ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁସ୍ଥ ହେଲେ ଚତୁର୍ଦ୍ଧା ମୂରତି
  • ଆଜି ଶ୍ରୀନଅରକୁ ଯିବ ମହାପ୍ରଭୁଙ୍କ ସୁସ୍ଥ ଖବର
  • ଶେଷ ସ୍ପର୍ଶ ପାଉଛି ତିନି ରଥ
  • ଜୁଲାଇ ୧୨ରେ ରଥଯାତ୍ରା

ଦଶମୂଳ ମୋଦକ ସେବନ ପରେ ଜ୍ଵରରୁ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧା ମୂରତି। ୧୪ ଦିନିଆ ଅଣସର ପରେ ଶ୍ରୀବିଗ୍ରହମାନେ ସୁସ୍ଥ ହୋଇ ଏବେ ମାଉସୀ ମା’ ଘରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସୋମବାର ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପାଖରେ ଅଣସର ନୀତିର ଶେଷ ଔଷଧ ଦଶମୂଳ ମୋଦକ ଲାଗି ହୋଇଥିଲା। ଆଜି ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତି ମହାରାଜାଙ୍କ ପାଖକୁ ପଠାଯିବ।ଦ୍ଵାଦଶୀ ତିଥିରେ ଅଣସର ସେବାର ଅନ୍ୟତମ ପ୍ରମୁଖ ନୀତି ‘ରାଜପ୍ରସାଦ ବିଜେ’ ମଙ୍ଗଳବାର ଅନୁଷ୍ଠିତ ହେବ। ଦଇତାପତି ସେବକ, ପତିମହାପାତ୍ର ସେବକ, ଖୁଣ୍ଟିଆ, ମେକାପ, ଦେଉଳକରଣ, ତଢ଼ଉକରଣ ପ୍ରମୁଖ ଶୋଭାଯାତ୍ରାରେ ରାଜପ୍ରସାଦ ନେଇ ଶ୍ରୀନଅରକୁ ଯିବେ। ସେଠାରେ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥ ଖବର ଦେବେ।‘ରାଜପ୍ରସାଦ ବିଜେ’ ନୀତିରେ ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନକୁ ଶ୍ରୀନଅରକୁ ନେଇଥାନ୍ତି। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇଥାନ୍ତି।

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିଲେ ଶୀଜିଉ। ଏହାପରେ ଶ୍ରୀଜିଉଙ୍କୁ ୧୪ ଦିନ ଅଣସରରେ ରଖାଯାଇ ଫଳ, ଫୁଲୁରି ତେଲ, ଆୟୁର୍ବେଦିକ ଜଡ଼ିବୁଟ୍ଟି ଔଷଧ ଆଦିରେ ଉପଚାର କରାଯାଇଥିଲା।ଅନ୍ୟପଟେ ଆଉ ମାତ୍ର କିଛିଦିନ ପରେ ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଘୋଷଯାତ୍ରାରେ ଯିବେ। ସେଥିଲାଗି ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ ଲାଗିଛନ୍ତି ବିଶ୍ୱକର୍ମା ଏବଂ ମହାରଣା ସେବାୟତମାନେ।

Comment