାରା ଜାରି କରାଯିବ”, କହିଛନ୍ତି ଜିଲ୍ଲାପାଳ।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି, “ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରି ଦିଆଯିବ। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ବାହାରିବାକୁ ଅନୁମତି ଦିଆଯାଇନାହିଁ।”ଅନ୍ୟପଟେ ପୁରୀ ଏସ୍‌ପି କହିଛନ୍ତି, “ବଡ଼ଦାଣ୍ଡରେ ୨୩୦ ଘର ରହିଛି। ଘରଗୁଡ଼ିକର ଛାତ ଉପରେ ରହି ରଥଯାତ୍ରା ଦେଖିବାକୁ ମନା କରାଯାଇଛି। ଜନସାଧାରଣଙ୍କୁ ଏନେଇ ସଚେତନ କରାଯିବ। ସେହିପରି ବଡ଼ଦାଣ୍ଡରେ ପ୍ରାୟ ୪୧ଟି ହୋଟେଲ୍‌ ଓ ଲଜ୍ ରହିଛି। ଏହି ଲଜର ମାଲିକମାନଙ୍କ ସହ ଆଲୋଚନା କରାଯାଇଛି। ନିଷ୍ପତ୍ତି ଅନୁସାରେ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପର୍ଯ୍ୟଟକଙ୍କୁ ରଖିବାକୁ ବୁକିଂ ନ କରିବାକୁ କୁହାଯାଇଛି। ଏଥିସହ ଏହି ହୋଟେଲ୍ ଓ ଲଜଗୁଡ଼ିକୁ ଖାଲି କରାଯିବ।”କରୋନା ମହାମାରୀ ପାଇଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେବ। ରାଜ୍ୟରେ କରୋନା ସଙ୍କଟ ଟଳି ନଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିସହ ଛତିଶା ନିଯୋଗ ବୈଠକ କରାଯାଇ ରଥାଯାତ୍ରା ପାଇଁ କୋଭିଡ କଟକଣାକୁ କଡ଼ାକଡ଼ି କରାଯିବା ସହ ଓ ନୂଆ ଏସଓପି ଜାରି କରାଯାଇଛି।

Comment