ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ସୋମବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭୀମଟାଙ୍ଗୀସ୍ଥିତ ହାଉସିଂ ବୋର୍ଡ କଲୋନୀର ଏକ ଘର ଭିତରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରିଛି ଏୟାରଲିଫ୍ଟ ଥାନା ପୋଲିସ। ଏଥିସହ ଘର ଭିତରୁ ଆଉଜଣେ ଆହାତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

କ’ଣ ଥିଲା ଘଟଣା?

ସୋମବାର ସକାଳର ଘଟଣା ଭୀମଟାଙ୍ଗୀସ୍ଥିତ ହାଉସିଂ ବୋର୍ଡ କଲୋନୀବାସିନ୍ଦା ରାକେଶ ସାହୁଙ୍କ ହ୍ଵାଟ୍ସଆପ୍‌କୁ ଏକ ଅଜଣା ନମ୍ଵରରୁ ଭିଡିଓ କଲ୍ ଆସିଲା। ସେତେବେଳେ ରାକେଶ ଘରେ ନଥିଲେ। ଭିଡିଓ କଲ୍‌ରେ ସେ ଦେଖିଲେ ଯେ, ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି ତାଙ୍କ ସ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ। ଏହାପରେ ସେ ଘର ମାଲିକଙ୍କୁ ଫୋନ କରି ଏ ବିଷୟରେ ଜଣାଇଥିଲେ। ଘର ମାଲିକ ରାକେଶଙ୍କ ଘରକୁ ଯାଇ ଦେଖିଲା ବେଳକୁ ଭିତରପଟୁ ତାଙ୍କ ଘର ବନ୍ଦ ଥିଲା। ତେଣୁ ସେମାନେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ, ଆଉ ଦେଖିଲେ ପ୍ରିୟଙ୍କାଙ୍କ ମୃତଦେହ ପଡ଼ିଛି।

ପ୍ରିୟଙ୍କାଙ୍କ ମୃତ ଦେହ ପାଖରେ ଆଉଜଣେ ଯୁବକ ମଧ୍ୟ ଆହତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହାପରେ ରାକେଶ ପୋଲିସକୁ ଖବର ଦେଇଥିଲେ। ଏୟାରଲିଫ୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଏବଂ ଆହତ ଯୁବକଙ୍କୁ ଉଦ୍ଧାର କରିଥିଲା। ଆହତ ଯୁବକଙ୍କ ପାଖରୁ ପୋଲିସକୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା, ଯେଉଁଥିରେ ଲେଖାଥିଲା ମୁଁ ପ୍ରିୟଙ୍କା ଓ ତାଙ୍କ କୁନି ପୁଅକୁ ମାରିବି ଆଉ ନିଜେ ମରିବି। ନୋଟ୍‌ରୁ ଜଣା ପଡ଼ିଥିଲା ଯୁବକଜଣକଙ୍କ ନାଁ ହେଲା ଜଗନ୍ନାଥ ପ୍ରଧାନ, ଘର ଯାଜପୁର।ରହସ୍ୟ ଘେରରେ ରହିଛି ହତ୍ୟାକାଣ୍ଡର କାରଣ

ସନ୍ଦିଗ୍ଧ ଅବସ୍ଥାରେ ଘର ଭିତରୁ ପ୍ରିୟଙ୍କାଙ୍କ ମୃତଦେହ ଉଦ୍ଧାର ହେବା ଆଉ ସେହି ଘରୁ ଜଣେ ଆହତ ଯୁବକଙ୍କ ଉପସ୍ଥିତି ପୋଲିସକୁ ଅଡୁଆରେ ପକାଇ ଦେଇଛି। ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ଏବେ ତନାଘନା ଆରମ୍ଭ କରିଛି ପୋଲିସ। ତେବେ ହତ୍ୟା ପଛରେ ପ୍ରେମ ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଶତ୍ରୁତା ଆଧାରରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ତେବେ ଏହି ଘଟଣା ପଛରେ କିଏ ମାଷ୍ଟମାଇଣ୍ଡ ରହିଛି ତାର ଖିଅ ଖୋଜୁଛି ପୋଲିସ।ଆହତ ଯୁବକଙ୍କ ପାଖରେ ଘଟଣାର ରହସ୍ୟ

ହତ୍ୟାକାଣ୍ଡରେ ସବୁଠାରୁ ବଡ଼ କେନ୍ଦ୍ରବିନ୍ଦୁ ହେଲେ ଆହତ ଯୁବକ ଜଗନ୍ନାଥ ପ୍ରଧାନ। ସେ ଆଉ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନୁହନ୍ତି ତ? କାହିଁକି ନା ମୃତ ମହିଳା ପ୍ରିୟଙ୍କା ଏବଂ ତାଙ୍କ ସ୍ଵାମୀ ରାକେଶ ଉଭୟ ଯାଜପୁରର ହୋଇଥିବା ବେଳେ ଜଗନ୍ନାଥଙ୍କ ଘର ମଧ୍ୟ ଯାଜପୁରରେ। ଅନ୍ୟପଟେ ଜଗନ୍ନାଥଙ୍କ ପାଖରୁ ମିଳିଥିବା ସୁଇସାଇଡ୍ ନୋଟ୍‌କୁ ତର୍ଜମା କଲେ ଏହା ସ୍ପଷ୍ଟ କରାଯାଇ ପାରେ ଯେ, ସେ ହିଁ ହତ୍ୟାକାରୀ ହୋଇଥାଇ ପାରନ୍ତି। କାହିଁକି ନା ଜଗନ୍ନାଥ ଉଦ୍ଧାର ବେଳେ ତାଙ୍କ ହାତ କଟିଥିବା ସହିତ ସେ ବିଷ ମଧ୍ୟ ପିଇଥିଲେ, ଯାହାକି ସୁଇସାଇଡ୍ ନୋଟ୍‌ର ଲେଖା ସହିତ ବଡ଼ ସାମଞ୍ଜସ୍ୟ ଅଛି। ତେବେ ପ୍ରଶ୍ନ ଉଠୁଛି ଯଦି ଜଗନ୍ନାଥ ହତ୍ୟାକାରୀ ହୋଇଥିବେ ସେ ଏଭଳି ମାନସିକତା କାହିଁକି ରଖିଥିଲେ। କାହିଁକି ପ୍ରିୟଙ୍କାଙ୍କ ସହିତ ତାଙ୍କ ସାନ ପୁଅକୁ ବି ମାରିବାକୁ ଚାହିଁଥିଲେ। ତେବେ ଏସବୁ ପ୍ରଶ୍ନର ଉତ୍ତର କେବଳ ଆହତ ଯୁବକ ଜଗନ୍ନାଥ ହିଁ ଦେଇପାରିବେ।

Comment