ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ତାଳଧ୍ଵଜ ରଥରେ ବିଜେ କରିଛନ୍ତି ପ୍ରଭୁ ବଳଭଦ୍ର, ପରେ ଦେବଦଳନ ରଥରେ ରଥାରୂଢ଼ ହୋଇଛନ୍ତି ଦେବୀ ସୁଭଦ୍ରା ଏବଂ ଶେଷରେ ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଗତ ବର୍ଷ ପରି ଏଥର ମଧ୍ୟ ବିନା ଭକ୍ତରେ ହେଉଛି ରଥଯାତ୍ରା।କରୋନା କଟକଣା ମଧ୍ୟରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା।

ରଥଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଭୋର୍‌ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର୍‌ ୪.୩୦ରେ ମଙ୍ଗଳ ଆଳତୀ, ୫ଟାରେ ମଇଲମ, ତଡପଲାଗି ଓ ରୋଷହୋମ, ଭୋର୍ ୫.୩୦ରେ ଅବକାଶ, ୫.୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୬.୩୦ରୁ ୭.୩୦ ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପ, ସକାଳ ୮ଟାରେ ରଥ ପ୍ରତିଷ୍ଠା ଓ ୮.୧୫ରେ ମଙ୍ଗଳାର୍ପଣ ହୋଇଯାଇଛି। ୮.୩୦ରୁ ଶ୍ରୀଜିଉମାନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

Comment