ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ କଟକଣା ଭିତରେ ଏବର୍ଷ ମଧ୍ୟ ବାହାରିନରେ ଥିବା ଓଡ଼ିଆ ସମାଜ ଓ ସଗାୟାଥରେ ଅବସ୍ଥାପିତ ଇସ୍କନ ମନ୍ଦିର ପ୍ରଶାସନର ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କାଳରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରିବାକୁ ଅନୁମତି ମିଳିନଥିଲା। କିନ୍ତୁ ବାହାରିନରେ ରଥଯାତ୍ରା କରିବା ପାଇଁ ସ୍ଥାନୀୟ ପ୍ରଶାସନ ସୁଯୋଗ ଦେଇଥିବାରୁ ସେଠାରେ ବାସ କରୁଥିବା ଓଡ଼ିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।

ଏହି ପବିତ୍ର ଉତ୍ସବରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ସମେତ ଇସ୍କନ ମନ୍ଦିର ଅଧ୍ୟକ୍ଷ ବର୍ଦ୍ଧରାଜନ ପ୍ରଭୁ, ଭାରତର ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବଙ୍କ ସହିତ ଓଡ଼ିଆ ସମାଜର ଅନ୍ୟାନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ। ଯେଉଁମାନଙ୍କର ଟିକାକରଣ କରାଯାଇଛି, ସେହିମାନେ ୧୦ଜଣ ଲେଖାଏଁ ପର୍ଯ୍ୟାୟକ୍ରମେ ଏହି ଉତ୍ସବରେ ସାମିଲ ହୋଇଥିଲେ।ପୁରୀରେ ନିର୍ଘଣ୍ଟ ହୋଇଥିବା ମହାପ୍ରଭୁଙ୍କ ସମୟ ଓ ନୀତି କାନ୍ତିକୁ ଅନୁସରଣ କରି ବାହାରିନରେ ମଧ୍ୟ ଶୃଙ୍ଖଳିତ ଭାବରେ ରଥ ଯାତ୍ରା ନୀତି ପାଳନ କରାଯାଇଛି। ଏଥିପାଇଁ ବାହାରିନ ସରକାର ଉଭୟ ଓଡ଼ିଆ ସମାଜ ସଭ୍ୟ ଏବଂ ଇସ୍କନ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Comment