ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଣସର ପିଣ୍ଡିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ
  • ଶୟନ ଅବସ୍ଥାରୁ ଚକାବିଜେ କଲେ ଚତୁର୍ଦ୍ଧା ମୂରତି
  • ଆଜି ଲାଗି ହେବ ଦଶମୂଳ ମହୌଷଧୀ
  • ରଥଯାତ୍ରାକୁ ଆଉ ୬ ଦିନ ବାକି

ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ଵରରେ ପୀଡ଼ିତ ଚତୁର୍ଦ୍ଧା ମୂରତି ଏବେ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। କବିରାଜ ସେବକଙ୍କ ସେବାରେ ବିଜେ ଶ୍ରୀବିଗ୍ରହମାନେ ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି। ପରମ୍ପରା ମୁତାବକ ରବିବାର ଦିନ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଛି। ଜ୍ଵରରେ ପଡ଼ି ଶୟନ ଅବସ୍ଥାରେ ବିଶ୍ରାମରତ ଶ୍ରୀବିଗ୍ରହମାନେ ଚକାଉପରେ ବିଜେ କରିଛନ୍ତି, ଯାହା ଶ୍ରୀବିଗ୍ରହମାନଙ୍କ ସୁସ୍ଥ ହେବାର ସୂଚନା ଦେଇଛି।ମହାପ୍ରଭୁ ଚକାବିଜେ ହେବା ପରେ ଶ୍ରୀମନ୍ଦିରକୁ ଦଶମୂଳ ମହୌଷଧୀ ବା ମୋଦକ ବିଜେ କରାଯାଇଛି। ପରମ୍ପରା ଅନୁଯାୟୀ ଏକାଦଶୀ ତିଥି ଅର୍ଥାତ୍ ଆଜି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ମହାପ୍ରଭୁଙ୍କ କବିରାଜମାନେ ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ଔଷଧକୁ ପ୍ରସ୍ତୁତ କରିଛନ୍ତି।

ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ଏହି ମୋଦକକୁ ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ପ୍ରକୃତିର ଉତ୍ପାଦ ସମ୍ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହେଉଥିବା ବେଳେ ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ କରାଯାଏ।ଦଶମୂଳ ମହୌଷଧୀ ଲାଗି ହେବା ପରେ ମହାପ୍ରଭୁ ଜ୍ଵରରୁ ସୁସ୍ଥ ହେବେ। ଏହାପରେ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତିଙ୍କୁ ପଠାଯିବାର ବିଧି ରହିଛି। ଦଇତାପତି ସେବାୟତମାନେ ଗଜପତିଙ୍କୁ ଏହି ଖବର ଦେବେ। ଏହାପରେ ଶ୍ରୀବିଗ୍ରହମାନେ ଅଣସରରୁ ବାହାରି ନବଯୌବନ ଦର୍ଶନ ଦେବେ।  ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା। ଭାଇଭଉଣୀଙ୍କୁ ସାଙ୍ଗେ ନେଇ ୯ ଦିନ ପାଇଁ ମାଉସୀ ମା’ ଘରକୁ ଯିବେ ମହାପ୍ରଭୁ। ହେଲେ କରୋନା କଟକଣା ପାଇଁ ଗତ ବର୍ଷ ପରି ଏଥର ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।

Comment